Explore

Search

July 17, 2026 7:51 pm

ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ : ଗୁଣ୍ଡିଚା ଅଭିମୁଖେ ଗଡ଼ୁଛି ତିନି ରଥ

ପୁରୀ : ପାଗ ଅନୁକୂଳ ନଥିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଓ ରଥଟଣା ପ୍ରତି ଭକ୍ତଙ୍କ ଉତ୍ସାହ କମିନାହିଁ। ରଥଯାତ୍ରାର ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇଯାଇଛି। ଚାରିଆଡ଼େ “ଜୟ ଜଗନ୍ନାଥ” ଧ୍ୱନି, ଭଜନ-କୀର୍ତ୍ତନ ଓ ହରିବୋଲରେ ଭକ୍ତିର ଅନନ୍ୟ ପରିବେଶ ସୃଷ୍ଟି ହୋଇଛି।

ଗତକାଲି ଅତ୍ୟଧିକ ଭିଡ଼ ଏବଂ ବର୍ଷା ଯୋଗୁଁ ଅନେକ ଭକ୍ତ ରଥ ଦଉଡ଼ି ଟାଣିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। ତେବେ ଆଜି ସେହି ଅଭିଳାଷ ପୂରଣ କରିବା ପାଇଁ ଭୋରରୁ ହିଁ ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଯାଇଛନ୍ତି । ମହାପ୍ରଭୁଙ୍କ ରଥ ଦଉଡ଼ିକୁ ଥରେ ହାତ ଲଗାଇବା ପାଇଁ ସମସ୍ତଙ୍କ ମନରେ ଅପାର ଉତ୍ସାହ ଦେଖିବାକୁ ମିଳିଛି।

ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟରେ ପୁଣିଥରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ରୀତିନୀତି ସମାପନ ପରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ ପର୍ଯ୍ୟନ୍ତ ଯାଇଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟ ଛକ ନିକଟରେ ଅଟକିଥିଲା। ଅନ୍ୟପକ୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ହିଁ ରହିଯାଇଥିଲା।

ଆଜି ପୁଣି ତିନି ରଥ ଗଡ଼ିବା ସହିତ ବଡ଼ଦାଣ୍ଡରେ ଉତ୍ସବର ମାହୋଲ ଆହୁରି ବଢ଼ିଯାଇଛି। ଚାରିଆଡ଼େ “ଜୟ ଜଗନ୍ନାଥ” ଧ୍ୱନି, ହରିବୋଲ ଓ ହୁଳହୁଳିରେ ଶ୍ରୀକ୍ଷେତ୍ରର ପରିବେଶ ଭକ୍ତିମୟ ହୋଇଉଠିଛି। ଭକ୍ତଙ୍କ ହାତରେ ଦଉଡ଼ି ଓ ମନରେ ଅଗାଧ ବିଶ୍ୱାସ। ସେହି ଭକ୍ତିର ଶକ୍ତିରେ ତିନି ରଥ ଧୀରେ ଧୀରେ ଶରଧାବାଲି ଅଭିମୁଖେ ଆଗେଇ ଚାଲିଛି। ଆଜି ରଥ ଉପରେ ବିରାଜମାନ ଶ୍ରୀବିଗ୍ରହମାନେ ଭକ୍ତଙ୍କୁ ଦର୍ଶନ ଦେବେ। ଆସନ୍ତାକାଲି ଆଡ଼ପ ମଣ୍ଡପରେ ଶ୍ରୀଜିଉମାନଙ୍କ ବିଜେ ନୀତି ଅନୁଷ୍ଠିତ ହେବ।

ଗତକାଲି ସନ୍ଧ୍ୟାରେ ଆଲୋକ କମ୍ ଥିବାରୁ ରଥଟଣା ବନ୍ଦ ରଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ମଧ୍ୟ ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ୧୦ରୁ ୧୨ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ଓ ରଥଟଣାରେ ସାମିଲ ହେବାକୁ ଦେଶ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉତ୍ସାହ ଏବେ ମଧ୍ୟ ଅବ୍ୟାହତ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score