ରାତି ପହିଲେ ମାତୃ ଦିବସ। ଯାହାକୁ ଆମେ ଇଂରାଜୀରେ କହୁ (Mother’s Day)। ଏହି ଦିନଟି ପ୍ରତ୍ୟେକ ପିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନଟିଏ । ଏହି ଦିନରେ ସେ ତା ମା’ଙ୍କୁ ଜାବୁଡି ଧରି ଅନେକ ସ୍ନେହ କରିଥାଏ ଓ ମାତୃ ଦିବସର ଶୁଭେଚ୍ଛା ଜଣେଇଥାଏ । ତେବେ କେବେ ଭାବିଛନ୍ତି କି କାହିଁକି ପାଳନ ହୁଏ ଏହି ମାତୃ ଦିବସ ? କ’ଣ ରହିଛି ଏହାର ଇତିହାସ ? କେଉଁଠୁ ଆସିଲା ଏହି ଶବ୍ଦ ? ନଜର ପକାନ୍ତୁ ଆଜି ଆମର ଏହି ରିପୋର୍ଟ ଉପରେ …
ମା’… ଏହି ଶବ୍ଦଟିରେ ଲୁଚିଥାଏ ଅସୀମ ସ୍ନେହ, ତ୍ୟାଗ ଓ ନିର୍ମଳ ଭଲପାଇବା। ଜନ୍ମରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ପଦକ୍ଷେପରେ ମା’ ନିଜ ସନ୍ତାନଙ୍କ ପାଇଁ ସମସ୍ତ କଷ୍ଟ ସହିଥାନ୍ତି। ନିଜ ସ୍ଵପ୍ନକୁ ପଛକୁ ରଖି ପିଲାମାନଙ୍କ ସୁଖ ଓ ସଫଳତା ପାଇଁ ସାରା ଜୀବନ ଲଢ଼ି ଚାଲିଥାନ୍ତି। ସତ କହିବାକୁ ଗଲେ, ମା’ଙ୍କ ଏହି ଅମୂଲ୍ୟ ଭଲପାଇବା ଓ ବଳିଦାନକୁ କୌଣସି ଏକ ଦିନରେ ମାପିହେବ ନାହିଁ। ତଥାପି ମା’ଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ସାରା ବିଶ୍ୱରେ “ମାତୃ ଦିବସ” ଭାବେ ପାଳନ କରାଯାଏ।
ଆଜିର ବ୍ୟସ୍ତ ଜୀବନରେ ପଢ଼ାଶୁଣା, ଚାକିରି ଓ କାମରେ ଅନେକ ପିଲା ପରିବାରଠାରୁ ଦୂରେ ରହୁଛନ୍ତି । ଏହି ବିଶେଷ ଦିନରେ ସେମାନେ ନିଜ ମା’ଙ୍କ ସହ ସମୟ କାଟିବାକୁ ଚେଷ୍ଟା କରନ୍ତି। କେହି ଉପହାର ଦେଇଥାନ୍ତି ତ ଆଉ କେହି ସୋସିଆଲ ମିଡିଆରେ ଫଟୋ ସେୟାର କରି “Happy Mother’s Day” ଲେଖି ମା’ଙ୍କ ପ୍ରତି ଭଲପାଇବା ପ୍ରକାଶ କରନ୍ତି। ଏହି ଦିନଟି କେବଳ ଉତ୍ସବ ନୁହେଁ, ବରଂ ମା’ଙ୍କ ଅବଦାନକୁ ସ୍ମରଣ କରିବାର ଏକ ସୁନ୍ଦର ଅବସର।
କ’ଣ କୁହେ ଇତିହାସ ?
ମାତୃ ଦିବସର ଇତିହାସ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ପ୍ରାଚୀନ ଗ୍ରୀସ୍ ଓ ରୋମ୍ ସଭ୍ୟତାରେ ମାତୃ ଶକ୍ତିଙ୍କୁ ସମ୍ମାନ ଦେଇ ପର୍ବ ପାଳନ କରାଯାଉଥିଲା। ପରେ ଖ୍ରୀଷ୍ଟିୟ ଧର୍ମରେ ମାତା ମରିୟମଙ୍କୁ ସମ୍ମାନ ଦେବା ପାଇଁ “Mothering Sunday” ପାଳନ ଆରମ୍ଭ ହେଲା। ଆଧୁନିକ ମାତୃ ଦିବସର ଆରମ୍ଭ ଆମେରିକାରୁ ହୋଇଥିଲା। ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ତାଙ୍କ ମା’ ଆନ୍ ରିଭସ୍ ଜାରଭିସଙ୍କ ସ୍ମୃତିରେ ଏହି ଦିବସ ପାଳନର ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ମା’ ଜଣେ ସମାଜସେବୀ ଥିଲେ ଏବଂ ଯୁଦ୍ଧ ସମୟରେ ଆହତ ସୈନିକମାନଙ୍କ ସେବା କରୁଥିଲେ। ଆନ୍ନାଙ୍କ ଅବିରତ ପ୍ରୟାସ ପରେ ୧୯୧୪ ମସିହାରେ ଆମେରିକାରେ ମାତୃ ଦିବସକୁ ଜାତୀୟ ଛୁଟିଦିନ ଭାବେ ଘୋଷଣା କରାଯାଇଥିଲା। ପରେ ଏହା ଧୀରେ ଧୀରେ ସମଗ୍ର ବିଶ୍ୱରେ ପ୍ରଚଳିତ ହେଲା।
ତେବେ ମାତୃ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ମା’ଙ୍କ ପ୍ରତି ଭଲପାଇବା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିବା। ମା’ ହେଉଛନ୍ତି ସନ୍ତାନଙ୍କ ପ୍ରଥମ ଶିକ୍ଷକ ଓ ସବୁଠାରୁ ବଡ ଶକ୍ତି। ତେଣୁ ତାଙ୍କ ପାଇଁ କିଛି ସମୟ ବାହାର କରି ତାଙ୍କୁ ଖୁସି ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଭାରତରେ ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ଏହି ଦିବସ ଉତ୍ସାହ ଓ ଭାବନାର ସହ ପାଳନ କରାଯାଏ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
