Explore

Search

May 14, 2026 8:26 pm

ଚୀନ୍ ପହଞ୍ଚିଲେ ଟ୍ରମ୍ପ, କିନ୍ତୁ ସ୍ୱାଗତ ପାଇଁ ଆସିଲେନି ସି ଜିନପିଙ୍ଗ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଚୀନ୍ ଗସ୍ତରେ ବେଜିଂ ପହଞ୍ଚିଛନ୍ତି । ଏହି ଗସ୍ତକୁ ନେଇ ବିଶ୍ୱର ନଜର ଚୀନ୍-ଆମେରିକା ସମ୍ପର୍କ ଉପରେ ଥିବାବେଳେ, ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଲା ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍ ନିଜେ ବିମାନବନ୍ଦରକୁ ଯାଇ ଟ୍ରମ୍ପଙ୍କୁ ସ୍ୱାଗତ କରିନଥିବା ଘଟଣା । ଏହାକୁ ନେଇ ଆନ୍ତର୍ଜାତୀୟ କୂଟନୀତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି ।

ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଚୀନ୍‌ର ଉପରାଷ୍ଟ୍ରପତି ହାନ୍ ଝେଙ୍ଗ୍ ବେଜିଂ ବିମାନବନ୍ଦରରେ ଉପସ୍ଥିତ ଥିଲେ । ତାଙ୍କ ସହ ଆମେରିକାରେ ଚୀନର ରାଷ୍ଟ୍ରଦୂତ ସି ପିଙ୍ଗ, ଚୀନରେ ଆମେରିକାର ରାଷ୍ଟ୍ରଦୂତ ଡେଭିଡ୍ ପେର୍ଡ୍ୟୁ ଏବଂ ଚୀନ୍‌ର କାର୍ଯ୍ୟକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

କାହିଁକି ଯାଇନଥିଲେ ସି ଜିନପିଙ୍ଗ ?

ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ, ଏହା କେବଳ ପ୍ରୋଟୋକଲ୍‌ର ବିଷୟ ନୁହେଁ, ବରଂ ଏକ ସୂକ୍ଷ୍ମ କୂଟନୀତିକ ସନ୍ଦେଶ ମଧ୍ୟ ହୋଇପାରେ । କାରଣ ଆମେରିକା ଓ ଚୀନ୍‌ ମଧ୍ୟରେ ଗତ କିଛି ବର୍ଷ ଧରି ଟାରିଫ ଯୁଦ୍ଧ, ଟେକ୍ନୋଲୋଜି ନିୟନ୍ତ୍ରଣ, ତାଇୱାନ ପ୍ରସଙ୍ଗ ଏବଂ ଇଣ୍ଡୋ-ପାସିଫିକ ରଣନୀତିକୁ ନେଇ ତୀବ୍ର ଅସନ୍ତୋଷ ଚାଲିଛି । ଏହି ପରିସ୍ଥିତିରେ ସି ଜିନପିଙ୍ଗଙ୍କ ଅନୁପସ୍ଥିତିକୁ ଅନେକେ ଏକ କୂଟନୀତିକ ଦୂରତାର ସଙ୍କେତ ଭାବେ ଦେଖୁଛନ୍ତି ।

ବିଶେଷ କଥା ହେଉଛି, ୨୦୧୭ ମସିହାରେ ଟ୍ରମ୍ପ ପ୍ରଥମ ଥର ପାଇଁ ଚୀନ ଗସ୍ତ କରିଥିବା ବେଳେ ମଧ୍ୟ ସି ଜିନପିଙ୍ଗ ବିମାନବନ୍ଦରକୁ ଯାଇନଥିଲେ । ସେତେବେଳେ ଚୀନର ଜଣେ ବରିଷ୍ଠ ଅଧିକାରୀ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ । ତଥାପି ଏଥର ଉପରାଷ୍ଟ୍ରପତିଙ୍କୁ ପଠାଯାଇଥିବାରୁ ଏହାକୁ କିଛିଟା ଅଧିକ ଗୁରୁତ୍ୱ ଦିଆଯାଉଛି ।

ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କ କଡ଼ା ବୟାନ
ଚୀନ ଗସ୍ତ ପୂର୍ବରୁ ଟ୍ରମ୍ପ ଇରାନକୁ ନେଇ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ ଯେ ଇରାନ ସହ ଚାଲିଥିବା ବିବାଦର ସମାଧାନ ପାଇଁ ଆମେରିକାକୁ କାହାର ସାହାଯ୍ୟ ଦରକାର ନାହିଁ । ଆମେ ଶାନ୍ତିପୂର୍ଣ୍ଣ ଉପାୟରେ ହେଉ କିମ୍ବା ଆବଶ୍ୟକ ହେଲେ ଅନ୍ୟ ପଦକ୍ଷେପ ନେଇ, ଏହି ସଂଘର୍ଷରେ ବିଜୟୀ ହେବୁ ବୋଲି ଟ୍ରମ୍ପ କହିଛନ୍ତି ।

ଟାରିଫ୍, ଟ୍ରେଡ୍ ଓ ସୁରକ୍ଷା ଉପରେ ହେବ ବଡ଼ ଆଲୋଚନା

ଟ୍ରମ୍ପଙ୍କ ଏହି ଚୀନ୍‌ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବ୍ୟାପାରିକ ସମ୍ପର୍କ, ଆମଦାନି-ରପ୍ତାନି ଶୁଳ୍କ, ଚିପ୍ ଏବଂ ଟେକ୍ନୋଲୋଜି ନିୟନ୍ତ୍ରଣ, ସାମରିକ ସୁରକ୍ଷା ଏବଂ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି । ବିଶ୍ୱ ଅର୍ଥନୀତିରେ ଚୀନ୍‌ ଓ ଆମେରିକାର ଭୂମିକା ଦୃଷ୍ଟିରୁ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score