Explore

Search

September 12, 2026 7:30 pm

ଚକ୍‌ରେ ବିଶ୍ୱନେତାଙ୍କ ପ୍ରତିକୃତି : ବ୍ରହ୍ମପୁର ଇଞ୍ଜିନିୟରଙ୍କୁ ଦକ୍ଷିଣ ଆଫ୍ରିକାର ଶୁଭେଚ୍ଛା

ବ୍ରହ୍ମପୁର : ଅତି କ୍ଷୁଦ୍ର ପରିସରରେ ବଡ଼ କଳାକୃତି। ଚକ୍‌ର ଏକ ଛୋଟ ଖଣ୍ଡରେ ବିଶ୍ୱନେତାଙ୍କ ପ୍ରତିକୃତି ଗଢ଼ି ନିଜର ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି ବ୍ରହ୍ମପୁରର ଯୁବ ଇଞ୍ଜିନିୟର କେ.ବିଜୟ କୁମାର ରେଡି । ଆଗାମୀ ବ୍ରିକ୍ସ ସମ୍ମିଳନୀକୁ ନଜରରେ ରଖି ସେ ଚକ୍‌ରେ ବ୍ରିକ୍ସ ସଦସ୍ୟ ଦେଶର ନେତା ଓ ସମ୍ମିଳନୀର ଲୋଗୋର କ୍ଷୁଦ୍ର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ।
ବିଜୟଙ୍କ ଏହି ଅନନ୍ୟ କଳାକୃତି ସମ୍ପର୍କରେ ଜାଣିବା ପରେ ଦକ୍ଷିଣ ଆଫ୍ରିକା ହାଇକମିଶନ ପକ୍ଷରୁ ତାଙ୍କୁ ଇ-ମେଲ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଯାଇଛି। ଏହି ଉତ୍ସାହଜନକ ପ୍ରତିକ୍ରିୟା ବିଜୟଙ୍କ କଳା ଯାତ୍ରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।

ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଗ୍ରାମର ବିଜୟ ଦୀର୍ଘଦିନ ଧରି କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରି ଆସୁଛନ୍ତି। ଏଥର ସେ ବ୍ରାଜିଲ୍‌, ରୁଷିଆ, ଭାରତ, ଚୀନ୍‌ ଓ ଦକ୍ଷିଣ ଆଫ୍ରିକାର ନେତାଙ୍କ କ୍ଷୁଦ୍ର ପ୍ରତିକୃତି ଚକ୍‌ରେ ଖୋଦେଇ କରିଛନ୍ତି। ପ୍ରତ୍ୟେକ ପ୍ରତିକୃତିର ଉଚ୍ଚତା ପ୍ରାୟ ୧ ସେଣ୍ଟିମିଟର ରହିଥିବା ବେଳେ ବ୍ରିକ୍ସର ଲୋଗୋକୁ ମାତ୍ର ୫ ମିଲିମିଟର ଆକାରରେ ତିଆରି କରିଛନ୍ତି।
ବିଜୟଙ୍କ କ୍ଷୁଦ୍ର କଳା ପ୍ରତି ଆଗ୍ରହ ନୂଆ ନୁହେଁ। ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ସମୟରୁ ସେ ଚକ୍‌ରେ ବିଭିନ୍ନ ପ୍ରକାରର ଛୋଟ କଳାକୃତି ତିଆରି କରି ଆସୁଛନ୍ତି। ଏହି ପ୍ରତିଭା ପାଇଁ ସେ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ସମ୍ମାନ ପାଇବା ସହ ନିଜ ନାମରେ ବିଭିନ୍ନ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। କଳାକୃତି କ୍ଷେତ୍ରରେ ସେ ଗିନିଜ ବିଶ୍ୱ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି।
ବର୍ତ୍ତମାନ ବିଜୟ ଜଣେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ କଳା ପ୍ରତି ତାଙ୍କର ଆଗ୍ରହ କମିନାହିଁ। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାକୁ ନିଜ କଳା ମାଧ୍ୟମରେ ଉପସ୍ଥାପନ କରିବା ତାଙ୍କର ଏକ ବିଶେଷ ପ୍ରୟାସ ହୋଇ ରହିଛି।

ବ୍ରିକ୍ସକୁ ନେଇ ଏହି କଳାକୃତି ପ୍ରସ୍ତୁତ କରିବାର ଯୋଜନା ସେ ପ୍ରାୟ ଏକ ମାସ ପୂର୍ବରୁ କରିଥିଲେ। ପ୍ରତ୍ୟେକ ପ୍ରତିକୃତି ପ୍ରସ୍ତୁତ କରିବାକୁ ପ୍ରାୟ ୨ରୁ ୩ ଦିନ ସମୟ ଲାଗିଥିବା ସେ କହିଛନ୍ତି। କଳାକୃତିଗୁଡ଼ିକ ପ୍ରସ୍ତୁତ ହେବା ପରେ ସେ ଭାରତ ବ୍ୟତୀତ ବ୍ରିକ୍ସର ଅନ୍ୟ ସଦସ୍ୟ ଦେଶଗୁଡ଼ିକର ହାଇକମିଶନକୁ ଏହା ସମ୍ପର୍କରେ ପତ୍ର ମାଧ୍ୟମରେ ଜଣାଇଥିଲେ।
ଏହାର ପ୍ରତିକ୍ରିୟାରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ହାଇକମିଶନ ପକ୍ଷରୁ ତାଙ୍କୁ ଇ-ମେଲ୍‌ ମାଧ୍ୟମରେ ଅଭିନନ୍ଦନ ଓ ଶୁଭେଚ୍ଛା ମିଳିଛି। ଏହା ବିଜୟଙ୍କ ପାଇଁ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶାର କଳା ପ୍ରତିଭାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ଏକ ସୁନ୍ଦର ଉଦାହରଣ।

ଚକ୍‌ ଭଳି ଏକ ସାଧାରଣ ମାଧ୍ୟମକୁ ବ୍ୟବହାର କରି ବିଶ୍ୱସ୍ତରୀୟ ଘଟଣାକୁ କଳାର ରୂପ ଦେଇ ବିଜୟ ଦେଖାଇଛନ୍ତି ଯେ ପ୍ରତିଭା ଓ ସୃଜନଶୀଳତା ଥିଲେ ଛୋଟ ମାଧ୍ୟମରେ ମଧ୍ୟ ବଡ଼ ବାର୍ତ୍ତା ଦିଆଯାଇପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score