Explore

Search

May 15, 2026 8:19 pm

ଗୋଳନ୍ଥରାରେ ଭବ୍ୟ ‘ସାବିତ୍ରୀ ଯୋଗଡା’ ଆୟୋଜନ : ମା’ ଓ ଭଉଣୀଙ୍କୁ ମନ୍ତ୍ରୀ ଦେଲେ ସାବିତ୍ରୀ ଉପହାର

ଗଞ୍ଜାମ : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ପ୍ରସିଦ୍ଧ ଶ୍ରୀ ଇଶାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଗାମୀ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଏକ ଭବ୍ୟ “ସାବିତ୍ରୀ ଯୋଗଡା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀଙ୍କ ଦୀର୍ଘାୟୁ, ପରିବାରର ସୁଖ-ଶାନ୍ତି ଓ ସମୃଦ୍ଧି କାମନାରେ ପାଳନ କରାଯାଉଥିବା ସାବିତ୍ରୀ ବ୍ରତ ପୂର୍ବରୁ ୧୨୦୦ ରୁ ଅଧିକ ସାବିତ୍ରୀ ମା’ମାନଙ୍କ ମଙ୍ଗଳ କାମନା ପାଇଁ ଏହି ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା।

ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଭକ୍ତ, ସାଧାରଣ ଲୋକ ଓ ସାବିତ୍ରୀ ମା’ ଓ ଭଉଣୀ ମାନେ ଯୋଗଦେଇ ଭକ୍ତିମୟ ପରିବେଶକୁ ଅଧିକ ଉତ୍ସାହିତ କରିଥିଲେ। ବେଦମନ୍ତ୍ର ଓ ଭଜନ-କୀର୍ତ୍ତନର ଧ୍ୱନିରେ ସମଗ୍ର ମନ୍ଦିର ପରିସର ଆଧ୍ୟାତ୍ମିକ ମାହୋଲରେ ମୁଗ୍ଧ ହୋଇଉଠିଥିଲା। ସାବିତ୍ରୀମାନଙ୍କ ପାଇଁ ବିଶେଷ ପୂଜାର୍ଚ୍ଚନା, ଯୋଗଡା ସାମଗ୍ରୀ ବଣ୍ଟନ ଓ ଆଶୀର୍ବାଦ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଏହି ଅବସରରେ ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ସୁରମା ପାଢ଼ୀ, ଆସ୍କା ସାଂସଦ ଶ୍ରୀମତୀ ଅନୀତା ସୁଭଦର୍ଶିନୀ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ସହ ବିଭିନ୍ନ ଜନପ୍ରତିନିଧି ଉପସ୍ଥିତ ରହି ସାବିତ୍ରୀ ମା’ ଓ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଶ୍ରୀ ପ୍ରତାପ ନାୟକ, ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ମଞ୍ଚାସୀନ ହୋଇ ମହିଳାମାନଙ୍କ ସାମାଜିକ ଓ ପାରିବାରିକ ଭୂମିକାକୁ ପ୍ରଶଂସା କରିଥିଲେ। ସେମାନେ ନିଜ ଉଦ୍ବୋଧନରେ ସାବିତ୍ରୀ ବ୍ରତର ପାରମ୍ପରିକ ମହତ୍ତ୍ୱ ଓ ଭାରତୀୟ ସଂସ୍କୃତିରେ ନାରୀଶକ୍ତିର ଗୌରବମୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ।

ଭର୍ଚୁଆଲ୍ ମାଧ୍ୟମରେ କାଶୀ ସୁମେରୁ ପୀଠାଧୀଶ୍ୱର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିତ୍ୟାନନ୍ଦ ସରସ୍ୱତୀଜୀ ମହାରାଜ ଓ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ ଯୋଗଦେଇଥିଲେ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ବାର୍ତ୍ତାରେ ସମସ୍ତ ସାବିତ୍ରୀ ମା’ମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ସଂସାରରେ ଶାନ୍ତି, ସମ୍ପ୍ରତି ଓ ସଂସ୍କାରର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ତାଙ୍କ ଆଶୀର୍ବାଚନ ଉପସ୍ଥିତ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଭାବେ ଅନୁପ୍ରାଣିତ କରିଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ସାବିତ୍ରୀ ମା’ ଓ ଭଉଣୀଙ୍କୁ ସାବିତ୍ରୀ ଉପହାର ମଧ୍ୟ ଦେଇଛନ୍ତି ।

କାର୍ଯ୍ୟକ୍ରମ ଶେଷରେ ସମସ୍ତ ସାବିତ୍ରୀ ମା’ ଓ ଭଉଣୀମାନଙ୍କ ସୁଖ, ସମୃଦ୍ଧି ଓ ପରିବାରର କଲ୍ୟାଣ କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଏହି ଆୟୋଜନ ମାଧ୍ୟମରେ ସମାଜରେ ନାରୀମାନଙ୍କ ପ୍ରତି ସମ୍ମାନ, ସଂସ୍କୃତିର ସୁରକ୍ଷା ଓ ଆଧ୍ୟାତ୍ମିକ ଚେତନାର ସନ୍ଦେଶ ପ୍ରସାରିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବିଶେଷ ପ୍ରଶଂସା ଦେଖିବାକୁ ମିଳିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score