Explore

Search

July 9, 2026 9:02 pm

ଗଭୀର ସମୁଦ୍ର ମତ୍ସ୍ୟପାଳନରେ ନୂଆ ଯୁଗ: ଭୁବନେଶ୍ୱରରୁ ଜାତୀୟସ୍ତରରେ LoA କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ଆଧୁନିକ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସି.ପି. ରାଧାକୃଷ୍ଣନ୍ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ପାଇଁ ଅନୁମୋଦନ ପତ୍ର (LoA)’ କାର୍ଯ୍ୟକ୍ରମର ଜାତୀୟ ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ଭାରତର ନୀଳ ଅର୍ଥବ୍ୟବସ୍ଥା ଓ ମତ୍ସ୍ୟ ଶିଳ୍ପକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସି.ପି. ରାଧାକୃଷ୍ଣନ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଓଡ଼ିଆ ଭାଷାରେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା, ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବର ଉଲ୍ଲେଖ କରି କହିଥିଲେ ଯେ, ଆଜିର ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ସେହି ଐତିହାସିକ ଗୌରବକୁ ଆଧୁନିକ ପ୍ରଯୁକ୍ତି ସହିତ ପୁନର୍ଜୀବିତ କରିବ।

ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଦେଶର ମତ୍ସ୍ୟଜୀବୀମାନେ ନିଜ ପରିଶ୍ରମ ଦ୍ୱାରା ଅର୍ଥନୀତିକୁ ଶକ୍ତିଶାଳୀ କରୁଛନ୍ତି ଏବଂ ସାମୁଦ୍ରିକ ଖାଦ୍ୟ ବିଶ୍ୱରେ ପ୍ରୋଟିନର ଏକ ପ୍ରମୁଖ ଉତ୍ସ ଭାବେ ପରିଚିତ ହୋଇଛି।

ଉପରାଷ୍ଟ୍ରପତି କହିଥିଲେ ଯେ, ‘ଭାରତୀୟ-ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା-୨୦୨୫’ ଅନୁଯାୟୀ LoA ହାସଲ କରିବା ବାଧ୍ୟତାମୂଳକ। ଏହା ମାଛଧରା କ୍ଷେତ୍ରରେ ସ୍ୱଚ୍ଛତା, ଜବାବଦେହିତା ଓ ଆଧୁନିକ ତଥ୍ୟ ପରିଚାଳନାକୁ ସୁନିଶ୍ଚିତ କରିବ। ଅନଲାଇନ୍ ଟ୍ରାକିଂ ଓ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ମତ୍ସ୍ୟଜୀବୀ ଓ ଜାହାଜ ମାଲିକମାନଙ୍କ ପାଇଁ ନିୟମ ପାଳନ ସହଜ ହେବ।

ଏହି ଅବସରରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ LoA ପ୍ରଦାନ କରାଯାଇଥିଲା। ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ରାଜ୍ୟପାଳ କହିଥିଲେ ଯେ, ଭାରତର ବିସ୍ତୃତ ଉପକୂଳ ଅଞ୍ଚଳ ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କ ଜୀବିକାର ଆଧାର। LoA ବ୍ୟବସ୍ଥା ମାଧ୍ୟମରେ ମତ୍ସ୍ୟଜୀବୀ ପରିବାରମାନଙ୍କ ଆର୍ଥିକ ସ୍ଥିତି ଅଧିକ ସୁଦୃଢ଼ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଥିଲେ ଯେ, ଗଭୀର ସମୁଦ୍ର ମାଛଧରା ପାଇଁ LoA କାର୍ଯ୍ୟକ୍ରମର ଜାତୀୟ ଶୁଭାରମ୍ଭ ଓଡ଼ିଶାରେ ହେବା ରାଜ୍ୟ ପାଇଁ ଗର୍ବର ବିଷୟ। ଓଡ଼ିଶାର ପ୍ରାୟ ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ଏହାଦ୍ୱାରା ଉପକୃତ ହେବେ ଏବଂ ରାଜ୍ୟର ନୀଳ ଅର୍ଥବ୍ୟବସ୍ଥାକୁ ନୂଆ ଗତି ମିଳିବ।

ବର୍ତ୍ତମାନ ଉପକୂଳ ଅଞ୍ଚଳରେ ସୀମିତ ଥିବା ମାଛଧରା କାର୍ଯ୍ୟକଳାପକୁ ଗଭୀର ସମୁଦ୍ର ପର୍ଯ୍ୟନ୍ତ ବିସ୍ତାର କରିବାରେ ଏହି ନୂତନ ନୀତି ସହାୟକ ହେବ। ବିଶେଷକରି ମାଛ ଧରିବାର ସୁଯୋଗ ବଢ଼ିବା ସହିତ ରପ୍ତାନି, ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ମଧ୍ୟ ଶକ୍ତିଶାଳୀ କରିବ।

ଏହି ଅବସରରେ ଉପରାଷ୍ଟ୍ରପତି ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ (୨୦୨୬-୨୦୩୬)’ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରିଥିଲେ। କେନ୍ଦ୍ର ମତ୍ସ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ ବିଭିନ୍ନ ମତ୍ସ୍ୟ ସମବାୟ ସମିତି ଓ ଜାହାଜ ମାଲିକଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ପ୍ରଦାନ କରାଯାଇଥିଲା। ଏହା ମାଧ୍ୟମରେ ଯୋଗ୍ୟ ଭାରତୀୟ ଜାହାଜ ଗୁଡ଼ିକୁ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ମାଛଧରା ପାଇଁ ଅନୁମତି ମିଳିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score