Explore

Search

May 12, 2026 10:23 pm

ଗଞ୍ଜାମ ଲକ୍ଷ୍ୟ ନିକେତନ ଯୋଜନାରେ ସିଭିଲ ସର୍ଭିସ ଆଶାୟୀଙ୍କୁ ମାଗଣା ତାଲିମ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମେଧାବୀ ଯୁବତୀଯୁବକଙ୍କୁ “ଗଞ୍ଜାମ ଲକ୍ଷ୍ୟ ନିକେତନ” ଯୋଜନା ମାଧ୍ୟମରେ ଉନ୍ନତ ତାଲିମ ପ୍ରଦାନ କରାଯାଉଛି । ପ୍ରାୟ ୨୦ ଦିନ ଧରି ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମକୁ ସୋମବାର ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ଅଚାନକ ପରିଦର୍ଶନ କରିଥିଲେ।

ଜିଲ୍ଲାପାଳ ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇବାକୁ କିପରି ପ୍ରସ୍ତୁତି କରିବେ ସେନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହାସହ ନିଜ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ଯୁବପୀଢ଼ିଙ୍କୁ ପ୍ରେରିତ କରିଥିଲେ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ସହକାରୀ ଉପଜିଲ୍ଲାପାଳ ପ୍ରଧାନ ତୁଲିଆମା ଓ ବିଡିଓ ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଫଳ କରିବାରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ଓ ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ନାୟକ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ପୂର୍ବରୁ ଉଚିତ ତାଲିମ ବ୍ୟବସ୍ଥା ନଥିଲା। ବିଶେଷ କରି ଆର୍ଥିକ ଭାବେ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀ ବାହାରକୁ ଯାଇ ପ୍ରଶିକ୍ଷଣ ନେବାରେ ସମସ୍ୟା ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ “ଗଞ୍ଜାମ ଲକ୍ଷ୍ୟ ନିକେତନ” ଯୋଜନା ଆରମ୍ଭ କରିଥିଲେ ।

ଏହି ଯୋଜନା ଅନ୍ତର୍ଗତ ଭଞ୍ଜନଗର, ବ୍ରହ୍ମପୁର ଓ ଛତ୍ରପୁରରେ ମୋଟ ୩ଟି ତାଲିମ କେନ୍ଦ୍ର ଖୋଲାଯାଇଛି । ଚୟନିତ ମେଧାବୀ ଯୁବତୀଯୁବକଙ୍କୁ ଏଠାରେ ସୁବିଧାଜନକ ପରିବେଶରେ ପ୍ରଶିକ୍ଷଣ ଦିଆଯାଉଛି । ଭଞ୍ଜନଗର କେନ୍ଦ୍ରରେ ବର୍ତ୍ତମାନ ୪୦ଜଣ ଆଶାୟୀ ତାଲିମ ଗ୍ରହଣ କରୁଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅନଲାଇନ ପାଠଦାନ, ଲାଇବ୍ରେରୀ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି । ସେହିପରି ଜିଲ୍ଲାର ଅଭିଜ୍ଞ ଓ ଦକ୍ଷ ଅଧିକାରୀମାନେ ବିଭିନ୍ନ ସମୟରେ ଆସି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରୁଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score