Explore

Search

September 15, 2026 8:06 pm

କୋରାପୁଟିଆ ଢେମସା ନୃତ୍ୟରେ ଦୁଲକିଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ : ପୁଣି ଦୁଲକିଲା ରାଷ୍ଟ୍ରପତି ଭବନ। କୋରାପୁଟର ଢେମସା ନୃତ୍ୟରେ ଗୁଞ୍ଜରି ଉଠିଥିଲା ରାଷ୍ଟ୍ରପତି ଭବନ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ୫ଟି ସାଂସ୍କୃତିକ ଦଳ ନିଜର ପାରମ୍ପରିକ କଳା ପରିବେଷଣ କରିଥିଲେ। ଏଥିରେ ଅବିଭକ୍ତ କୋରାପୁଟ ଅଞ୍ଚଳର ଦୁଇଟି ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।

ରାୟଗଡ଼ା ଜିଲ୍ଲାର ଲାଞ୍ଜିଆ ସୌରା ଦଳ ସହ କୋରାପୁଟ ଜିଲ୍ଲା କୋଟପାଡ଼ର କଳା ବିକାଶ କେନ୍ଦ୍ରକୁ ଏହି ଉତ୍ସବରେ କଳା ପ୍ରଦର୍ଶନ ପାଇଁ ଆମନ୍ତ୍ରଣ କରାଯାଇଥିଲା । କୋଟପାଡ଼ର କଳା ବିକାଶ କେନ୍ଦ୍ରର ୧୬ ଜଣିଆ ଦଳ ରାଷ୍ଟ୍ରପତି ଭବନରେ କୋରାପୁଟର ପାରମ୍ପରିକ ଢେମସା ନୃତ୍ୟ ପରିବେଷଣ କରିଥିଲେ ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଭବନ ଭଳି ଏକ ବିଶେଷ ସ୍ଥାନରେ କୋରାପୁଟର ଲୋକନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇ ଦଳର କଳାକାରମାନେ ନିଜକୁ ଖୁବ ଗର୍ବିତ ଅନୁଭବ କରିଛନ୍ତି ।
ନୂଆଁଖାଇ ଉତ୍ସବରେ ଯୋଗଦେବା ପାଇଁ ଉଭୟ ସାଂସ୍କୃତିକ ଦଳକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ୱତନ୍ତ୍ର ଆମନ୍ତ୍ରଣପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ କୋଟପାଡ଼ କଳା ବିକାଶ କେନ୍ଦ୍ରର କଳାକାରମାନେ ରବିବାର ଭୁବନେଶ୍ୱରରୁ ବିମାନ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଥିଲେ।

ଢେମସା ଦଳରେ ସହଦେବ ବିଶୋଇ, ଶ୍ରୀତମ ସାମନ୍ତରାୟ, ଶଙ୍କର କୁମାର ନାୟକ, କପିଳେଶ ନାୟକ, ସୁରେଶ ହରିଜନ, ଧନସାଇ ହରିଜନ, ଭୁବନ ରନ୍ଧାରୀ, ଚନ୍ଦନ ସ୍ୱାଇଁ, ନିତା କୁମାରୀ ଭୂମିଆ, ଦେବୀ ତୁଲସା ବାଗଦେରିଆ, ରଶ୍ମିତା ବାଗ୍‌ଦେରିଆ, ବେଡେଶ୍ୱରୀ ଗଣ୍ଡା, ମାଳତି ବିନ୍ଧାଣୀ, ମମତା ସମରଥ ଓ ଅନିତା ହରିଜନଙ୍କ ସମେତ ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ ଗତ ୨୦୧୪ ମସିହାରେ କଳା ବିକାଶ କେନ୍ଦ୍ର ଗଠିତ ହୋଇଥିଲା। ପାରମ୍ପରିକ ଢେମସା ନୃତ୍ୟକୁ ଜାତୀୟସ୍ତରରେ ପରିଚିତ କରାଇବାରେ ଏହି ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୨୦ରେ ଲକ୍ଷ୍ନୌରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବରେ ଦଳ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରିଥିଲା।

ଏହାଛଡ଼ା ୨୦୨୩ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଅନ୍ତର୍ଜାତୀୟ ଆଦିବାସୀ ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଦଳ ଢେମସା ପରିବେଷଣ କରିଥିଲା। ଆସାମର ଗୌହାଟିରେ ଆୟୋଜିତ ‘ଓଡ଼ିଶା ପରବ’ ମହୋତ୍ସବ ଏବଂ ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରାରେ ମଧ୍ୟ ଦଳର କଳାକାରମାନେ ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଁଟିଥିଲେ।

ଏବେ ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଭବନରେ ପୁଣିଥରେ କୋରାପୁଟିଆ ଢେମସା ନୃତ୍ୟକୁ ସୁଯୋଗ ମିଳିଥିବାରୁ କୋରାପୁଟର ସମୃଦ୍ଧ ଆଦିବାସୀ ଓ ଲୋକସଂସ୍କୃତିକୁ ଜାତୀୟସ୍ତରରେ ଆଉ ଏକ ପରିଚୟ ଦେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score