Explore

Search

September 26, 2026 4:08 am

ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ

ନାଗାଲାଣ୍ଡର କୋନ୍ୟାକ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ଅଙ୍ଘ’ ଅନ୍ତର୍ଜାତୀୟ ସିନେମା ଜଗତରେ ଭାରତ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଟରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନଜନକ ‘ପ୍ଲାଟ୍‌ଫର୍ମ ପ୍ରାଇଜ’ ହାସଲ କରିବା ପରେ ଫିଲ୍ମଟି ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ଅନ୍ୟ ଏକ ଚଳଚ୍ଚିତ୍ର ଚୟନ ହୋଇଥିବା ସତ୍ତ୍ୱେ, ବିଶେଷ ନିୟମ ଅନୁସାରେ ‘ଅଙ୍ଘ’ ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ସିଧାସଳଖ ଯୋଗ୍ୟତା ହାସଲ କରିଛି।

ନିର୍ଦ୍ଦେଶକ ଥେଜା ରିଓଙ୍କ ଏହି ଫିଲ୍ମର କାହାଣୀ ୧୯୬୩ ମସିହାର ଗ୍ରାମୀଣ ନାଗାଲାଣ୍ଡକୁ କେନ୍ଦ୍ର କରି ଗଢ଼ାଯାଇଛି। କୋନ୍ୟାକ ନାଗା ସମ୍ପ୍ରଦାୟର ପୁରୁଣା ପରମ୍ପରା, ଆସ୍ଥା ଓ ଜୀବନଶୈଳୀ ସହ ଦ୍ରୁତ ବଦଳୁଥିବା ସମାଜର ସଂଘାତକୁ ଫିଲ୍ମରେ ଦେଖାଯାଇଛି। ଏହା କେବଳ ଏକ ଐତିହାସିକ କାହାଣୀ ନୁହେଁ, ବରଂ ନିଜ ସଂସ୍କୃତିକୁ ଧରି ରଖିବାର ଏକ ଭାବପ୍ରବଣ ସଂଘର୍ଷ।

କାହାଣୀର କେନ୍ଦ୍ରରେ ରହିଛନ୍ତି ଜଣେ ବୃଦ୍ଧ ଗ୍ରାମମୁଖିଆ ଏବଂ ତାଙ୍କ ଛୋଟ ପୁଅ। କୋନ୍ୟାକ ସମ୍ପ୍ରଦାୟରେ ଗ୍ରାମମୁଖିଆଙ୍କୁ ‘ଅଙ୍ଘ’ ବୋଲି କୁହାଯାଏ। ସମୟ ବଦଳିବା ସହ ଗ୍ରାମର ଅନେକ ପରିବାର ନୂଆ ଧାର୍ମିକ ବିଶ୍ୱାସ ଓ ଜୀବନ ପଦ୍ଧତି ଆପଣାଇଥିବା ବେଳେ, ଏହି ବୃଦ୍ଧ ନିଜ ପୂର୍ବପୁରୁଷଙ୍କ ପରମ୍ପରାକୁ ଛାଡ଼ିବାକୁ ରାଜି ହୁଅନ୍ତି ନାହିଁ।

ଗ୍ରାମ ସମାଜରୁ ଧୀରେ ଧୀରେ ଦୂରେଇ ଯାଉଥିବା ଏହି ବୃଦ୍ଧ ନିଜ ପୁଅକୁ ପାରମ୍ପରିକ ଜ୍ଞାନ, ରୀତିନୀତି ଓ ସଂସ୍କୃତି ବିଷୟରେ ଶିଖାନ୍ତି। ବାପା ଚାହାନ୍ତି ତାଙ୍କ ପୁଅ ନିଜ ମୂଳକୁ ଭୁଲି ନଯାଉ। ଅନ୍ୟପଟେ, ଚାରିପାଖର ସାମାଜିକ ପରିବର୍ତ୍ତନ ତାଙ୍କ ପରିବାର ଓ ଜୀବନକୁ ମଧ୍ୟ ପ୍ରଭାବିତ କରୁଥାଏ। ଏହି ଦ୍ୱନ୍ଦ୍ୱ ହିଁ ଫିଲ୍ମର କାହାଣୀକୁ ଆଗକୁ ନେଇଯାଏ।

‘ଅଙ୍ଘ’ ମାଧ୍ୟମରେ ନିର୍ଦ୍ଦେଶକ ଗୋଟିଏ ସମ୍ପ୍ରଦାୟର ସାଂସ୍କୃତିକ ପରିବର୍ତ୍ତନକୁ ପରଦାରେ ଉପସ୍ଥାପନ କରିଛନ୍ତି। ପୁରୁଣା ଓ ନୂଆ ଜୀବନଶୈଳୀ ମଧ୍ୟରେ ଥିବା ଟଣାପୋଡ଼, ପରମ୍ପରାକୁ ରକ୍ଷା କରିବାର ଚେଷ୍ଟା ଏବଂ ପରିବର୍ତ୍ତନକୁ ସାମ୍ନା କରୁଥିବା ଏକ ପରିବାରର ଭାବନାକୁ ଫିଲ୍ମଟି ଗୁରୁତ୍ୱ ଦେଇଛି।

ଚଳଚ୍ଚିତ୍ରରେ ସ୍କଟିସ୍ ଅଭିନେତା ଡଗ୍ଲାସ୍ ହେନ୍‌ସଲଙ୍କ ସହ ନାଗାଲାଣ୍ଡର କଳାକାର ଅଙ୍ଘଲୋଙ୍ଗ କୋନ୍ୟାକ ଅଭିନୟ କରିଛନ୍ତି। ସୋବିନୋ ରେଙ୍ଗମା ଓ ଗେନପାଇ କୋନ୍ୟାକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମର ସଙ୍ଗୀତ ଦାୟିତ୍ୱ ତୁଲାଇଛନ୍ତି ସାଗର ଦେଶାଇ।

ଫିଲ୍ମଟିକୁ ଅଧିକ ବାସ୍ତବ ଓ ପ୍ରଭାବଶାଳୀ କରିବା ପାଇଁ ୧୬ଏମ୍‌ଏମ୍‌ ଫିଲ୍ମରେ ଶୁଟିଂ କରାଯାଇଛି। କୋନ୍ୟାକ ଭାଷା, ସ୍ଥାନୀୟ ପରିବେଶ ଓ ଜନଜାତି ସଂସ୍କୃତିର ଚିତ୍ରଣ ଏହି ଫିଲ୍ମକୁ ଏକ ଅଲଗା ପରିଚୟ ଦେଇଛି। ‘ଅଙ୍ଘ’ର ଅନ୍ତର୍ଜାତୀୟ ସଫଳତା ମାଧ୍ୟମରେ ନାଗାଲାଣ୍ଡର ଆଞ୍ଚଳିକ ଭାଷା ଓ ସଂସ୍କୃତି ମଧ୍ୟ ବିଶ୍ୱ ସିନେମାର ଦର୍ଶକଙ୍କ ନଜରକୁ ଆସିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score