ଭୁବନେଶ୍ୱର: “ଭାରତର ବିକାଶ କେବଳ ଗୋଟିଏ ଉପକୂଳକୁ ନେଇ ସୀମିତ ରହିପାରିବ ନାହିଁ। ଏବେ ପୂର୍ବ ଉପକୂଳର ସମୟ ଆସିଛି।” ଏଭଳି ଦୃଢ଼ ସନ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାକୁ ଭାରତର ପରବର୍ତ୍ତୀ ଶିଳ୍ପ ଶକ୍ତିକେନ୍ଦ୍ର ଭାବେ ଗଢ଼ି ତୋଳିବାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ମୁନ୍ଦ୍ରା ବନ୍ଦର ଗସ୍ତ ସମୟରେ ଶିଳ୍ପ ନେତାମାନଙ୍କୁ ସମ୍ବୋଧନ କରି ସେ “ଦ୍ୱି-ଉପକୂଳ ରଣନୀତି”ର ନୂଆ ମନ୍ତ୍ର ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପଶ୍ଚିମ ଉପକୂଳ ଦେଶର ବାଣିଜ୍ୟ ଓ ଶିଳ୍ପ ବିକାଶରେ ବଡ଼ ଭୂମିକା ନେଇଥିବାବେଳେ, ଏବେ ପୂର୍ବ ଉପକୂଳକୁ ସେହି ଗତିରେ ଆଗକୁ ଆଣିବା ଆବଶ୍ୟକ। ବିଶେଷ କରି ଓଡ଼ିଶା ପୂର୍ବ ଭାରତର ନୂଆ ଶିଳ୍ପ କେନ୍ଦ୍ର ଭାବେ ଉଭା ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆଗାମୀ ଦଶକରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଚାଳକ ହେବ ପୂର୍ବ ଉପକୂଳ। ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଓ ଇଣ୍ଡୋ-ପାସିଫିକ୍ ଦେଶମାନଙ୍କ ସହ ସାମୁଦ୍ରିକ ବାଣିଜ୍ୟ ବଢ଼ାଇବାରେ ଓଡ଼ିଶାର ସମ୍ଭାବନା ବହୁତ ବଡ଼ ବୋଲି ସେ ଉଲ୍ଲେଖ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ମୁନ୍ଦ୍ରା ଶିଳ୍ପାଞ୍ଚଳ ଓ ବିଶେଷ ଅର୍ଥନୈତିକ ଅଞ୍ଚଳ ପରିଦର୍ଶନ କରିଥିଲେ। କଣ୍ଟେନର ଜେଟି, ବୃହତ୍ କ୍ରୁଡ୍ କ୍ୟାରିଅର ଜେଟି, ତମ୍ବା ଉତ୍ପାଦନ କେନ୍ଦ୍ର, ସୌର ସେଲ୍ ଓ ପବନ ଚାଳିତ ଟର୍ବାଇନ୍ ଉପକରଣ ନିର୍ମାଣ ୟୁନିଟ୍ ବୁଲି ଦେଖିଥିଲେ।
ନିବେଶକମାନଙ୍କୁ ଆକର୍ଷିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏପର୍ଯ୍ୟନ୍ତ ରାଜ୍ୟରେ ୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାମ ଆରମ୍ଭ ହୋଇସାରିଛି । ଏହା ଓଡ଼ିଶାରେ ଶିଳ୍ପ ପରିବେଶ ଦୃଢ଼ ହେଉଥିବାର ସ୍ପଷ୍ଟ ସଙ୍କେତ ବୋଲି ସେ କହିଥିଲେ।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ କହିଥିଲେ ଯେ, ପାରାଦୀପ ବନ୍ଦର ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେଇଛି ଏବଂ ଏବେ ଧାମରା, ପାରାଦୀପ ଓ ଗୋପାଳପୁରକୁ କେନ୍ଦ୍ର କରି ବନ୍ଦର-ଭିତ୍ତିକ ଶିଳ୍ପାୟନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି।
ରାଜ୍ୟର ଉପକୂଳ ଭିତ୍ତିଭୂମି, ଲଜିଷ୍ଟିକ୍ସ ହବ୍, ଶିଳ୍ପ କରିଡର ଓ ବିଶେଷ ଅର୍ଥନୈତିକ ଅଞ୍ଚଳ ମିଶି ଓଡ଼ିଶାକୁ ଏକ ବୈଶ୍ୱିକ ମାନୁଫାକ୍ଚରିଂ ହବରେ ପରିଣତ କରିବା ଦିଗରେ ଦ୍ରୁତ ଗତିରେ କାମ ଚାଲିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
