Explore

Search

September 10, 2026 7:46 pm

ଓଡ଼ିଶାରେ ବଡ଼ ନିବେଶର ବାଟ ଖୋଲିଲା : ବିଶ୍ୱ ବଜାରରେ ସ୍ଥାନ ପାଇବ କଞ୍ଚା ହଳଦୀ

ଭୁବନେଶ୍ୱର : ଓଡ଼ିଶାକୁ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗସ୍ତର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କୁ ମିଳିଛି ବଡ଼ ସଫଳତା। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନାରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ଏବଂ ଆଦାନୀ ଗ୍ରୁପ୍‌ ସହ ୧୪ଟି ନୂଆ ପ୍ରକଳ୍ପ ପାଇଁ ବୁଝାମଣା ହୋଇଛି।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ପ୍ରାୟ ୨.୧୦୫ ଟ୍ରିଲିୟନ ଡଲାର, ଅର୍ଥାତ୍‌ ୨,୧୦,୫୦୦ କୋଟି ଟଙ୍କା ନିବେଶର ସମ୍ଭାବନା ରହିଛି। ଏହି ପ୍ରକଳ୍ପଗୁଡ଼ିକ ରୂପାୟଣ ହେଲେ ପ୍ରାୟ ୮ ଲକ୍ଷ ୬୮ ହଜାର ୨୦୦ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।

ଆଲୋଚନାରେ ରାଜ୍ୟରେ ଏକୀକୃତ ଆଲୁମିନିୟମ ପ୍ରକଳ୍ପ ଆଗେଇ ନେବା ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏଥିସହ ବାଣିଜ୍ୟ ଓ ବନ୍ଦର ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ବିଭିନ୍ନ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି।

ନୂଆ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଡାଉନଷ୍ଟ୍ରିମ ଶିଳ୍ପ, ସ୍ଲରି ପାଇପଲାଇନ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ରେୟାର ଆର୍ଥ ଉପାଦାନ, ରାସାୟନିକ ଓ ପେଟ୍ରୋକେମିକାଲ ଉତ୍ପାଦ, ନବୀକରଣୀୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଭିତ୍ତିଭୂମି ଭଳି କ୍ଷେତ୍ରକୁ ନେଇ ରହିଛି।

ଏହି ଗସ୍ତ ସମୟରେ ଓଡ଼ିଶାର ସ୍ଥାନୀୟ ଉତ୍ପାଦର ବିଶ୍ୱ ବଜାରରେ ପହଞ୍ଚ ବଢ଼ାଇବା ଉପରେ ମଧ୍ୟ ଜୋର ଦିଆଯାଇଛି। ବିଶେଷକରି ହଳଦୀ, ଅଦା ଭଳି ମସଲା ଏବଂ ସାମୁଦ୍ରିକ ଖାଦ୍ୟର ରପ୍ତାନି ବଢ଼ାଇବା ନେଇ ଆଲୋଚନା ହୋଇଛି। ଏହା ଦ୍ୱାରା ରାଜ୍ୟର ଶିଳ୍ପ, ବାଣିଜ୍ୟ ଓ ରପ୍ତାନି କ୍ଷେତ୍ରକୁ ନୂଆ ଗତି ମିଳିବା ସହ ଓଡ଼ିଶାର ଅର୍ଥନୀତିକୁ ଆହୁରି ମଜବୁତ କରିବାର ଆଶା ସୃଷ୍ଟି ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score