Explore

Search

June 13, 2026 1:23 pm

ଓଏସଆରଟିସି ବସରେ ମିଳିବ ନିଟ୍‌ (ୟୁଜି) ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଯାତ୍ରା

ଭୁବନେଶ୍ୱର : ନିଟ୍‌ (ୟୁଜି) ୨୦୨୬ ପୁନଃପରୀକ୍ଷାକୁ ନେଇ ଓଡ଼ିଶା ସରକାର ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତାମୂଳକ ଘୋଷଣା କରିଛନ୍ତି । ଆସନ୍ତା ୨୧ ଜୁନ୍‌ରେ ହେବାକୁ ଥିବା ଏହି ପୁନଃପରୀକ୍ଷାରେ ଯୋଗଦେବାକୁ ଥିବା ଛାତ୍ରଛାତ୍ରୀ ରାଜ୍ୟରେ ଚଳାଚଳ କରୁଥିବା ଓଏସଆରଟିସି ବସରେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନା ଅନୁସାରେ, ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ଆୟୋଜିତ ଏହି ପୁନଃପରୀକ୍ଷା ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରାୟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଗ୍ରୀଷ୍ମ ଋତୁର ତୀବ୍ର ଗରମ ଏବଂ ଯାତାୟାତ ଖର୍ଚ୍ଚର ଭାରକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ବିଭାଗୀୟ ଆଦେଶ ଅନୁଯାୟୀ, ପରୀକ୍ଷାର୍ଥୀମାନେ ନିଜର ବୈଧ ନିଟ୍‌ (ୟୁଜି) ଆଡମିଟ୍‌ କାର୍ଡ ଦେଖାଇ ଓଏସ୍‌ଆର୍‌ଟିସି ବସ୍‌ରେ ବିନା ଭଡ଼ାରେ ଯାତ୍ରା କରିପାରିବେ। ଦୂରଦୂରାନ୍ତରୁ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ବିଶେଷ ଭାବେ ଲାଭଦାୟକ ହେବ ବୋଲି କୁହାଯାଇଛି।

ଏହି ବ୍ୟବସ୍ଥାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC), ରାଜ୍ୟ ପରିବହନ ପ୍ରାଧିକରଣ (STA), ଜିଲ୍ଲା ପ୍ରଶାସନ, କ୍ରୁଟ୍‌ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଆବଶ୍ୟକ ସମନ୍ୱୟ ଓ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ବ୍ୟବସ୍ଥାର ଦୈନିକ ଅଗ୍ରଗତି ସମ୍ପର୍କରେ ସରକାରଙ୍କୁ ନିୟମିତ ଭାବେ ଅବଗତ କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

NTA ପକ୍ଷରୁ ଜାରି ସୂଚନା ଅନୁଯାୟୀ, ନିଟ୍‌ (ୟୁଜି) ୨୦୨୬ ପୁନଃପରୀକ୍ଷା ଆସନ୍ତା ୨୧ ଜୁନ୍‌ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ଏହାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛି ।

ପୂର୍ବରୁ ନିଯୁକ୍ତ ହୋଇଥିବା ପ୍ରିନ୍ସିପାଲ୍‌, ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପରୀକ୍ଷା କେନ୍ଦ୍ରରେ ସୁପରିଣ୍ଟେଣ୍ଡେଣ୍ଟ ଓ ବିଭିନ୍ନ ପ୍ରଶାସନିକ ଦାୟିତ୍ୱ ନିର୍ବାହ କରିବେ। ସେମାନଙ୍କୁ ୧୯ ଜୁନ୍‌ ସୁଦ୍ଧା ମୁଖ୍ୟାଳୟରେ ଉପସ୍ଥିତ ରହିବା ସହ ୨୦ ଜୁନ୍‌ରେ ଆୟୋଜିତ ମକ୍‌ ଡ୍ରିଲ୍‌ରେ ଅଂଶଗ୍ରହଣ କରିବାକୁ କୁହାଯାଇଛି। ପରୀକ୍ଷା ଦିନ ସମସ୍ତ ପ୍ରକ୍ରିୟା ଓ ଔପଚାରିକତା ସମାପ୍ତ ହେବା ପର୍ଯ୍ୟନ୍ତ କର୍ମଚାରୀମାନେ କେନ୍ଦ୍ରରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score