Explore

Search

August 12, 2026 1:39 am

ଏଆଇ ଯୁଗରେ ବଦଳୁଛି ଶିକ୍ଷାର ସଂଜ୍ଞା: ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତାକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର : ଏଆଇ ଯୁଗରେ ବଦଳୁଛି ଶିକ୍ଷାର ସଂଜ୍ଞା । ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତାକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଯୁଗ ବଦଳିବା ହିସାବରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ବା ଏଆଇର ଦ୍ରୁତ ବିସ୍ତାର ଶିକ୍ଷା କ୍ଷେତ୍ରରେ ଏକ ନୂଆ ପ୍ରଶ୍ନ ଉଠାଇଛି । ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କଣ କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ହାସଲ କରିବା, ନା ଜୀବନରେ ଆବଶ୍ୟକ ଦକ୍ଷତା ଅର୍ଜନ କରିବା ?

ବିଶେଷଜ୍ଞମାନଙ୍କ ମତରେ, ଦେଶର ଶିକ୍ଷା ବ୍ୟବସ୍ଥା ବର୍ଷ ବର୍ଷ ଧରି ଜ୍ଞାନ ଓ କୌଶଳ ବିକାଶ ଅପେକ୍ଷା ମାର୍କ ଓ ସାର୍ଟିଫିକେଟ୍ ପ୍ରାପ୍ତି ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛି । ଛାତ୍ରଛାତ୍ରୀମାନେ ଏକ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଛନ୍ତି, ଡିଗ୍ରୀ ମଧ୍ୟ ପାଉଛନ୍ତି, କିନ୍ତୁ ଅନେକ କ୍ଷେତ୍ରରେ ମୌଳିକ ଜ୍ଞାନ ଓ ଦକ୍ଷତାର ଅଭାବ ଦେଖାଯାଉଛି।

ଜାତୀୟସ୍ତରର ମୂଲ୍ୟାଙ୍କନ ସଂସ୍ଥା ‘ପରଖ’ (PARAKH) ଦ୍ୱାରା କରାଯାଇଥିବା ଏକ ସମୀକ୍ଷାରେ ମଧ୍ୟ ଏହି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । ଏଥିରେ ଦେଖାଯାଇଛି ଯେ ମଧ୍ୟମ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ ସରଳ ପାଠ ପଢ଼ିବା, ଗଣିତ ସମାଧାନ କରିବା କିମ୍ବା ପଢ଼ା ବିଷୟକୁ ଠିକ୍ ଭାବରେ ବୁଝିବାରେ ଅସୁବିଧା ଅନୁଭବ କରୁଛନ୍ତି। ଏହା ଦର୍ଶାଉଛି ଯେ ଶିକ୍ଷାର ଗୁଣାତ୍ମକମାନ ଓ ବାସ୍ତବ ଶିଖଣ ପ୍ରକ୍ରିୟା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏଆଇ ଯୁଗରେ ପରିସ୍ଥିତି ଆହୁରି ବଦଳୁଛି। ଅନେକ କାମ, ଯାହା ପୂର୍ବରୁ ମଣିଷ କରୁଥିଲେ, ତାହା ଏବେ ଏଆଇ ସହାୟତାରେ ସମ୍ଭବ ହେଉଛି । ଏହି ପରିବର୍ତ୍ତନ ମଧ୍ୟରେ କେବଳ ପାଠ ମନେରଖିବା କିମ୍ବା ପରୀକ୍ଷାରେ ଭଲ ନମ୍ବର ଆଣିବା ଯଥେଷ୍ଟ ହେବ ନାହିଁ । ବରଂ ସୃଜନଶୀଳ ଚିନ୍ତାଧାରା, ସମସ୍ୟା ସମାଧାନ କ୍ଷମତା, ନୂଆ ଧାରଣା ସୃଷ୍ଟି କରିବାର କ୍ଷମତା ଓ ପ୍ରଯୁକ୍ତିକୁ ସଠିକ୍ ଭାବରେ ବ୍ୟବହାର କରିବା ଭଳି ଦକ୍ଷତା ଭବିଷ୍ୟତରେ ଅଧିକ ମୂଲ୍ୟବାନ ହେବ।

ଶିକ୍ଷାବିତମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟ ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟକୁ ପୁନର୍ବିଚାର କରିବାର। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କେବଳ ପାଠ୍ୟକ୍ରମ ସମାପ୍ତ କରିବା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କୁ ବାସ୍ତବ ଜୀବନର ଚ୍ୟାଲେଞ୍ଜ ସାମ୍ନା କରିବାକୁ ସକ୍ଷମ କରିବା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର ।

ଏଆଇର ଦ୍ରୁତ ଅଗ୍ରଗତି ମଧ୍ୟରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ, ଏହା ଏକ ସୁଯୋଗ ମଧ୍ୟ । ଯଦି ଶିକ୍ଷାକୁ ଦକ୍ଷତା, ସୃଜନଶୀଳତା ଓ ବ୍ୟବହାରିକ ଜ୍ଞାନ ସହ ଯୋଡ଼ାଯାଏ, ତେବେ ଆଗାମୀ ପିଢ଼ି ନୂତନ ପ୍ରଯୁକ୍ତି ଯୁଗରେ ସଫଳତାର ସହ ନିଜକୁ ପ୍ରତିଷ୍ଠିତ କରିପାରିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score