Explore

Search

August 25, 2026 7:31 pm

ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ବିଶ୍ୱ କ୍ରିକେଟରଙ୍କ ଚିନ୍ତା

କ୍ରିକେଟ୍ ମୈଦାନରେ ପ୍ରତିଦ୍ୱନ୍ଦ୍ୱିତା ଯେତେ ତୀବ୍ର ହେଉନା କାହିଁକି, ମୈଦାନ ବାହାରେ ଖେଳାଳିଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ଓ ପୁରୁଣା ସମ୍ପର୍କ ଅନେକ ସମୟରେ ଏହାଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ । ଏହାର ଏକ ଚର୍ଚ୍ଚିତ ଉଦାହରଣ ଏବେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ୧୯୯୨ ବିଶ୍ୱକପ୍ ବିଜେତା ଇମ୍ରାନ ଖାନଙ୍କୁ ନେଇ ସାମ୍ନାକୁ ଆସିଛି। ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରି ବିଶ୍ୱ କ୍ରିକେଟ୍‌ର ଏକାଧିକ ପୂର୍ବତନ ଅଧିନାୟକ ଏକାଠି ହୋଇଛନ୍ତି।
ଦୀର୍ଘ ସମୟ ଧରି ଜେଲରେ ଥିବା ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ପୁରୁଣା କ୍ରିକେଟ୍ ସାଥୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତାଙ୍କ ଚିକିତ୍ସା କିପରି ଚାଲିଛି, ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁଛି କି ନାହିଁ ଏବଂ ତାଙ୍କର ନିୟମିତ ଡାକ୍ତରୀ ପରୀକ୍ଷା କରାଯାଉଛି କି ନାହିଁ ଏସବୁ ପ୍ରଶ୍ନକୁ ନେଇ ପୂର୍ବତନ କ୍ରିକେଟରମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, କପିଳ ଦେବ ଓ ଦିଲୀପ ଭେଙ୍ଗସରକାରଙ୍କ ସମେତ ମୋଟ ୨୨ ଜଣ ପୂର୍ବତନ ଅନ୍ତର୍ଜାତୀୟ ଅଧିନାୟକ ପାକିସ୍ତାନ ସରକାରଙ୍କ ନିକଟରେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଚିନ୍ତା ଜଣାଇଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଲେଖାଯାଇଥିବା ଚିଠିରେ ଇମ୍ରାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସୁବିଧା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲଙ୍କ ନେତୃତ୍ୱରେ ଆଗକୁ ବଢ଼ିଛି ।

ଚିଠି ମାଧ୍ୟମରେ ପୂର୍ବତନ କ୍ରିକେଟରମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ରାଜନୈତିକ ହସ୍ତକ୍ଷେପ ନୁହେଁ। ସେମାନେ ଇମ୍ରାନ ଖାନଙ୍କୁ ଜଣେ ରାଜନେତା ଭାବରେ ନୁହେଁ, ବରଂ ଦୀର୍ଘଦିନର କ୍ରିକେଟ୍ ସାଥୀ ଓ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖି ତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି।

ପୂର୍ବତନ କ୍ରିକେଟରମାନଙ୍କ ଦାବି ଅନୁଯାୟୀ, ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ତାଙ୍କ ପରିବାରକୁ ପ୍ରତି ସପ୍ତାହରେ ଜେଲରେ ତାଙ୍କୁ ଭେଟିବାର ସୁଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଥିବା କୁହାଯାଇଛି।

କିନ୍ତୁ ପୂର୍ବତନ କ୍ରିକେଟରମାନଙ୍କ ଅଭିଯୋଗ ହେଉଛି, ଇମ୍ରାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଦୀର୍ଘ ସମୟ ରଖାଯାଇନଥିଲା।
କେବଳ ସରକାରୀ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇ ତାଙ୍କୁ ମେଡିକାଲି ଫିଟ୍ ବୋଲି ରିପୋର୍ଟ ଦିଆଯାଇଥିବା ଦାବି କରାଯାଇଛି। ଏହାପରେ ତାଙ୍କୁ ପୁଣି ଜେଲକୁ ପଠାଯାଇଥିବା ନେଇ ମଧ୍ୟ ଚିଠିରେ ଚିନ୍ତା ପ୍ରକାଶ କରାଯାଇଛି।

ପୂର୍ବତନ କ୍ରିକେଟ ଅଧିନାୟକମାନେ ଏହାକୁ ନେଇ ତିନୋଟି ପ୍ରମୁଖ ଦାବି ରଖିଛନ୍ତି। ପ୍ରଥମତଃ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ମେଡିକାଲ ବୋର୍ଡକୁ ଇମ୍ରାନ ଖାନଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ମିଶି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାର ସୁଯୋଗ ଦିଆଯାଉ।

ବିଶେଷକରି ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ଖବରକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି। ତେଣୁ ତାଙ୍କର ଆଖି ସମେତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।
ଦ୍ୱିତୀୟତଃ, ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଇମ୍ରାନଙ୍କ ପରିବାରକୁ ପ୍ରତି ସପ୍ତାହରେ ତାଙ୍କୁ ଭେଟିବାର ଅଧିକାର ନିରବଚ୍ଛିନ୍ନ ଭାବେ ଲାଗୁ କରାଯାଉ। ପରିବାର ସଦସ୍ୟମାନେ ତାଙ୍କ ସ୍ୱାସ୍ଥ୍ୟ ଓ ଅବସ୍ଥା ବିଷୟରେ ଜାଣିବାର ସୁଯୋଗ ପାଇବା ଉଚିତ ବୋଲି ପୂର୍ବତନ ଅଧିନାୟକମାନେ ଦାବି କରିଛନ୍ତି।
ତୃତୀୟତଃ, ଡାକ୍ତରୀ ପରୀକ୍ଷାରେ ଯେଉଁ ଚିକିତ୍ସା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଏ, ତାହାକୁ କୌଣସି ପ୍ରକାର ବିଳମ୍ବ ନକରି ତୁରନ୍ତ ଆରମ୍ଭ କରାଯାଉ। ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟକୁ ରାଜନୈତିକ ପ୍ରସଙ୍ଗରୁ ଦୂରେ ରଖି ମାନବିକ ଦୃଷ୍ଟିକୋଣରୁ ଦେଖିବାକୁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି।

ଚିଠିରେ ଏହା ମଧ୍ୟ ସ୍ମରଣ କରାଯାଇଛି ଯେ, ପ୍ରାୟ ଛଅ ମାସ ପୂର୍ବରୁ ୧୪ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍ ଅଧିନାୟକ ଇମ୍ରାନଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ନେଇ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ। ଏବେ ଆଉ ୭ ଜଣ ଅଧିନାୟକଙ୍କ ସହ ମିଶି ପୁଣିଥରେ ଅନୁରୋଧ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score