Explore

Search

May 24, 2026 12:06 am

ଆହୁରି ଜାଳିବ ଖରା : ଅଂଶୁଘାତରେ ଗଲାଣି ୩ ଜୀବନ

ଭୁବନେଶ୍ଵର : ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ସାରା ଓଡ଼ିଶା ଅସ୍ତବ୍ୟସ୍ତ ହୋଇପଡ଼ିଛି । ସ୍ଥିତି ଏପରି ଯେ, ତୀବ୍ର ଗରମ ଏବେ ଜନଜୀବନ ପାଇଁ ବିପଦ ସୃଷ୍ଟି କରୁଛି । ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା ଜାରି କରାଯାଇଛି ଯେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏଭଳି ତାତି ଜାରି ରହିବ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଲୋକମାନେ ଅସହ୍ୟ ଗରମରେ କଲବଲ ହେଉଛନ୍ତି ।

ରାଜ୍ୟରେ ମୋଟ ୧୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ପୋଷ୍ଟମର୍ଟମ ରିପୋର୍ଟ ପରେ ୩ଟି ମୃତ୍ୟୁ ଅଂଶୁଘାତ ଯୋଗୁଁ ଘଟିଥିବା ସ୍ପଷ୍ଟ ହୋଇଛି । ଏନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଅଂଶୁଘାତରେ ମୃତ୍ୟୁ ଘଟିଲେ ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ ।

ଆଉ ୫ ଦିନ କଲବଲ କରିବ ତାତି

ପଶ୍ଚିମ ଓଡ଼ିଶାରେ ତୀବ୍ର ଖରା ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଉପକୂଳ ଅଞ୍ଚଳରେ ଉଚ୍ଚ ତାପମାତ୍ରା ସହ ଅଧିକ ଆଦ୍ରତା କାରଣରୁ ଲୋକମାନେ ଅଧିକ ଗୁଳୁଗୁଳି ଅନୁଭବ କରୁଛନ୍ତି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୫ ଦିନ ଏହି ପରିସ୍ଥିତି ଜାରି ରହିବ ।

୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ନୟାଗଡ଼ ଜିଲ୍ଲାକୁ ହିଟ୍‌ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଭଦ୍ରକ, ଯାଜପୁର, ବରଗଡ଼, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ସର୍ବାଧିକ ୪୫.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି ।

ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ତୀବ୍ର ଗରମ ସହ ଅଧିକ ଗୁଳୁଗୁଳି ହେତୁ ଡିହାଇଡ୍ରେସନ ଓ ଅଂଶୁଘାତର ଆଶଙ୍କା ବଢ଼ିଛି । ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଧିକ ଝାଳ ବାହାରିଲେ ଶରୀରକୁ ଓଦା କପଡ଼ାରେ ପୋଛିବା, ପର୍ଯ୍ୟାପ୍ତ ପାଣି ଓ ଓଆରଏସ ପିଇବା ସହ ଖୋଲା ଓ ଥଣ୍ଡା ସ୍ଥାନରେ ରହିବାକୁ କୁହାଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଆଇଏମ୍‌ଡିର ଆକଳନ ଅନୁଯାୟୀ, ଆସନ୍ତା ୨୮ ଓ ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score