Explore

Search

August 19, 2026 7:23 pm

ଆସିଲା ସ୍ୱତନ୍ତ୍ର ଆପ : ଘରେ ବସି ପାଇପାରିବେ ସରକାରୀ ସେବା

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ରାଜସ୍ବ ବିଭାଗ ଆଣିଛି ଏକ ବଡ଼ ଡିଜିଟାଲ ସୁବିଧା । ଏବେ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାର ଆବଶ୍ୟକତା ରହିବ ନାହିଁ । ଘରେ ବସି ନିଜ ମୋବାଇଲ ଫୋନ ମାଧ୍ୟମରେ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଜମିର କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ ଭଳି ଅନେକ ସରକାରୀ ସେବା ସହଜରେ ପାଇପାରିବେ ସାଧାରଣ ଲୋକ। ଏହି ଉଦ୍ଦେଶ୍ୟକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ‘ଆମ ସାଥୀ ହ୍ବାଟସଆପ୍ ଚାଟବଟ୍’ ସେବାର ଶୁଭାରମ୍ଭ କରାଯାଇଛି ।

ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ନୂତନ ଡିଜିଟାଲ ସେବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ସରକାରୀ ସେବାକୁ ଲୋକଙ୍କ ଦ୍ୱାରପାଖରେ ପହଞ୍ଚାଇବା। ସମୟର ମୂଲ୍ୟକୁ ଦୃଷ୍ଟିରେ ରଖି ଏବେ ସମସ୍ତ ସେବାକୁ ଡିଜିଟାଲ ମାଧ୍ୟମରେ ସରଳ ଓ ସୁଗମ କରାଯାଉଛି।

‘ଆମ ସାଥୀ ହ୍ବାଟସଆପ୍ ଚାଟବଟ୍’ ମାଧ୍ୟମରେ ବର୍ତ୍ତମାନ ରାଜସ୍ବ ବିଭାଗର ୧୬ଟି ସେବା ଉପଲବ୍ଧ ହେଉଛି । ପୂର୍ବରୁ ଏଥିରେ ୧୧ଟି ସେବା ମିଳୁଥିଲା। ଆଗାମୀ ଦିନରେ ଆଉ ଦୁଇଟି ନୂତନ ସେବା ଯୋଡ଼ାଯିବାର ଯୋଜନା ରହିଛି । ଏହା ମାଧ୍ୟମରେ ନାଗରିକମାନେ ଆବେଦନ କରିବା ସହ ନିଜ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ।

ଏହି ସେବାର ଆଉ ଏକ ବଡ଼ ବିଶେଷତା ହେଉଛି, ଲୋକମାନେ ନିଜ ଜମି ସମ୍ପର୍କିତ ବିଭିନ୍ନ ତଥ୍ୟ ମଧ୍ୟ ଘରେ ବସି ପାଇପାରିବେ। ଭୂଲେଖ ପୋର୍ଟାଲରେ ଉପଲବ୍ଧ ପଟ୍ଟା ସମ୍ବନ୍ଧୀୟ ସୂଚନା, ଜମିର ବିବରଣୀ ଓ ଅନ୍ୟାନ୍ୟ ତଥ୍ୟ ଚାଟବଟ୍ ଜରିଆରେ ମିଳିବ। ଫଳରେ ଲୋକଙ୍କୁ ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ଏବଂ ସମୟ ଓ ଖର୍ଚ୍ଚ ଉଭୟ ସଞ୍ଚୟ ହେବ।

କେବଳ ସେବା ପ୍ରଦାନ ନୁହେଁ, ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ମଧ୍ୟ ଏହି ଚାଟବଟ୍‌ର ଅନ୍ୟତମ ଉଦ୍ଦେଶ୍ୟ। କୌଣସି ସେବା ନେଇ ସମସ୍ୟା ହେଲେ କିମ୍ବା ଅଭିଯୋଗ ଥିଲେ ଲୋକମାନେ ସିଧାସଳଖ ୯୪୩୭୨୯୨୦୦୦ ନମ୍ବରରେ ଯୋଗାଯୋଗ କରିପାରିବେ। ଅଭିଯୋଗ ପଞ୍ଜିକରଣ ହେବା ପରେ ତାହାର ନିରାକରଣ ପ୍ରକ୍ରିୟା ମଧ୍ୟ ଅନଲାଇନ୍‌ରେ ଜାଣିପାରିବେ।

ରାଜ୍ୟରେ ପ୍ରାୟ ୧.୬୫ କୋଟି ଲୋକ ହ୍ବାଟସଆପ୍ ବ୍ୟବହାର କରୁଥିବାରୁ ଏହି ପ୍ଲାଟଫର୍ମ ମାଧ୍ୟମରେ ସେବା ପହଞ୍ଚାଇବା ଅଧିକ ସହଜ ଓ ପ୍ରଭାବଶାଳୀ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ସହର ହେଉ କି ଗାଁ, ଇଣ୍ଟରନେଟ୍‌ ସୁବିଧା ଥିବା ଯେକୌଣସି ସ୍ଥାନରୁ ଲୋକମାନେ ଏହି ସେବାର ଲାଭ ଉଠାଇପାରିବେ।

ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ସରକାରୀ ସେବାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ଜନମୁଖୀ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଭାବେ ପ୍ରଯୁକ୍ତିର ବ୍ୟବହାର ବଢ଼ାଉଛନ୍ତି। ‘ଆମ ସାଥୀ ହ୍ବାଟସଆପ୍ ଚାଟବଟ୍’ ସାଧାରଣ ଲୋକଙ୍କ ପାଇଁ ସରକାରୀ ସେବା ପ୍ରାପ୍ତିକୁ ଆହୁରି ସହଜ ଓ ସୁବିଧାଜନକ କରିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score