Explore

Search

May 7, 2026 9:04 pm

ଆଲମାରୀରୁ ଡ୍ରେସ ବାଛିଦେବ ନୂଆ ଏଆଇ ଫିଚର୍

ଭୁବନେଶ୍ୱର : ଏବେ ଆଉ ଆଲମାରୀ ସାମ୍ନାରେ ଦୀର୍ଘ ସମୟ ଧରି ଠିଆ ହୋଇ ଭାବିବାକୁ ପଡ଼ିବ ନାହିଁ । ଏଆଇ ନିଜେ ଆପଣଙ୍କ ଷ୍ଟାଇଲ୍‌କୁ ଅଧିକ ସ୍ମାର୍ଟ, ଆକର୍ଷଣୀୟ ଓ ଟ୍ରେଣ୍ଡି କରିଦେବ । ଆଲମାରୀପୁରା ଡ୍ରେସ୍‌ରେ ଭର୍ତ୍ତି ହୋଇଥିଲେ ମଧ୍ୟ କେଉଁ ପୋଷାକ ପିନ୍ଧିବେ ତାହା ନିଷ୍ପତ୍ତି କରିବା ଅନେକଙ୍କ ପାଇଁ ବଡ଼ ସମସ୍ୟା ହୋଇପଡ଼ିଛି । ଅଫିସ୍, ପାର୍ଟି କିମ୍ବା କୌଣସି ଖାସ ଅବସରରେ ବାହାରୁଥିବା ବେଳେ “ଆଜି କେଉଁ ଲୁକ୍ ନେବି ” ବୋଲି ଚିନ୍ତା କରି ସମୟ କଟିଯାଏ । କିନ୍ତୁ ଏବେ ଏହି ଅସୁବିଧାର ସମାଧାନ ନେଇ ଆସୁଛି ଏକ ନୂଆ ସ୍ମାର୍ଟ ଏଆଇ ବ୍ୟବସ୍ଥା । ଗୁଗଲ୍ ଫଟୋଜ୍‌ରେ ଆସୁଥିବା ନୂଆ “ଡିଜିଟାଲ୍ ୱାର୍ଡରୋବ୍” ସୁବିଧା ଆପଣଙ୍କ ଫୋନ୍‌ରେ ଥିବା ଫଟୋକୁ ବ୍ୟବହାର କରି ଆପଣଙ୍କ ନିଜସ୍ୱ ଷ୍ଟାଇଲ୍ ଆସିଷ୍ଟାଣ୍ଟ ଭାବେ କାମ କରିବ ।

ଏହି ଆଧୁନିକ ଫିଚର୍ ଏଆଇ ସହାୟତାରେ ପୁରୁଣା ଫଟୋ ଗୁଡ଼ିକୁ ଖୋଜି ସେଥିରେ ଥିବା ପୋଷାକ, ଜୋତା ଓ ଅଳଙ୍କାରକୁ ଚିହ୍ନଟ କରିବ । ପରେ ସେ ଗୁଡ଼ିକୁ ଅଲଗା ଅଲଗା ଶ୍ରେଣୀରେ ସଜାଇ ଏକ ସ୍ମାର୍ଟ ଡିଜିଟାଲ୍ ଆଲମାରୀ ତିଆରି କରିଦେବ । ଯାହା ଦ୍ୱାରା ଆପଣ କେବେ କେଉଁ ଡ୍ରେସ୍ ପିନ୍ଧିଥିଲେ ଓ କେଉଁ ପୋଷାକ ବହୁଦିନ ଧରି ବ୍ୟବହାର ହୋଇନାହିଁ ତାହା ସହଜରେ ଜାଣିପାରିବେ ।

ଏହି ନୂଆ ବ୍ୟବସ୍ଥାର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଆପଣ ନିଜର ପୋଷାକକୁ ମିଶାଇ ନୂଆ ନୂଆ ଲୁକ୍ ତିଆରି କରିପାରିବେ । ଅଫିସ୍ ଲୁକ୍, ପାର୍ଟି ଷ୍ଟାଇଲ୍, ବିବାହ ଅବସର କିମ୍ବା ଟ୍ରାଭେଲ୍ ଫ୍ୟାସନ୍ ପାଇଁ ଅଲଗା ଅଲଗା ଷ୍ଟାଇଲ୍ ବୋର୍ଡ ମଧ୍ୟ ତିଆରି କରିହେବ । ଏହାକୁ ନିଜ ସାଙ୍ଗମାନଙ୍କ ସହ ସେୟାର୍ କରି ସେମାନଙ୍କର ମତାମତ ମଧ୍ୟ ନେଇପାରିବେ ।

ଏଥିରେ ଆଉ ଏକ ଖାସ ସୁବିଧା ହେଉଛି ଭର୍ଚୁଆଲ୍ ଟ୍ରାଏ-ଅନ୍ । ଅର୍ଥାତ୍ କୌଣସି ଡ୍ରେସ୍ ପିନ୍ଧିବା ପୂର୍ବରୁ ସେହି ପୋଷାକ ଆପଣଙ୍କ ଉପରେ କିପରି ଦେଖାଯିବ, ତାହା ଫୋନ୍‌ରେ ହିଁ ଦେଖିପାରିବେ । କେବଳ ଡ୍ରେସ୍ ବାଛି ଟ୍ରାଏ ବଟନ୍ ଉପରେ କ୍ଲିକ୍ କଲେ ଏଆଇ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଲୁକ୍ ପ୍ରସ୍ତୁତ କରିଦେବ । ଏହା ଫ୍ୟାସନ୍ ଚୟନକୁ ଆହୁରି ସହଜ ଓ ମଜାଦାର କରିଦେବ ।

ସୂଚନା ଅନୁଯାୟୀ, ଏହି ସୁବିଧା ପ୍ରଥମେ ଆଣ୍ଡ୍ରଏଡ୍ ଫୋନ୍‌ରେ ଆସିବ । ପରେ ଆଇଫୋନ୍ ବ୍ୟବହାରକାରୀମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ । ଯଦିଓ ଲଞ୍ଚର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ, ତଥାପି ଏହି ଫିଚର୍ ଆସିଲେ ଫ୍ୟାସନ୍ ଓ ଟେକ୍ନୋଲୋଜିର ମିଶ୍ରଣ ଏକ ନୂଆ ଅନୁଭବ ଦେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score