Explore

Search

June 30, 2026 12:03 am

ଆଉ ୪୮ ଘଣ୍ଟା ଗୁଳୁଗୁଳି : ୪ ଜୁଲାଇ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ ଗୁଳୁଗୁଳିରୁ ଲୋକଙ୍କୁ ଏପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିନାହିଁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେବ। ସେହିପରି ୪ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ଏହି ସାତଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଏହାବ୍ୟତୀତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏହି ୧୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ରହିଛି । ବିଶ୍ୱସ୍ତରୀୟ ପାଣିପାଗ ମଡେଲ ଅନୁଯାୟୀ, ଜୁଲାଇ ୧ରୁ ୩ ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ତାହା ଦୁର୍ବଳ ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହା ଶକ୍ତିଶାଳୀ ଲଘୁଚାପ କିମ୍ବା ଅବପାତରେ ପରିଣତ ହେବାର ସମ୍ଭାବନା କମ୍‌ ରହିଛି।

ତାଙ୍କ ମତରେ ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବ। ଜୁଲାଇ ୧ରୁ ୭ ମଧ୍ୟରେ ପ୍ରଥମେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ, ପରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାକୁ ବ୍ୟାପିବ। ପଶ୍ଚିମ ଓଡ଼ିଶାରେ ଚାଷ ପାଇଁ ଉପଯୁକ୍ତ ବର୍ଷା ଆହୁରି କିଛି ବିଳମ୍ବରେ ପହଞ୍ଚିପାରେ। ୮ରୁ ୧୪ ଜୁଲାଇ ମଧ୍ୟରେ ମୌସୁମୀ ସକ୍ରିୟ ରହିଲେ ରାଜ୍ୟର ବ୍ୟାପକ ଅଞ୍ଚଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, କିଛି ପାଣିପାଗ ମଡେଲ ଅନୁସାରେ ଜୁଲାଇ ୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ଏବଂ ପରେ ଗଭୀର ଅବପାତର ରୂପ ନେବାର ସମ୍ଭାବନା ଥିବାରୁ ଜୁଲାଇ ୧ରୁ ୫ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷାର ପ୍ରଭାବ ଦେଖାଦେଇପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score