ନୂଆଦିଲ୍ଲୀ : ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଲଗାତାର ବଢ଼ୁଥିବା ପରିସ୍ଥିତି ଏବେ ବିମାନ ସେବା କ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ବିମାନ ଇନ୍ଧନର ଦର ଆକାଶ ଛୁଇଁଥିବା ବେଳେ ଦେଶର ପ୍ରମୁଖ ବିମାନ ସଂସ୍ଥା ଏୟାର ଇଣ୍ଡିଆ ବଡ଼ ପଦକ୍ଷେପ ନେଇଛି। ବଢୁଥିବା ଖର୍ଚ୍ଚକୁ ସମତୁଳିତ କରିବା ଓ ପରିଚାଳନାକୁ ସ୍ଥିର ରଖିବା ପାଇଁ ସଂସ୍ଥା ଅନ୍ତର୍ଜାତୀୟ ଉଡାଣ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛି।
ଏୟାର ଇଣ୍ଡିଆ ପକ୍ଷରୁ ଜାରି ସୂଚନା ଅନୁସାରେ, ଜୁନରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରାୟ ୨୯ଟି ଅନ୍ତର୍ଜାତୀୟ ରୁଟରେ ୧୨୦ରୁ ଅଧିକ ସାପ୍ତାହିକ ଉଡାଣ ହ୍ରାସ କରାଯିବ। ମୁଖ୍ୟତଃ ଇନ୍ଧନ ମୂଲ୍ୟ ବୃଦ୍ଧି, ବିମାନ ରକ୍ଷାପୋଷଣ ଖର୍ଚ୍ଚ, କର୍ମଚାରୀ ବ୍ୟୟ ଏବଂ ଅନ୍ୟାନ୍ୟ ପରିଚାଳନା ଚାପକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସଂସ୍ଥା କହିଛି ଯେ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ବିଭିନ୍ନ ରୁଟରେ ବିମାନ ସଂଖ୍ୟାକୁ ପୁନଃ ନିର୍ଦ୍ଧାରଣ କରାଯାଇଛି। ଯଦିଓ କିଛି ଉଡାଣ କମାଯାଉଛି, ତଥାପି ପ୍ରତିମାସ ୧୨ ଶହରୁ ଅଧିକ ଅନ୍ତର୍ଜାତୀୟ ଉଡାଣ ଚାଲୁ ରହିବ ବୋଲି ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି। ଏହା ଦ୍ୱାରା ବିଶ୍ୱର ୫ଟି ମହାଦେଶ ସହିତ ଭାରତର ଆକାଶପଥ ସଂଯୋଗ ଅବିକଳ ରହିବାର ଆଶା କରାଯାଉଛି।
ସୂଚନା ଅନୁସାରେ, ଉତ୍ତର ଆମେରିକା ପାଇଁ ପ୍ରତି ସପ୍ତାହରେ ୩୩ଟି ଉଡାଣ ଚାଲିବାକୁ ଥିବା ବେଳେ ୟୁରୋପ ପାଇଁ ୪୭ଟି ଓ ୟୁକେ ପାଇଁ ୫୭ଟି ଉଡାଣ ସେବା ଜାରି ରହିବ। ସେହିପରି ଅଷ୍ଟ୍ରେଲିଆ ପାଇଁ ୮ଟି, ଦକ୍ଷିଣ-ପୂର୍ବ ଏସିଆ ଓ ସାର୍କ ଦେଶମାନଙ୍କ ପାଇଁ ୧୫୮ଟି ଏବଂ ମରିସସ୍ ପାଇଁ ପ୍ରତି ସପ୍ତାହରେ ୭ଟି ଉଡାଣ ଚାଲିବ।
ଏହି ପରିବର୍ତ୍ତନରେ ପ୍ରଭାବିତ ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ବିଶେଷ ସୁବିଧା ଘୋଷଣା କରିଛି। ଯାତ୍ରୀମାନେ ଅଫିସିଆଲ ୱେବସାଇଟ ମାଧ୍ୟମରେ ନିଜ ଯାତ୍ରାର ତାରିଖ ମାଗଣାରେ ବଦଳାଇ ପାରିବେ। ଏହାସହିତ ଇଚ୍ଛା କଲେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମଧ୍ୟ ପାଇପାରିବେ।
ଅନ୍ୟପଟେ, ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ନେଇ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି। ଏହାର ପ୍ରଭାବ ବିମାନ ଯାତାୟାତ, ଇନ୍ଧନ ଯୋଗାଣ ଓ ଅନ୍ତର୍ଜାତୀୟ ଯାତ୍ରା ଉପରେ ପଡୁଥିବା ବେଳେ ଦେଶବାସୀଙ୍କୁ ଅପ୍ରୟୋଜନୀୟ ବିଦେଶ ଭ୍ରମଣ ଏଡାଇବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ। ବର୍ତ୍ତମାନର ଆନ୍ତର୍ଜାତୀୟ ପରିସ୍ଥିତିକୁ ଦେଖି ବିମାନ ସଂସ୍ଥା ଗୁଡ଼ିକ ମଧ୍ୟ ସତର୍କ ଭାବେ ପଦକ୍ଷେପ ନେଉଥିବା ଦେଖାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
