ନୂଆଦିଲ୍ଲୀ : ଆଜି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଗୁଜରାଟର ଭଡନଗରରେ ପ୍ରଧାନମନ୍ତ୍ରୀ ମୋଦି ଜନ୍ମ ଗ୍ରହଣ କରିଥିଲେ ।
ତାଙ୍କ ଜନ୍ମଦିନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । NDAର ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ‘ସେବା ମେରା ଯୋଗଦାନ’ ଅଭିଯାନ ଆୟୋଜନ କରାଯାଇଛି । ଏହି ଅଭିଯାନରେ ୨୫ ପ୍ରକାରର ସେବା କାର୍ଯ୍ୟ କରାଯିବ ।
ବୃକ୍ଷରୋପଣ, ରକ୍ତଦାନ ଭଳି କାର୍ଯ୍ୟକ୍ରମ ଏଥିରେ ସାମିଲ ରହିଛି । ଜନ୍ମଦିନ ଅବସରରେ କାଶୀରେ ତାଙ୍କ ଦୀର୍ଘାୟୁ କାମନା କରି ଜଳାଭିଷେକ କାର୍ଯ୍ୟକ୍ରମ ରଖାଯାଇଛି ।
ଏଥିରେ ବହୁ ନେତା ଓ ମନ୍ତ୍ରୀ ଯୋଗଦେବେ। ପରେ ବାରଣାସୀରୁ ଭଡନଗର ପର୍ଯ୍ୟନ୍ତ ବାଇକ ଯାତ୍ରା ଆରମ୍ଭ ହେବ। ଗୃହମନ୍ତ୍ରୀ ଅମିତ ଶାହ ଭଡନଗରରେ ଏହି ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।
ଏହି ଅବସରରେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବାଲୁକାକୃତି ତିଆରି କରିଛନ୍ତି । ଏହା ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ମୋଦିଙ୍କ ଦୀର୍ଘ ସାର୍ବଜନୀନ ଜୀବନ ଓ ଶାସନ ସମ୍ପର୍କିତ କାର୍ଯ୍ୟକୁ ଉଲ୍ଲେଖ କରାଯାଇଛି।
ରାଷ୍ଟ୍ରପତି କହିଛନ୍ତି ଯେ, ଗତ ୨୫ ବର୍ଷରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ମୋଦି ସୁଶାସନ ଓ ବିକାଶ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି। ଦେଶର ନାଗରିକଙ୍କ ପାଇଁ ସେ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ‘X’ରେ ଏକ ବାର୍ତ୍ତା ଦେଇ ସେ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତର ଲକ୍ଷ୍ୟ ଦିଗରେ ମୋଦିଙ୍କ ଦିଗଦର୍ଶନ ପ୍ରେରଣା ଦେଉଛି। ଓଡ଼ିଶାର ବିକାଶ ପାଇଁ ମଧ୍ୟ ତାଙ୍କ ଅବଦାନକୁ ସେ ଉଲ୍ଲେଖ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।
ଯୋଗୀ ଆଦିତ୍ୟନାଥଙ୍କ ଶୁଭକାମନା
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ‘X’ରେ ସେ ମୋଦିଙ୍କୁ ‘ନୂତନ ଭାରତ’ର ନିର୍ମାଣ ସହ ଜଡ଼ିତ ନେତା ଭାବେ ଉଲ୍ଲେଖ କରିଛନ୍ତି।
ତାଙ୍କ ବାର୍ତ୍ତାରେ ଦେଶର ବିକାଶ, ସୁରକ୍ଷା ଓ ସମୃଦ୍ଧି ସମ୍ପର୍କରେ ମୋଦିଙ୍କ ନେତୃତ୍ୱକୁ ଉଲ୍ଲେଖ କରାଯାଇଛି। ଏହା ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘ ଜୀବନ ଓ ନିରନ୍ତର ଜନସେବା ପାଇଁ ଶୁଭକାମନା ଜଣାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
