Explore

Search

May 14, 2026 12:17 am

ସାରାରାତି ଫୋନ୍ ଚାର୍ଜରେ ରଖୁଛନ୍ତି କି ? ସାବଧାନ ! ନଷ୍ଟ ହୋଇପାରେ ବ୍ୟାଟେରୀ ଲାଇଫ୍

ଭୁବନେଶ୍ୱର : ଆଜିର ସମୟରେ ସ୍ମାର୍ଟଫୋନ୍ କେବଳ ଫୋନ କଲ କରିବାର ଉପକରଣ ନୁହେଁ । ଏହା ଆମ ଦୈନନ୍ଦିନ ଜୀବନର ଅଭିନ୍ନ ଅଂଶରେ ପରିଣତ ହୋଇଛି । ବ୍ୟାଙ୍କି ଠାରୁ ଆରମ୍ଭ କରି ଅନଲାଇନ କ୍ଲାସ, ଅଫିସ କାମ, ଫଟୋ, ଭିଡିଓ ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ସବୁକିଛି ଏବେ ସ୍ମାର୍ଟଫୋନକୁ କେନ୍ଦ୍ର କରି ହେଉଛି । ଏହି କାରଣରୁ ବ୍ୟାଟେରୀ ଶୀଘ୍ର ସରିଯିବା ବହୁତ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇପଡ଼ିଛି ।

ଅନେକ ବ୍ୟବହାରକାରୀ ରାତି ସାରା ଫୋନକୁ ଚାର୍ଜରେ ଲଗାଇ ରଖି ସକାଳେ ୧୦୦ ପ୍ରତିଶତ ଚାର୍ଜ ସହ ଫୋନ ବ୍ୟବହାର କରନ୍ତି । କିନ୍ତୁ ଟେକ ବିଶେଷଜ୍ଞମାନଙ୍କ ମତରେ ଏହି ଅଭ୍ୟାସ ଦୀର୍ଘ ସମୟରେ ବ୍ୟାଟେରୀ ଲାଇଫକୁ କ୍ଷତି ପହଞ୍ଚାଇପାରେ ।

ବର୍ତ୍ତମାନ ପ୍ରାୟ ସମସ୍ତ ସ୍ମାର୍ଟଫୋନ୍‌ରେ ଲିଥିୟମ୍-ଆୟନ୍ ବ୍ୟାଟେରୀ ବ୍ୟବହାର କରାଯାଉଛି । ଏହି ବ୍ୟାଟେରୀ ଭଲ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ସଠିକ୍ ଭାବରେ ବ୍ୟବହାର ନକରାଗଲେ ଏହାର କ୍ଷମତା ଶୀଘ୍ର କମିଯାଏ । ବିଶେଷଜ୍ଞମାନେ କହୁଛନ୍ତି, ଫୋନକୁ ସବୁବେଳେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଉପରେ ଅଧିକ ଚାପ ପଡ଼େ । ବିଶେଷକରି ୮୦ ପ୍ରତିଶତ ପରେ ଚାର୍ଜ ଗତି ଧୀର ହେବା ସହ ବ୍ୟାଟେରୀ ଅଧିକ ତାପ ସୃଷ୍ଟି କରିଥାଏ, ଯାହା ଦୀର୍ଘକାଳୀନ ଭାବେ ବ୍ୟାଟେରୀ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ ।

ଯଦି ଏହି ଅଭ୍ୟାସ ପ୍ରତିଦିନ ଚାଲିଥାଏ, ତେବେ କିଛି ମାସ ମଧ୍ୟରେ ବ୍ୟାଟେରୀ ବ୍ୟାକଅପ କମିଯାଇପାରେ । ଫୋନ ବାରମ୍ବାର ଚାର୍ଜ କରିବାକୁ ପଡ଼ିପାରେ ଏବଂ ଫୋନର କାର୍ଯ୍ୟଦକ୍ଷତା ମଧ୍ୟ ପ୍ରଭାବିତ ହୋଇପାରେ । ଯଦିଓ ନୂତନ ସ୍ମାର୍ଟଫୋନ ଗୁଡ଼ିକରେ ସ୍ମାର୍ଟ ଚାର୍ଜିଂ ଫିଚର ରହିଛି, ତଥାପି ସଠିକ ଚାର୍ଜିଂ ଅଭ୍ୟାସ ଅତ୍ୟନ୍ତ ଜରୁରୀ ବୋଲି ଟେକ୍ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।

୨୦-୮୦ ନିୟମ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ବିଶେଷଜ୍ଞମାନଙ୍କ ଅନୁସାରେ, ସ୍ମାର୍ଟଫୋନ୍ ବ୍ୟାଟେରୀକୁ ୨୦ ପ୍ରତିଶତରୁ କମ୍ ଏବଂ ୮୦ ପ୍ରତିଶତରୁ ଅଧିକ ନେବାକୁ ଏଡାଇବା ଉଚିତ୍ । ଏହାକୁ “୨୦-୮୦ ଚାର୍ଜିଂ ନିୟମ” ବୋଲି କୁହାଯାଏ । ଏହି ପଦ୍ଧତି ବ୍ୟାଟେରୀ ଉପରେ କମ୍ ଚାପ ପକାଇଥାଏ ଏବଂ ଏହାର ଆୟୁ ବଢ଼ାଇବାରେ ସାହାଯ୍ୟ କରେ । ଏଭଳି ଚାର୍ଜିଂ ଅଭ୍ୟାସ ରଖିଲେ ଫୋନର ବ୍ୟାଟେରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ଅବସ୍ଥାରେ ରହିଥାଏ ଓ କାର୍ଯ୍ୟକ୍ଷମତା ମଧ୍ୟ ଉନ୍ନତ ରହେ ।

ଏହି କାରଣରୁ ଏବେ ଅନେକ ପ୍ରମୁଖ ସ୍ମାର୍ଟଫୋନ୍ କମ୍ପାନୀ ସେମାନଙ୍କ ଫୋନରେ ଚାର୍ଜ ଲିମିଟ ଫିଚର ଦେଉଛନ୍ତି । ବ୍ୟବହାରକାରୀମାନେ ଚାହିଲେ ଫୋନକୁ ୮୦ କିମ୍ବା ୯୦ ପ୍ରତିଶତରେ ଚାର୍ଜ ହେବା ପରେ ଅଟୋମେଟିକ ଭାବେ ବନ୍ଦ କରିପାରିବେ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଟେରୀକୁ ସୁରକ୍ଷିତ ରଖିବାରେ ଉପକାରୀ ହୁଏ ।

ଛୋଟ ଭୁଲ ମଧ୍ୟ କରିପାରେ ବଡ଼ କ୍ଷତି

କେବଳ ଚାର୍ଜ ପ୍ରତିଶତ ନୁହେଁ, ଚାର୍ଜ କରିବା ପଦ୍ଧତି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଅନେକ ଲୋକ ତକିଆ ତଳେ କିମ୍ବା ବନ୍ଦ ସ୍ଥାନରେ ଫୋନ୍ ଚାର୍ଜ କରନ୍ତି । ଏଥିରେ ଫୋନର ତାପମାତ୍ରା ବଢ଼ିଯାଏ ଓ ବ୍ୟାଟେରୀ ଉପରେ ଖରାପ ପ୍ରଭାବ ପଡ଼େ । ଅତ୍ୟଧିକ ଗରମ ବ୍ୟାଟେରୀର ସବୁଠାରୁ ବଡ଼ ଶତ୍ରୁ ବୋଲି ଧରାଯାଏ ।

ଚାର୍ଜିଂ ସମୟରେ ଗେମ ଖେଳିବା, ଭିଡିଓ ଏଡିଟିଂ କିମ୍ବା ଭାରି ଆପ୍ ବ୍ୟବହାର କରିବା ମଧ୍ୟ ଫୋନକୁ ଗରମ କରିଥାଏ । ତେଣୁ ଚାର୍ଜିଂ ସମୟରେ ଫୋନକୁ ଅଧିକ ବ୍ୟବହାର ନ କରିବା ଭଲ । ଏହା ସହିତ ସବୁବେଳେ ଭଲ ଗୁଣବତ୍ତାର କିମ୍ବା କମ୍ପାନୀ ଦ୍ୱାରା ଦିଆଯାଇଥିବା ଅସଲି ଚାର୍ଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଖରାପ ଚାର୍ଜର ବ୍ୟାଟେରୀ ସହ ଫୋନ୍‌କୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।

ଆଇଫୋନ ଓ ଆଣ୍ଡ୍ରଏଡରେ ମିଳୁଛି ସ୍ମାର୍ଟ ଫିଚର

ଆପଲ୍ ତାହାର ନୂଆ ଆଇଫୋନ୍‌ରେ “ଅପ୍ଟିମାଇଜ୍ଡ ବ୍ୟାଟେରୀ ଚାର୍ଜିଂ” ଓ “ଚାର୍ଜ ଲିମିଟ୍” ଭଳି ଫିଚର ଦେଇଛି । ଏହି ଫିଚର ବ୍ୟବହାରକାରୀଙ୍କ ଦୈନିକ ଚାର୍ଜିଂ ଅଭ୍ୟାସକୁ ବୁଝି ଫୋନ୍‌କୁ ଅନାବଶ୍ୟକ ଭାବେ ୧୦୦ ପ୍ରତିଶତରେ ଦୀର୍ଘ ସମୟ ରଖିବାରୁ ରୋକିଥାଏ । ବ୍ୟବହାରକାରୀ ଚାହିଲେ ୮୦ ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ସୀମା ନିର୍ଦ୍ଧାରଣ କରିପାରିବେ ।

ସେହିପରି ଆଣ୍ଡ୍ରଏଡ ଫୋନରେ ମଧ୍ୟ “ପ୍ରୋଟେକ୍ଟ ବ୍ୟାଟେରୀ” ଓ “ଅଡାପ୍ଟିଭ୍ ଚାର୍ଜିଂ” ଭଳି ଫିଚର ଉପଲବ୍ଧ ରହିଛି । କିଛି ଫୋନ ରାତିରେ ଚାର୍ଜିଂ ଗତି କମ କରି ସକାଳ ସମୟରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଏ । ଏହା ବ୍ୟାଟେରୀ ଉପରେ ଚାପ କମାଇଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଟେରୀକୁ ସୁସ୍ଥ ରଖିଥାଏ ।

ସଠିକ ଚାର୍ଜିଂ ଅଭ୍ୟାସ ଅପନାଇଲେ ସ୍ମାର୍ଟଫୋନ ବ୍ୟାଟେରୀ ଅନେକ ବର୍ଷ ପର୍ଯ୍ୟନ୍ତ ଭଲ ଅବସ୍ଥାରେ ରହିପାରିବ ଏବଂ ଫୋନର କାର୍ଯ୍ୟଦକ୍ଷତା ମଧ୍ୟ ଭଲ ରହିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score