Explore

Search

May 30, 2026 12:29 am

ସାବଧାନ ! ଫାଟୁଛି ଏସି

ଭୁବନେଶ୍ୱର : ଗ୍ରୀଷ୍ମର ତୀବ୍ର ଗରମରୁ ରକ୍ଷା ପାଇବା ପାଇଁ ଘରେ ଲଗାଇଥିବା AC ହିଁ ଯେତେବେଳେ ଜୀବନ ପାଇଁ ଘାତକ ସାବିତ ହୁଏ, ସେତେବେଳେ ଏଭଳି ଘଟଣା ସମସ୍ତଙ୍କୁ ଆତଙ୍କିତ କରିଦେଇଥାଏ। ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ଅବସରପ୍ରାପ୍ତ IAS ଅଧିକାରୀ ଓ CCIର ପ୍ରଥମ ଅଧ୍ୟକ୍ଷ ଧନେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଦିଲ୍ଲୀର ହୌଜଖାସ ଅଞ୍ଚଳରେ ଥିବା ତାଙ୍କ ଘରର ACରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହା ପରେ ଘର ଭିତରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। ଘଟଣା ସମୟରେ ପରିବାର ସଦସ୍ୟ ଓ ଜଣେ ସହାୟକଙ୍କୁ ମିଶାଇ ମୋଟ ୫ ଜଣ ଘରେ ଉପସ୍ଥିତ ଥିଲେ। ନିଆଁ ଲାଗିବା ସହିତ ଘର ଧୂଆଁରେ ଆବୃତ ହୋଇଯାଇଥିଲା। ଖବର ପାଇ ପୋଲିସ ଓ ଦମକଳ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ।

ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଧନେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ଆହତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ACର ଇନଡୋର ୟୁନିଟରେ ବିସ୍ଫୋରଣ ଘଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ। ଘର ଭିତରେ ପୋଡ଼ିଯାଇଥିବା କପଡ଼ା, ସୁଟକେସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଛିଟିକି ପଡ଼ିଥିବା ଦେଖାଯାଇଥିଲା। ପୋଲିସ କହିଛି ଯେ ଘଟଣାରେ କୌଣସି ଅପରାଧିକ ସନ୍ଦେହ ନାହିଁ।

କାହିଁକି ACରେ ଲାଗେ ନିଆଁ ?

ବିଶେଷଜ୍ଞଙ୍କ ମତାନୁସାରେ ACରେ ଅଗ୍ନିକାଣ୍ଡ ହେବାର କିଛି ପ୍ରମୁଖ କାରଣ ହେଲା—

• ସର୍ଟ ସର୍କିଟ: ଖରାପ କିମ୍ବା ଢିଲା ବୈଦ୍ୟୁତିକ ତାର ଯୋଗୁଁ ସର୍ଟ ସର୍କିଟ ହୋଇ ନିଆଁ ଲାଗିପାରେ।
• ଭୋଲଟେଜ ଓଭରଲୋଡ୍: ହଠାତ୍ ଭୋଲଟେଜ ବଢ଼ିଲେ ACର କମ୍ପ୍ରେସର ଓ PCB ଅତ୍ୟଧିକ ଗରମ ହୋଇ ଜଳିଯାଇପାରେ।
• ରକ୍ଷଣାବେକ୍ଷଣର ଅଭାବ: AC ଭିତରେ ଧୂଳି ଓ ମଇଳା ଜମିଲେ ମେସିନ୍‌ରେ ଅଧିକ ଚାପ ପଡ଼େ ଓ ଅଗ୍ନିକାଣ୍ଡର ଆଶଙ୍କା ବଢ଼େ।
• ଲଗାତାର AC ବ୍ୟବହାର: ୨୪ ଘଣ୍ଟା ଧରି AC ଚାଲୁ ରଖିଲେ ମେସିନ୍ ଓ ବିଦ୍ୟୁତ ତାର ଅତ୍ୟଧିକ ଗରମ ହୋଇପାରେ।

କିପରି ସତର୍କ ରହିବେ ?

• ସମୟ ସମୟରେ AC ସର୍ଭିସିଂ କରାନ୍ତୁ।
• ଭଲ ଗୁଣବତ୍ତାର ବିଦ୍ୟୁତ ତାର ବ୍ୟବହାର କରନ୍ତୁ।
• ଷ୍ଟାବିଲାଇଜର ବ୍ୟବହାର କରିବାକୁ ଭୁଲିବେ ନାହିଁ।
• ଦୀର୍ଘ ସମୟ ଧରି ନିରନ୍ତର AC ଚଲାଇବାରୁ ବଚନ୍ତୁ।
• ଜଳିବା ଗନ୍ଧ କିମ୍ବା ଅସାଧାରଣ ଶବ୍ଦ ଆସିଲେ ତୁରନ୍ତ AC ବନ୍ଦ କରନ୍ତୁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score