Explore

Search

July 9, 2026 12:51 am

ସାଇବର ଠକେଇ ବିରୋଧରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ : ଆରମ୍ଭ ହେଲା e-Zero FIR ବ୍ୟବସ୍ଥା

ଭୁବନେଶ୍ୱର : ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ନିଷ୍ପତ୍ତି ଓ ପୀଡ଼ିତଙ୍କୁ ତ୍ୱରିତ ସହାୟତା ପ୍ରଦାନ ଲକ୍ଷ୍ୟରେ ଓଡ଼ିଶା ପୋଲିସ ରାଜ୍ୟରେ ପ୍ରଥମ ଥର ପାଇଁ ‘e-Zero FIR’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି ।

ସାଇବର ଠକେଇର ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସହଜ, ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଠକେଇ ହୋଇଥିବା ଅର୍ଥ ଉଦ୍ଧାରର ସମ୍ଭାବନା ମଧ୍ୟ ବଢ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ (SCRB) ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ CCTNS ସହ ସଂଯୋଗ କରି ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିଛି । ନୂତନ ବ୍ୟବସ୍ଥା ଅନୁଯାୟୀ, ₹୧୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ରାଶିର ସାଇବର ଆର୍ଥିକ ଠକେଇ ଅଭିଯୋଗ ୧୯୩୦ରେ ପଞ୍ଜୀକୃତ ହେଲେ, CCTNSରେ ସ୍ୱୟଂଚାଳିତ ଭାବେ e-Zero FIR ସୃଷ୍ଟି ହୋଇ ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନକୁ ପଠାଯିବ।

ପ୍ରାଥମିକ ଯାଞ୍ଚ ପରେ ସାଇବର ପୋଲିସ ଷ୍ଟେସନ ନିୟମିତ FIR ରୁଜୁ କରି ତଦନ୍ତ ଆରମ୍ଭ କରିପାରିବ। ଆବଶ୍ୟକତା ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର କରାଯିବ କିମ୍ବା ଅନ୍ୟ ଚାଲୁଥିବା ମାମଲା ସହ ଯୋଡ଼ାଯିବ।

ଏନେଇ ଡିଜିପି ଖୁରାନିଆ କହିଛନ୍ତି ଯେ, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରିବାକୁ ଓଡ଼ିଶା ପୋଲିସ ପ୍ରତିବଦ୍ଧ । ସେ ନାଗରିକଙ୍କୁ ଆହ୍ୱାନ କରି କହିଛନ୍ତି ଯେ, ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ରେ ଅଭିଯୋଗ କରନ୍ତୁ । ଶୀଘ୍ର ଅଭିଯୋଗ କଲେ ପୋଲିସ ତୁରନ୍ତ ପଦକ୍ଷେପ ନେଇପାରିବ ଏବଂ ହରାଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ବଢ଼ିବ।

କ’ଣ ଏହି e-Zero FIR?

ସାଧାରଣତଃ କୌଣସି ଅପରାଧ ଘଟଣାର FIR ସମ୍ପୃକ୍ତ ଅଞ୍ଚଳର ଥାନାରେ ରୁଜୁ ହୁଏ । କିନ୍ତୁ ସାଇବର ଅପରାଧ ମାମଲାରେ ଅଧିକାର କ୍ଷେତ୍ର ଓ ବୈଷୟିକ ଜଟିଳତା କାରଣରୁ ଅଭିଯୋଗ ପଞ୍ଜୀକରଣରେ ବିଳମ୍ବ ହେଉଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ‘ଜିରୋ FIR’ ବ୍ୟବସ୍ଥାକୁ ଡିଜିଟାଲ ରୂପ ଦିଆଯାଇଛି।

ଏବେ ପୀଡ଼ିତ ବ୍ୟକ୍ତି ଥାନାକୁ ନଯାଇ ଅନଲାଇନ୍‌ରେ ଅଭିଯୋଗ କରିପାରିବେ । ଏହାସହ ଯଦି ଆର୍ଥିକ ଠକେଇ ଘଟେ ଏବଂ NCRP ପୋର୍ଟାଲ କିମ୍ବା ୧୯୩୦ ହେଲ୍ପଲାଇନରେ ଅଭିଯୋଗ ଦାଖଲ ହୁଏ, ତେବେ ସିଷ୍ଟମ ସ୍ୱୟଂଚାଳିତ ଭାବେ ଏହାକୁ e-Zero FIRରେ ପରିଣତ କରିଦେବ। ଫଳରେ ମାମଲା ପଞ୍ଜୀକରଣ ଓ ତଦନ୍ତ ପ୍ରକ୍ରିୟା ଅଧିକ ଦ୍ରୁତ ଏବଂ ପ୍ରଭାବଶାଳୀ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score