Explore

Search

May 23, 2026 5:14 am

ସବୁ ଜିଲ୍ଲାରେ ଖୋଲିବ ନିର୍ବାଚନ ସହାୟତା କେନ୍ଦ୍ର

ଭୁବନେଶ୍ବର : ଆସନ୍ତା ମେ’ ୩୦ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସ୍‌ଆଇଆର୍‌) ପ୍ରକ୍ରିୟା । ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ଏପରି ବ୍ୟାପକ ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲାଯିବ। ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି।

ଏହି ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ ଏସଆଇଆରର ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ ଓ ବିଲୋପ ସମ୍ବନ୍ଧୀୟ ସମସ୍ତ ସୂଚନା ସହଜରେ ପାଇପାରିବେ। ଏଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଆବେଦନ ପତ୍ର ପୂରଣରେ ମଧ୍ୟ ସହଯୋଗ ମିଳିବ। ବିଶେଷକରି ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।

ହେଲ୍ପଡେସ୍କରେ ପ୍ରଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ଉପଲବ୍ଧ ରହିବ। ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍‌ ଓ ଇସିଆଇନେଟ୍‌ ଆପ୍‌ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ। ମେ’ ୨୫ ସୁଦ୍ଧା ହେଲ୍ପ ଡେସ୍କ ସ୍ଥାପନ ଓ କାର୍ଯ୍ୟକ୍ଷମତା ସମ୍ପର୍କିତ ରିପୋର୍ଟ ପଠାଇବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବ୍ୟାପକ ଭୋଟର ଯାଞ୍ଚ ଅଭିଯାନ ଅନ୍ତର୍ଗତ ରାଜ୍ୟର ପ୍ରାୟ ୩.୩୪ କୋଟି ଭୋଟରଙ୍କ ତଥ୍ୟ ସିଧାସଳଖ ଯାଞ୍ଚ କରାଯିବ। ଏଥିପାଇଁ ୩୮ ହଜାର ୧୨୩ ଜଣ ବୁଥ୍‌ ଲେଭେଲ୍‌ ଅଫିସର (ବିଏଲଓ) ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ସତ୍ୟାପନ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୮ ହଜାର ୩୯୧ ଜଣ ବୁଥ୍‌ ଲେଭେଲ୍‌ ଏଜେଣ୍ଟ (ବିଏଲଏ) ନିୟୋଜିତ ହେବେ। ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ଏହାର ପ୍ରମୁଖ ଲକ୍ଷ୍ୟ ରହିଛି।

ମେ’ ୨୦ରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ମେ’ ୨୯ ପର୍ଯ୍ୟନ୍ତ ଚାଲିବ। ମେ’ ୩୦ରୁ ଜୁନ୍‌ ୨୮ ଯାଏ ଘରକୁ ଘର ବୁଲି ଭୋଟର ଯାଞ୍ଚ କରାଯିବ। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଅଭିଯୋଗ ଓ ସଂଶୋଧନ ପାଇଁ ଆବେଦନ ଗ୍ରହଣ କରାଯିବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

କେବଳ ଓଡ଼ିଶା ନୁହେଁ, ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ କାର୍ଯ୍ୟକ୍ରମ ଚାଲିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୃତ ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ ଦେବା ସହ ନୂତନ ଯୋଗ୍ୟ ଭୋଟରଙ୍କ ସଠିକ ତଥ୍ୟ ସମ୍ମିଳିତ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା। ଯେଉଁ ନାଗରିକମାନେ ୧୮ ବର୍ଷ ବୟସ୍‌ ପୂରଣ କରିଛନ୍ତି ସେମାନଙ୍କ ନାମ ମଧ୍ୟ ନୂଆ ଭାବେ ଯୋଡାଯିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score