ଭୁବନେଶ୍ୱର : ଛାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ‘ଶକ୍ତିଶ୍ରୀ’ ଆପ୍ । ଏହି ଆପକୁ ସମସ୍ତ ଶିକ୍ଷାର୍ଥୀଙ୍କ ମୋବାଇଲରେ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଆପଟି ଦିନର ୨୪ ଘଣ୍ଟା ସୁରକ୍ଷା ସହାୟତା ଦେବା ସହ ଆପତ୍କାଳୀନ ସମୟରେ ତୁରନ୍ତ ସହଯୋଗ ପହଞ୍ଚାଇବାରେ ସାହାଯ୍ୟ କରିବ ।
ଆପ୍ ଡାଉନଲୋଡ ପରେ ଶିକ୍ଷାର୍ଥୀଙ୍କୁ ନାମ, ସାମ୍ସ ପରିଚୟ ସଂଖ୍ୟା, କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପଞ୍ଜୀକରଣ ସଂଖ୍ୟା, ମୋବାଇଲ ନମ୍ବର ଓ ଦୁଇଟି ଜରୁରୀକାଳୀନ ନମ୍ବର ଦେଇ ପଞ୍ଜୀକରଣ କରିବାକୁ ପଡିବ । ଛାତ୍ରଛାତ୍ରୀ ଏହି ଆପଟି କିପରି ବ୍ୟବହାର କରିବେ, ସେଥିପାଇଁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହେବ ।
ଏହି ଆପରେ ସୁରକ୍ଷା ସନ୍ଦେଶ, ପରାମର୍ଶ ସହାୟତା, ଜରୁରୀ ସୂଚନା ଓ ଶିକ୍ଷାନୁଷ୍ଠାନ ସମ୍ପର୍କିତ ଘୋଷଣା ମିଳିବ । କୌଣସି ବିପଦ ସମୟରେ ଶିକ୍ଷାର୍ଥୀ ତୁରନ୍ତ ନିଜର ତୁରନ୍ତ ଅବସ୍ଥିତି ସୂଚନା ସ୍ଥାନ ସୂଚନା ପଠାଇ ସହଯୋଗ ମାଗିପାରିବେ । ଆତ୍ମସୁରକ୍ଷା ଓ ବିପଦକୁ କିପରି ସାମ୍ନା କରିବା ନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଏନେଇ ଚିଠି ପଠାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗତ ୨ ତାରିଖରେ ଏହି ଆପର ଶୁଭାରମ୍ଭ କରିଥିଲେ । ସରକାରଙ୍କ କହିବା ଅନୁସାରେ, ଏହା ମହିଳା ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଗତ ବର୍ଷ ଘୋଷିତ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଅନୁସାରେ ରାଜ୍ୟର ୧୬ଟି ବିଶ୍ୱବିଦ୍ୟାଳୟ ଓ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ଆଉ ସୁଦୃଢ଼ କରାଯିବ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର” ଗଠନ ହେବ । ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବେ ଏହାର ଦାୟିତ୍ୱ ନେବେ ।
ଏହାସହ ଜିଲ୍ଲାପାଳଙ୍କ ଦ୍ୱାରା ଚୟନିତ ୫ ଜଣ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବେ କାମ କରିବେ । ସେମାନେ ପ୍ରତି ୩ ମାସରେ ଶିକ୍ଷାନୁଷ୍ଠାନ ଯାଇ ଛାତ୍ରୀଙ୍କୁ ପରାମର୍ଶ ଓ ସହଯୋଗ ଦେବେ । ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ସହ ଆଇନଗତ ଅଧିକାର ସମ୍ପର୍କରେ ମଧ୍ୟ ସଚେତନ କରାଯିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
