Explore

Search

May 27, 2026 11:43 pm

ଲୋକଙ୍କ ହୃଦୟର ଜିଲ୍ଲାପାଳ : ଗଞ୍ଜାମରେ ଭି.କୀର୍ତ୍ତିଭାସନଙ୍କ ଉନ୍ନତିର ନୂଆ ଅଧ୍ୟାୟ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଜନପ୍ରିୟ ଓ ଲୋକାଭିମୁଖୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ନାମ ଆଜି ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳେ । ସରଳ ବ୍ୟବହାର, ଲୋକଙ୍କ ପ୍ରତି ଭଲପାଇବା ଓ ଉନ୍ନତିମୂଳକ କାମ ପାଇଁ ଗଞ୍ଜାମବାସୀଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ମହିଳା ସଶକ୍ତିକରଣ ଓ ଯୁବପୀଢିଙ୍କ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟଶୈଳୀ ସମଗ୍ର ଜିଲ୍ଲାରେ ନୂଆ ଆଶା ସୃଷ୍ଟି କରିଛି । ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝି ତାକୁ ତୁରନ୍ତ ସମାଧାନ କରିବାର ତାଙ୍କର ଏହି ଶୈଳୀକୁ ନେଇ ସମଗ୍ର ଜିଲ୍ଲାବାସୀ ପ୍ରଶଂସା କରନ୍ତି ।

ଗଞ୍ଜାମ ଜିଲ୍ଲାର ପ୍ରଶାସନିକ କ୍ଷେତ୍ରରେ ଯେଉଁ କିଛି ଅଧିକାରୀ ନିଜର କାର୍ଯ୍ୟଦକ୍ଷତା, ସରଳ ବ୍ୟବହାର ଓ ଲୋକମାନଙ୍କ ସହ ନିକଟ ସମ୍ପର୍କ ଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ନାମ ବିଶେଷ ଭାବେ ଉଲ୍ଲେଖନୀୟ । ଜିଲ୍ଲାର ସାମଗ୍ରିକ ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ମହିଳା ସଶକ୍ତିକରଣ ଓ ଯୁବପୀଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ଦିଗରେ ତାଙ୍କ ଅବଦାନ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇପାରିଛି ।

ଜଣେ ଦାୟିତ୍ୱବାନ ପ୍ରଶାସକ ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ସଦାସର୍ବଦା ଲୋକଙ୍କ ମଧ୍ୟରେ ରହି କାମ କରିବାକୁ ପସନ୍ଦ କରନ୍ତି । ସେ କେବଳ କାର୍ଯ୍ୟାଳୟରେ ବସି ନିଷ୍ପତ୍ତି ନେବାରେ ବିଶ୍ୱାସ କରନ୍ତିନାହିଁ , ବରଂ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ଅଭାବ ଓ ସମସ୍ୟାକୁ ସ୍ୱୟଂ ଅନୁଭବ କରି ସମାଧାନର ପଥ ଖୋଜନ୍ତି । ତାଙ୍କର ଏହି ଲୋକମୁଖୀ ଶୈଳୀ ସାଧାରଣ ଲୋକଙ୍କ ମନରେ ଅନେକ ଆଶା ଜୀବିତ କରାଇଛି । ଏପରିକି ଅନେକ ସମୟରେ ସେ ହଠାତ୍ ବିଭିନ୍ନ କାର୍ଯ୍ୟାଳୟ, ବିଦ୍ୟାଳୟ, ଚିକିତ୍ସାଳୟ ଓ ଗ୍ରାମ ପରିଦର୍ଶନ କରି ବ୍ୟବସ୍ଥାର ସତ୍ୟ ଚିତ୍ର ଜାଣିବାକୁ ଚେଷ୍ଟା କରିଥାନ୍ତି।

ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ବାତ୍ୟା, ବନ୍ୟା ଓ ଅତିବୃଷ୍ଟି ପରି ସମସ୍ୟା ସମୟରେ ପ୍ରଶାସନ ପାଇଁ ଦୃଢ଼ ନେତୃତ୍ୱ ଅତ୍ୟନ୍ତ ଆବଶ୍ୟକ ହୁଏ । ସେହି ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ଦୃତ ପଦକ୍ଷେପ ଓ ଯଥୋଚିତ ପରିଚାଳନା ଜିଲ୍ଲାବାସୀଙ୍କୁ ବହୁତ ସହାୟତା କରିଛି । ପୂର୍ବ ପ୍ରସ୍ତୁତି, ଲୋକମାନଙ୍କୁ ସଚେତନ କରିବା, ଆଶ୍ରୟସ୍ଥଳର ବ୍ୟବସ୍ଥା, ଖାଦ୍ୟ ଓ ପାଣି ଯୋଗାଣ ଭଳି କାର୍ଯ୍ୟକୁ ସେ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ଅନେକ ଜୀବନ ରକ୍ଷା ପାଇଛି ଏବଂ ଲୋକମାନେ ପ୍ରଶାସନ ଉପରେ ଅଧିକ ଭରସା କରିପାରିଛନ୍ତି ।

ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତ୍ୟନ୍ତ ସ୍ମରଣୀୟ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଭଲ ପାଠପଢ଼ାର ସୁଯୋଗ ପାଇପାରନ୍ତୁ ବୋଲି ସେ ବିଭିନ୍ନ ବିଦ୍ୟାଳୟର ପରିବେଶ ଉନ୍ନତି ଉପରେ ଜୋର ଦେଇଛନ୍ତି । ଶିଶୁମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଉଛନ୍ତି । ଅନେକ ସମୟରେ ସେ ନିଜେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ସ୍ୱପ୍ନ ଓ ସମସ୍ୟା ବିଷୟରେ ପଚାରିଥାନ୍ତି । ଯାହା ଛାତ୍ରଛାତ୍ରୀଙ୍କୁ ନୂତନ ଉତ୍ସାହ ଦେଇଥାଏ ।

ନିକଟରେ ବ୍ରହ୍ମପୁରଠାରେ ‘ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ରର’ ଶୁଭାରମ୍ଭ କରି IAS ଏବଂ OAS ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ତାଲିମ୍ ମଧ୍ୟ ଦେଇଛନ୍ତି ।

ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ ଦିଗରେ ମଧ୍ୟ ସେ ଅନେକ ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳରେ ମୌଳିକ ଚିକିତ୍ସା ସୁବିଧା ପହଞ୍ଚିବା, ଗର୍ଭବତୀ ମହିଳା ଓ ଶିଶୁଙ୍କ ସୁରକ୍ଷା, ପୌଷ୍ଟିକ ଖାଦ୍ୟ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଭଳି ଅନେକ କାମକୁ ସେ ଗୁରୁତ୍ୱ ଦେଇଛନ୍ତି। ଚିକିତ୍ସାଳୟରେ ଲୋକମାନେ ଯେପରି ଭଲ ସେବା ପାଇପାରିବେ, ସେଥିପାଇଁ ସମୟ ସମୟରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥାନ୍ତି ।

ଗଞ୍ଜାମରେ ଗର୍ଭବତୀଙ୍କ ପାଇଁ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ । ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଏହି ନୂତନ ଓ ପ୍ରୟୋଜନମୂଳକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା।

ମହିଳା ସଶକ୍ତିକରଣ ପ୍ରତି ମଧ୍ୟ ତାଙ୍କର ବିଶେଷ ଗୁରୁତ୍ୱ ରହିଛି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ସେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଅନେକ ମହିଳା ତାଙ୍କ ଉଦ୍ୟମ ଫଳରେ ଛୋଟ ବ୍ୟବସାୟ ଆରମ୍ଭ କରି ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ଗୋଟେ ଜିଲ୍ଲାର ସେ ହେଉଛନ୍ତି ଜିଲ୍ଲାପାଳ । ହେଲେ ମନରେ ନା ଅଛି ଗର୍ବ ନା ଅହଂକାର । ସବୁ ଲୋକଙ୍କୁ ନିଜର ଭାବି ସମସ୍ତଙ୍କ ସହ ନିଜର ଭାବେ ମିଶିଯାଆନ୍ତି । ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ମଧ୍ୟ ଜିଲ୍ଲାପାଳଙ୍କ ଆଗ୍ରହ ଦେଖିବାକୁ ମିଳେ ।

ଗଛ ଲଗେଇବା ଠୁ ନେଇ ପ୍ଲାଷ୍ଟିକ ବିରୋଧୀ ସଚେତନତା, ଜଳ ସଂରକ୍ଷଣ ଓ ସ୍ୱଚ୍ଛ ପରିବେଶ ନିମନ୍ତେ ସେ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସହର ଓ ଗ୍ରାମକୁ ସୁନ୍ଦର ଓ ସ୍ୱଚ୍ଛ କରିବାରେ ସାଧାରଣ ଲୋକଙ୍କୁ ସାମିଲ କରିବା ତାଙ୍କର ଏକ ବଡ଼ ପ୍ରୟାସ ।

ଆଉ ଏବେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ କରି ସମଗ୍ର ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକମୁକ୍ତ କରିବାପାଇଁ ଲକ୍ଷ ରଖିଛନ୍ତି । ଏଥିପାଇଁ ଖୋଦ ଜିଲ୍ଲାପାଳ ନିଜେ ଲୋକଙ୍କ ସହ ମିଶି ପରିବେଶକୁ କରୁଛନ୍ତି ସଫାସୁତରା।

ଯୁବପୀଢ଼ିଙ୍କ ଉନ୍ନତି ପାଇଁ ମଧ୍ୟ ସେ ବିଶେଷ ଧ୍ୟାନ ଦେଇଛନ୍ତି । କ୍ରୀଡ଼ା, ସଂସ୍କୃତି ଓ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବମାନଙ୍କୁ ନୂତନ ଦିଗ ଦେବାର ଚେଷ୍ଟା ହୋଇଛି । ବେକାର ଯୁବକ ଯୁବତୀମାନେ ନୂଆ କୌଶଳ ଶିଖି ଆତ୍ମନିର୍ଭର ହେବା ପାଇଁ ବିଭିନ୍ନ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛନ୍ତି ଖୋଦ ଜିଲ୍ଲାପାଳ ।

ଗୋପାଳପୁର ମହୋତ୍ସବ ଠୁ ନେଇ ଛତ୍ରପୁର ମହୋତ୍ସବ ସହ ଛୋଟ ପର୍ବପର୍ବାଣୀରେ ଲୋକଙ୍କ ସହ ଜଡିତ ହୁଅନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ । ଲୋକଙ୍କ ପାଇଁ ମେଳା ମହୋତ୍ସବରେ ଯେମିତି କିଛି ଅସୁବିଧା ନ ହେବ ସମସ୍ତ ଦର୍ଶକ ଖୁସିରେ ମଉଜ କରିବେ ସେଥିପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି ଜିଲ୍ଲାପାଳ ।

ସରଳତା ଓ ନମ୍ର ବ୍ୟବହାର ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ସବୁଠାରୁ ବଡ଼ ପରିଚୟ। ସାଧାରଣ ଲୋକଙ୍କ ସହ ତାଙ୍କର ମିଶିବା ଶୈଳୀ ଅନ୍ୟ ଅଧିକାରୀମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ। ସେ ଲୋକଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଥାନ୍ତି । ଏହି କାରଣରୁ ଜିଲ୍ଲାର ସମସ୍ତ ବର୍ଗର ଲୋକ ତାଙ୍କୁ ନିଜର ଅଧିକାରୀ ଭାବେ ଗ୍ରହଣ କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ଉନ୍ନତି ଓ ଲୋକସେବା ପ୍ରତି ତାଙ୍କର ନିଷ୍ଠା ଆଜି ତାଙ୍କୁ ଏକ ଜନପ୍ରିୟ ପ୍ରଶାସକ ଭାବେ ପରିଚିତ କରାଇଛି। ତାଙ୍କର କାର୍ଯ୍ୟଶୈଳୀ ଓ ଦୃଢ଼ ସଙ୍କଳ୍ପ ଅନେକ ଯୁବ ଅଧିକାରୀଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକମାନଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ସମାଧାନ କରିବାର ତାଙ୍କର ଭାବନା ଗଞ୍ଜାମବାସୀଙ୍କ ହୃଦୟରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଖାଲି ସେତିକି ନୁହେଁ ସମଗ୍ର ଗଞ୍ଜାମବାସୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କୁ କୃତଜ୍ଞତା ଜଣାଇବା ସହ ଖୁସିବ୍ୟକ୍ତ ପ୍ରକାଶ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score