ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ତେଲ ସଙ୍କଟ ଗୁରୁତର ଆକାର ନେଇଛି। କେଉଁଠି ପେଟ୍ରୋଲ ପମ୍ପରେ ତେଲ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିବା ବେଳେ, ଆଉ କେଉଁଠି ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଛିଡା ହୋଇ ରହୁଛନ୍ତି । ସୋର, ତେଲକୋଇ, ଭଦ୍ରକ, ଭଞ୍ଜନଗର, ବଲାଙ୍ଗୀର ଓ ଯାଜପୁର ସହ ଅନେକ ସ୍ଥାନରେ ଏହି ସମସ୍ୟା ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଦୈନିକ କାମକାଜ ପାଇଁ ଗାଡ଼ି ଉପରେ ନିର୍ଭର କରୁଥିବା ଲୋକମାନେ ବେଶ୍ ଅସୁବିଧାରେ ପଡ଼ୁଛନ୍ତି।
ବାଲେଶ୍ୱର ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପରେ ଆବଶ୍ୟକ ଅନୁଯାୟୀ ତେଲ ମିଳୁନଥିବାରୁ ଗ୍ରାହକଙ୍କୁ ସୀମିତ ପରିମାଣରେ ତେଲ ଦିଆଯାଉଛି। କେତେକ ସ୍ଥାନରେ ମାତ୍ର ୨୦୦ କିମ୍ବା ୫୦୦ ଟଙ୍କାର ତେଲ ଦେଇ ଗ୍ରାହକଙ୍କୁ ଫେରାଇ ଦିଆଯାଉଛି । ଏହାର ପ୍ରଭାବରେ ଦୁଇଚକିଆ ଓ ଚାରିଚକିଆ ଯାନଚାଳକଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ବଢ଼ିବାରେ ଲାଗିଛି।
କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପେଟ୍ରୋଲ ନମିଳିବାରୁ ଅନେକଙ୍କୁ ୨୦ରୁ ୩୦ କିଲୋମିଟର ଦୂରକୁ ଯାଇ ତେଲ ଆଣିବାକୁ ପଡୁଛି। ଯାହାଫଳରେ ସମୟ ଓ ଅର୍ଥ ଉଭୟର ଅଧିକ ଖର୍ଚ୍ଚ ହେଉଛି । ବିଶେଷକରି ଦୈନିକ ଯାତାୟାତ କରୁଥିବା ଚାକିରିଆ ଓ ଛାତ୍ରଛାତ୍ରୀ ବେଶ୍ ପ୍ରଭାବିତ ହେଉଛନ୍ତି।
ଭଦ୍ରକ, ଭଞ୍ଜନଗର, ବଲାଙ୍ଗୀର ଓ ଯାଜପୁରରେ ମଧ୍ୟ ଅନେକ ପେଟ୍ରୋଲ ପମ୍ପରେ ତେଲ ଅଭାବ ଦେଖାଦେଇଛି। କେତେକ ପମ୍ପ ସାମୟିକ ଭାବେ ବନ୍ଦ ହୋଇଥିବାବେଳେ, କେଉଁଠି ତେଲ ଟ୍ୟାଙ୍କର ଆସିବାକୁ ଅପେକ୍ଷା କରାଯାଉଛି। ପମ୍ପ ସମ୍ମୁଖରେ ଦୀର୍ଘ ଲାଇନ୍ ଲାଗିଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି।
ତେଲ ସଙ୍କଟ ଦୀର୍ଘ ସ୍ଥାୟୀ ହେଲେ ଦୈନିକ ଜୀବନ ସହ ପରିବହନ ବ୍ୟବସ୍ଥା ଓ ବ୍ୟବସାୟ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିପାରେ ବୋଲି ସାଧାରଣ ଲୋକେ ଚିନ୍ତା ପ୍ରକାଶ କରୁଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
