Explore

Search

June 11, 2026 5:29 pm

ରଥଯାତ୍ରା ୨୦୨୬ ପାଇଁ ମେଗା ବ୍ଲୁପ୍ରିଣ୍ଟ : ଆରମ୍ଭ ହେଲା ‘ଡୁଆଲ୍ ମ୍ୟାନେଜମେଣ୍ଟ ପ୍ଲାନ୍’

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନିର୍ବିଘ୍ନ ଓ ସୁରକ୍ଷିତ କରିବା ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ଏକ ବ୍ୟାପକ ଓ ଅତ୍ୟାଧୁନିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ‘ଡୁଆଲ ମ୍ୟାନେଜମେଣ୍ଟ ପ୍ଲାନ’ କାର୍ଯ୍ୟକାରୀ କରାଯାଉଛି, ଯାହା ଏକାସାଙ୍ଗରେ ଉତ୍ତାପଜନିତ ସମସ୍ୟା ଓ ମୌସୁମୀ ବର୍ଷାଜନିତ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ ହେବ।

ରଥଯାତ୍ରା ସମୟରେ ‘ଜିରୋ କାଜୁଆଲିଟି’ ଓ ‘ଜିରୋ ଡ୍ରାଉନିଂ’ ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ଏହି ସୁରକ୍ଷା ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।

ଭକ୍ତମାନେ ପ୍ରବଳ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ବଡ଼ଦାଣ୍ଡରେ ସ୍ୱତନ୍ତ୍ର ଜଳସିଞ୍ଚନ ବ୍ୟବସ୍ଥା କରାଯିବ । ୧୮ରୁ ୨୦ଟି ପାଣି ଟ୍ୟାଙ୍କର ମାଧ୍ୟମରେ ନିୟମିତ ପାଣି ଛିଞ୍ଚାଯିବା ସହ ଉଚ୍ଚ କ୍ଷମତାସମ୍ପନ୍ନ ବ୍ଲୋୟର୍ ବ୍ୟବହାର କରାଯିବ, ଯାହା ତାପମାତ୍ରା କମାଇ ଭକ୍ତମାନଙ୍କୁ ଆରାମ ପ୍ରଦାନ କରିବ।

ଅନ୍ୟପଟେ, ଯଦି ବର୍ଷା ଯୋଗୁଁ ବଡ଼ଦାଣ୍ଡରେ ଜଳ ଜମିବା ସ୍ଥିତି ସୃଷ୍ଟି ହୁଏ, ତେବେ ତୁରନ୍ତ ଜଳ ନିଷ୍କାସନ ପାଇଁ ଅତ୍ୟାଧୁନିକ ପମ୍ପ ମୁତୟନ କରାଯିବ। ଏହି ପମ୍ପଗୁଡ଼ିକ ପ୍ରତି ମିନିଟରେ ପ୍ରାୟ ୪୨୦୦ ଲିଟର ପାଣି ବାହାର କରିବାର କ୍ଷମତା ରଖିଥିବାରୁ ଯାତ୍ରୀ ଓ ସେବାୟତମାନଙ୍କ ଯାତାୟାତରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।

ପୁରୀ ବେଳାଭୂମିରେ କଡ଼ା ସୁରକ୍ଷା ବ୍ୟବସ୍ଥା

ରଥଯାତ୍ରା ସମୟରେ ପୁରୀ ସମୁଦ୍ରକୂଳକୁ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଭକ୍ତ ଆସୁଥିବାରୁ ସେଠାରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମୁଦ୍ରରେ ବୁଡ଼ିଯିବା ଭଳି ଦୁର୍ଘଟଣା ରୋକିବା ପାଇଁ ୨୫ ଜଣ ଲାଇଫ୍ ଗାର୍ଡଙ୍କୁ ଆନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ଦିଆଯାଇଛି। ଏହାସହ ବେଳାଭୂମିରେ ୫ଟି ଫାଷ୍ଟଏଡ୍ ସେଣ୍ଟର, ଲାଇଫ୍ ସେଭିଂ ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଟିମ୍ ସଜାଗ ରହିବେ।

ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟାପକ ପ୍ରସ୍ତୁତି

ରଥଯାତ୍ରା ସମୟରେ କୌଣସି ଚିକିତ୍ସାଜନିତ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି। ସ୍ନାନଯାତ୍ରା ପୂର୍ବରୁ ୩୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ସଂରକ୍ଷଣ କରାଯିବ। ପୁରୀ ମୁଖ୍ୟ ଚିକିତ୍ସାଳୟର ନୂତନ ଭବନରେ ୧୫୦ ଶଯ୍ୟା ଓ ସଂକ୍ରାମକ ରୋଗ ଚିକିତ୍ସାଳୟରେ ଅତିରିକ୍ତ ୮୦ ଶଯ୍ୟା ପ୍ରସ୍ତୁତ ରହିବ।

ଏହାଛଡ଼ା ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୩୦ଟି ଫାଷ୍ଟ ଏଡ୍ ସେଣ୍ଟର ଓ ୮ଟି ଅସ୍ଥାୟୀ ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ସମସ୍ତ କେନ୍ଦ୍ରରେ MBBS ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ ୨୪ ଘଣ୍ଟିଆ ସେବା ପାଇଁ ଉପଲବ୍ଧ ରହିବେ।

ସମଗ୍ର ଭାବେ ଦେଖିଲେ, ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଅଘଟଣମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଥର ଅଭୂତପୂର୍ବ ପ୍ରସ୍ତୁତି କରାଯାଇଛି, ଯାହା ଭକ୍ତମାନଙ୍କୁ ଏକ ସୁରକ୍ଷିତ ରଥଯାତ୍ରାର ଅନୁଭୂତି ଦେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score