Explore

Search

June 13, 2026 6:29 pm

ମୋହନ ସରକାରଙ୍କ ବଡ଼ ଘୋଷଣା, ହିତାଧିକାରୀଙ୍କୁ ମିଳିବ ୩ ମାସର ଭତ୍ତା

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିଛି। ଜନସାଧାରଣଙ୍କ ବିପୁଳ ସମର୍ଥନରେ ଗଠିତ ହୋଇଥିବା ତେବେ ସରକାର ଦୁଇ ବର୍ଷର ଯାତ୍ରାକୁ “୨ ବର୍ଷରେ ୨ ଗୁଣା ବିକାଶ” ନାରା ସହ ପାଳନ କରୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସରକାରଙ୍କ ବିଭିନ୍ନ ସଫଳତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୧୨୧ଟି ନୂତନ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଲୋକଙ୍କ କଲ୍ୟାଣ ଏବଂ ବିକାଶକୁ ପ୍ରାଥମିକତା ଦେଇ ସରକାର ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଗତିରେ କାମ କରୁଛନ୍ତି। ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ ହୋଇଥିବାବେଳେ ହିତାଧିକାରୀମାନଙ୍କୁ ପ୍ରତିମାସ ୧୦ କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ।

ଭତ୍ତା ବଣ୍ଟନରେ ବିଳମ୍ବ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଟେକ୍ନୋଲୋଜି ଆଧାରିତ ବ୍ୟବସ୍ଥା ସହ ହିତାଧିକାରୀଙ୍କୁ ସଂଯୋଗ କରାଯାଉଥିବାରୁ କିଛି ସମୟ ଲାଗୁଛି। ତେବେ ଏହି ସମସ୍ୟାର ସମାଧାନ ହେଉଥିବାବେଳେ ବାକି ଥିବା ସମସ୍ତ ହିତାଧିକାରୀଙ୍କୁ ଖୁବଶୀଘ୍ର ତିନି ମାସର ଭତ୍ତା ଏକାଥରକେ ପ୍ରଦାନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡବଲ୍‌ ଇଞ୍ଜିନ ସରକାରର ଡବଲ୍‌ ପ୍ରଭାବ ଏବେ ଓଡ଼ିଶାର ବିକାଶ ଯାତ୍ରାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ରାଜ୍ୟର ପ୍ରତ୍ୟେକ ବର୍ଗର ଲୋକଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ, ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ୩ କୋଟି ୨୮ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୮,୮୧୩ କୋଟି ଟଙ୍କା ବ୍ୟୟ କରିବେ। ସେହିପରି ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ପାଖରେ ବିଦ୍ୟୁତ୍‌, ପାନୀୟଜଳ, ରାସ୍ତା ଓ ଅନ୍ୟାନ୍ୟ ମୌଳିକ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।

ନାରୀ ସଶକ୍ତୀକରଣ କ୍ଷେତ୍ରରେ ମଧ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ଦାବି କରିଛନ୍ତି । ସୁଭଦ୍ରା ଯୋଜନା, କନ୍ୟା ସୁମଙ୍ଗଳ ଯୋଜନା, ମିଶନ ଶକ୍ତି ଏବଂ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରାଯାଉଛି । କୃଷକଙ୍କ କଲ୍ୟାଣ ପାଇଁ ସମୃଦ୍ଧ କୃଷକ ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇଥିବାବେଳେ ଚାଷୀଙ୍କ ଆୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଶିକ୍ଷା କ୍ଷେତ୍ରରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇଥିବା ବେଳେ ଗୁଣାତ୍ମକ ଶିକ୍ଷା ଓ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସର୍ବସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗରେ ଆଗାମୀ ଦିନରେ ଓଡ଼ିଶାକୁ ବିକାଶର ନୂଆ ଉଚ୍ଚତାକୁ ନେବା ପାଇଁ ସରକାର କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score