Explore

Search

May 15, 2026 11:30 pm

ମେ ୩୧ରେ ଆକାଶରେ ଦେଖିବାକୁ ମିଳିବ ବିରଳ ‘ବ୍ଲୁ ମୁନ୍’

ମହାକାଶ ବିଜ୍ଞାନ ଓ ଜ୍ୟୋତିଷ ଘଟଣାବଳୀ ପ୍ରତି ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଆସୁଛି ଏକ ବହୁତ ବଡ଼ ଖବର। ଆସନ୍ତା ମେ ୩୧ ତାରିଖରେ ରାତିର ଆକାଶରେ ଦେଖାଯିବ ଏକ ବିରଳ ଓ ଚମତ୍କାର ଦୃଶ୍ୟ । ସେହି ଦିନ ଉଦୟ ହେବ ‘ବ୍ଲୁ ମୁନ୍’ ବା ନୀଳ ଜହ୍ନ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଦିନରେ ପଡ଼ୁଛି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା। ଧାର୍ମିକ ଓ ମହାଜାଗତିକ ଦୃଷ୍ଟିକୋଣରୁ ଏଭଳି ସଂଯୋଗକୁ ଅତ୍ୟନ୍ତ ଦୁର୍ଲଭ ବୋଲି ଧରାଯାଉଛି। ତେଣୁ ଏହି ଘଟଣାକୁ ନେଇ ଏବେ ସବୁଠାରେ ବେଶ୍ ଚର୍ଚ୍ଚା ଚାଲିଛି ।

‘ବ୍ଲୁ ମୁନ୍’ ନାମ ଶୁଣିଲେ ଅନେକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ସେହି ଦିନ ଚନ୍ଦ୍ର କ’ଣ ସତରେ ନୀଳ ରଙ୍ଗର ଦେଖାଯିବ? କିନ୍ତୁ ବାସ୍ତବରେ ଏହାର ସହ ଚନ୍ଦ୍ରର ରଙ୍ଗର କୌଣସି ସମ୍ପର୍କ ନାହିଁ। ମହାକାଶ ବିଜ୍ଞାନର ଭାଷାରେ, ଯେତେବେଳେ ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼େ, ସେଥିରୁ ଦ୍ୱିତୀୟ ପୂର୍ଣ୍ଣିମାକୁ ‘ବ୍ଲୁ ମୁନ୍’ ବୋଲି କୁହାଯାଏ।

ଚଳିତ ମେ ମାସରେ ଠିକ୍ ଏମିତି ଏକ ଘଟଣା ଘଟୁଛି। ମେ ୧ ତାରିଖରେ ପ୍ରଥମ ପୂର୍ଣ୍ଣିମା ହୋଇଥିବା ବେଳେ ଏବେ ମେ ୩୧ରେ ଦ୍ୱିତୀୟ ପୂର୍ଣ୍ଣିମା ପଡ଼ୁଛି। ଏଭଳି ଘଟଣା ସାଧାରଣତଃ ପ୍ରତି ଅଢ଼େଇ ବର୍ଷରେ ଥରେ ହୋଇଥାଏ। ସେଥିପାଇଁ ଏହାକୁ ବିରଳ ମହାଜାଗତିକ ଘଟଣା ଭାବେ ଦେଖାଯାଏ। ତେବେ ଏଥର ଚନ୍ଦ୍ର ନିଜର ସାଧାରଣ ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗରେ ହିଁ ଦେଖାଯିବ, କିନ୍ତୁ କ୍ୟାଲେଣ୍ଡର ହିସାବରେ ଏହାକୁ ‘ବ୍ଲୁ ମୁନ୍’ ଆଖ୍ୟା ଦିଆଯାଇଛି।

ଏଥରର ଜ୍ୟେଷ୍ଠ ପୂର୍ଣ୍ଣିମାର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ବହୁତ ଅଧିକ ରହିଛି । କାରଣ ୨୦୨୬ ମସିହାରେ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ‘ଅଧିକ ମାସ’ ପଡ଼ିଛି। ଏହି କାରଣରୁ ଏହି ପୂର୍ଣ୍ଣିମାକୁ ‘ଅଧିକ ଜ୍ୟେଷ୍ଠ ପୂର୍ଣ୍ଣିମା’ ବୋଲି ମଧ୍ୟ କୁହାଯାଉଛି।

ପଞ୍ଚାଙ୍ଗ ଅନୁସାରେ, ମେ ୩୦ ତାରିଖ ଦିନ ୧୧ଟା ୫୭ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ମେ ୩୧ ତାରିଖ ଅପରାହ୍ନ ୨ଟା ୧୪ ମିନିଟ ପର୍ଯ୍ୟନ୍ତ ରହିବ। ଉଦୟା ତିଥି ଅନୁଯାୟୀ, ମେ ୩୧ ରବିବାର ଦିନ ସ୍ନାନ, ଦାନ, ଜପ, ତପ ଓ ବ୍ରତ ଆଦି ପାଳନ କରାଯିବ।

ହିନ୍ଦୁ ଧର୍ମ ଅନୁଯାୟୀ, ଏଭଳି ପବିତ୍ର ଓ ଦୁର୍ଲଭ ସଂଯୋଗରେ ବ୍ରତ ରଖିବା, ପବିତ୍ର ନଦୀରେ ସ୍ନାନ କରିବା ଓ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଅଶେଷ ପୁଣ୍ୟ ଲାଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରବିତ୍‌ମାନଙ୍କ ମତରେ, ଏହି ଦିନ ଭଗବାନ ବିଷ୍ଣୁ ଓ ପ୍ରଭୁ ଶିବଙ୍କ ବିଶେଷ କୃପା ଲାଭ କରିବା ପାଇଁ ବେଶ୍ ଶୁଭ ମନାଯାଏ।

ରାତିର ଆକାଶ ହେବ ଅଧିକ ଆକର୍ଷଣୀୟ

ମେ ୩୧ ରାତିରେ ଚନ୍ଦ୍ରମା ତାହାର ଷୋହଳ କଳାରେ ଉଦ୍ଭାସିତ ହୋଇ ପୃଥିବୀକୁ ଆଲୋକିତ କରିବ। ଆକାଶ ପ୍ରେମୀ ଓ ମହାକାଶ ଘଟଣାକୁ ନିଜ ଆଖିରେ ଦେଖିବାକୁ ଭଲପାଉଥିବା ଲୋକଙ୍କ ପାଇଁ ଏହି ଦିନଟି କୌଣସି ବଡ଼ ଉତ୍ସବଠାରୁ କମ୍ ନୁହେଁ। ଏହି ବିରଳ ‘ବ୍ଲୁ ମୁନ୍’ ଦୃଶ୍ୟ ନିଶ୍ଚିତ ଭାବେ ଲୋକଙ୍କ ମନରେ ଏକ ଅଲଗା ଉତ୍ସାହ ସୃଷ୍ଟି କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score