ଭୁବନେଶ୍ୱର : ମେଟାକୁ କଡ଼ା ଟକ୍କର ଦେବାକୁ ଆସୁଛି ଗୁଗଲର ନୂଆ ଏଆଇ ସ୍ମାର୍ଟ ଚଷମା । ଆଖି ପିଛୁଳାକେ ଭାଷା ଅନୁବାଦ କରିବା ସହ ଫୋନକୁ ଛୁଇଁବା ବିନା କଲ ମଧ୍ୟ କରିହେବ । ସାମସଙ୍ଗ ଓ କ୍ୱାଲକମ ସହ ମିଶି ଗୁଗଲ ଏହି ଅତ୍ୟାଧୁନିକ ଚଷମା ତିଆରି କରିଛି। ଜେମିନି ଏଆଇ ସହିତ ଆସୁଥିବା ଏହି ଚଷମା ୟୁଜରଙ୍କୁ ସମ୍ପୂର୍ଣ୍ଣ ହ୍ୟାଣ୍ଡ୍ସ-ଫ୍ରି ଅନୁଭବ ଦେବ । ଭବିଷ୍ୟତରେ ଏହାକୁ ଏଆଇ ଜଗତର ଏକ ବଡ଼ ପରିବର୍ତ୍ତନକାରୀ ଉପକରଣ ଭାବେ ଦେଖାଯାଉଛି। ଗୁଗଲ ତାହାର ବାର୍ଷିକ କାର୍ଯ୍ୟକ୍ରମ ‘ଗୁଗଲ ଆଇ/ଓ ୨୦୨୬’ରେ ଏହି ଚଷମାକୁ ପ୍ରଦର୍ଶନ କରିଛି ।
ଏହି ସ୍ମାର୍ଟ ଚଷମାକୁ ଆକର୍ଷଣୀୟ ଏବଂ ଆଧୁନିକ ରୂପ ଦେବା ପାଇଁ ଗୁଗଲ ପ୍ରସିଦ୍ଧ ଆଇୱେୟାର ବ୍ରାଣ୍ଡ ‘ଜେଣ୍ଟଲ ମନଷ୍ଟର’ ଓ ‘ୱାର୍ବି ପାର୍କର’ ସହ ହାତ ମିଶାଇଛି । ଏହି ଦୁଇ ସଂସ୍ଥା ଆଣ୍ଡ୍ରଏଡ ଏକ୍ସଆର ଆଧାରିତ ପ୍ରଥମ ପୀଢ଼ିର ଚଷମା ପାଇଁ ଅନେକ ଷ୍ଟାଇଲିସ ଫ୍ରେମ ତିଆରି କରୁଛନ୍ତି । ୟୁଜରଙ୍କ ପାଇଁ ଦୁଇ ପ୍ରକାରର ସ୍ମାର୍ଟ ଚଷମା ଆସିବ ।
ଅଡିଓ ଚଷମା : ଏଥିରେ ଫ୍ରେମ୍ ଭିତରେ ସ୍ପିକର ଲାଗିଥିବ। ୟୁଜରଙ୍କ ପ୍ରଶ୍ନର ଉତ୍ତର ସ୍ଵର ମାଧ୍ୟମରେ ମିଳିବ। ଏହି ମଡେଲ ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିପାରେ।
ଡିସପ୍ଲେ ଚଷମା : ଏହି ଚଷମାରେ ୟୁଜରଙ୍କ ଆଖି ସାମ୍ନାରେ ସିଧାସଳଖ ତଥ୍ୟ ଦେଖାଯିବ। ଟେକ୍ସଟ୍, ନିର୍ଦ୍ଦେଶ ଓ ସୂଚନା ଛୋଟ ପରଦାରେ ଭାସିଉଠିବ।
ଫୋନ୍କୁ ଛୁଇଁବା ଛାଡ଼ି କାମ କରିବ ଜେମିନି ଏଆଇ। ଚଷମା ପିନ୍ଧିଲେ ପକେଟରୁ ଫୋନ୍ ବାହାର କରିବାର ଆବଶ୍ୟକତା ରହିବନି। କେବଳ ସ୍ଵର ନିର୍ଦ୍ଦେଶ କିମ୍ବା ଟଚ୍ କଣ୍ଟ୍ରୋଲ୍ ମାଧ୍ୟମରେ ଏହାକୁ ସକ୍ରିୟ କରିହେବ। ଆପଣଙ୍କ ସାମ୍ନାରେ ଥିବା ଯେକୌଣସି ଜିନିଷ ବିଷୟରେ ପଚାରିଲେ ଚଷମା ସେଥିରେ ସୂଚନା ଦେବ। ରେଷ୍ଟୁରାଣ୍ଟ, ସାଇନବୋର୍ଡ କିମ୍ବା ରାସ୍ତାର ନିର୍ଦ୍ଦେଶକୁ ଏହା ତୁରନ୍ତ ପଢ଼ି ଶୁଣାଇପାରିବ ।
ସ୍ମାର୍ଟ ନାଭିଗେସନ ସୁବିଧା ମଧ୍ୟ ଏଥିରେ ରହିଛି। ଏଣିକି ରାସ୍ତା ଖୋଜିବା ପାଇଁ ମୋବାଇଲରେ ମ୍ୟାପ୍ ଦେଖିବାକୁ ପଡ଼ିବନି। ଚଷମା ଆପଣଙ୍କୁ ସଠିକ୍ ଦିଗ ଦେଖାଇ ଗନ୍ତବ୍ୟସ୍ଥାନରେ ପହଞ୍ଚାଇଦେବ। ଏହା ସାହାଯ୍ୟରେ ହାତ ନଲଗାଇ ମେସେଜ୍ ପଠାଇବା, କଲ୍ ଧରିବା ଓ ମିସ୍ ହୋଇଥିବା ମେସେଜ୍ର ସାରକଥା ଶୁଣିବା ମଧ୍ୟ ସମ୍ଭବ ହେବ।
ଗୁଗଲ ଏଥିରେ ଲାଇଭ୍ ଟ୍ରାନ୍ସଲେସନ ସୁବିଧା ମଧ୍ୟ ଦେଇଛି। ସାମ୍ନାରେ ଥିବା ବ୍ୟକ୍ତିର ଭାଷାକୁ ତୁରନ୍ତ ଅନୁବାଦ କରିଦେବ ଏହି ଚଷମା। କେବଳ ଭାଷା ନୁହେଁ, ସ୍ଵରର ଭାବ ଓ ଟୋନ୍କୁ ମଧ୍ୟ ମେଳ କରି କହିପାରିବ। ବିଦେଶୀ ହୋଟେଲର ମେନୁ କାର୍ଡ କିମ୍ବା ସାଇନବୋର୍ଡକୁ ପଢ଼ି ଓଡ଼ିଆ କିମ୍ବା ଅନ୍ୟ ଭାଷାରେ ବୁଝାଇଦେବ।
ଖାଲି ସେତିକି ନୁହେଁ, କେବଳ ଗୋଟିଏ କମାଣ୍ଡରେ ଫଟୋ ଓ ଭିଡିଓ ଧାରଣ ମଧ୍ୟ କରିହେବ। ଏଥିରେ ଥିବା ସମ୍ପାଦନ ସୁବିଧା ମାଧ୍ୟମରେ ତୁରନ୍ତ ଛବିକୁ ସୁନ୍ଦର କରି ପରିବର୍ତ୍ତନ କରିହେବ।
ସବୁଠୁ ବଡ଼ କଥା ହେଲା, ଆଣ୍ଡ୍ରଏଡ୍ ଏକ୍ସଆର ପ୍ଲାଟଫର୍ମ କେବଳ ଗୁଗଲ ଆପ୍ରେ ସୀମିତ ରହିବନି। ଏଥିରେ ଉବର, ଡୋରଡ୍ୟାସ୍ ସହ ବିଭିନ୍ନ ଭାଷା ଶିଖାଇବା ଆପ୍ର ସହଯୋଗ ମଧ୍ୟ ମିଳିବ। ଏହି ସ୍ମାର୍ଟ ଚଷମା ଆଣ୍ଡ୍ରଏଡ୍ ଓ ଆଇଫୋନ୍ ଉଭୟ ପ୍ରକାରର ସ୍ମାର୍ଟଫୋନ ସହ ଯୋଡ଼ାଯାଇପାରିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
