Explore

Search

November 19, 2026 12:13 am

ଭିଡ଼ ନିୟନ୍ତ୍ରଣ ଚିନ୍ତା: କଟକ ବାଲିଯାତ୍ରା ୨୦୨୬ରେ ବଲିଉଡ୍‌ କଳାକାରଙ୍କ କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚିତତା

କଟକ: ଚଳିତ ବର୍ଷ କଟକ ବାଲିଯାତ୍ରାରେ ବଲିଉଡ୍‌ର ବଡ଼ ବଡ଼ କଳାକାରଙ୍କ ସଙ୍ଗୀତ କାର୍ଯ୍ୟକ୍ରମ କମ୍‌ ରହିପାରେ। ଭିଡ଼ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରି କମିଶନରେଟ୍‌ ପୋଲିସ୍‌ ଜିଲ୍ଲା ପ୍ରଶାସନକୁ ବଡ଼ ସେଲିବ୍ରିଟି କଳାକାରଙ୍କୁ ନିମନ୍ତ୍ରଣ ନକରିବାକୁ ପରାମର୍ଶ ଦେଇଛି। ଗତବର୍ଷ ଗାୟିକା ଶ୍ରେୟା ଘୋଷାଲଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ହୋଇଥିବା ଅତ୍ୟଧିକ ଭିଡ଼ ଓ ଏହାକୁ ନିୟନ୍ତ୍ରଣ କରିବାରେ ଦେଖାଦେଇଥିବା ସମସ୍ୟା ପରେ ପୋଲିସ୍‌ ଏହି ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଟ୍ୱିନ୍‌ ସିଟି ପୋଲିସ୍‌ କମିଶନର କଟକ ଜିଲ୍ଲା ପ୍ରଶାସନକୁ ଏନେଇ ଚିଠି ଲେଖିଥିବା ସୂଚନା ମିଳିଛି। ମେଳାର ଖୋଲା ମଞ୍ଚରେ ଲୋକପ୍ରିୟ ବଲିଉଡ୍‌ କଳାକାରଙ୍କ କାର୍ଯ୍ୟକ୍ରମ ଆୟୋଜନ କଲେ ବହୁ ସଂଖ୍ୟାରେ ଦର୍ଶକ ଏକାଠି ହେବାର ଆଶଙ୍କା ରହିଥିବା ପୋଲିସ୍‌ ଉଲ୍ଲେଖ କରିଛି। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଏଭଳି କାର୍ଯ୍ୟକ୍ରମର ଆକର୍ଷଣ ଅଧିକ ଥିବାରୁ ସୁରକ୍ଷାକର୍ମୀଙ୍କ ପାଇଁ ଭିଡ଼ ନିୟନ୍ତ୍ରଣ କରିବା କଷ୍ଟକର ହୋଇପାରେ।

ଠିକ୍‌ ଭାବେ ଭିଡ଼ ନିୟନ୍ତ୍ରଣ ନହେଲେ ଦଳାଚକଟା ଭଳି ଅଘଟଣ ଘଟିବାର ଆଶଙ୍କା ରହିଥିବା ପୋଲିସ୍‌ ସତର୍କ କରାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଚଳିତ ବର୍ଷ ବଡ଼ ସେଲିବ୍ରିଟିଙ୍କ କାର୍ଯ୍ୟକ୍ରମ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି।

ପୋଲିସ୍‌ର ଏହି ପରାମର୍ଶ ପରେ କଟକ ଜିଲ୍ଲା ପ୍ରଶାସନ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନକୁ କମାଇବା ସହ ବଡ଼ ବଲିଉଡ୍‌ କଳାକାରଙ୍କୁ ତାଲିକାରୁ ବାଦ୍‌ ଦେବା ନେଇ ବିଚାର କରୁଥିବା ଜଣାପଡ଼ିଛି। ତେବେ କଳାକାର ଓ କାର୍ଯ୍ୟକ୍ରମ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଏଯାଏଁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ମନୋରଞ୍ଜନ କାର୍ଯ୍ୟକ୍ରମର ସୂଚୀ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବ। ଅବଶିଷ୍ଟ କାର୍ଯ୍ୟକ୍ରମକୁ ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍‌ ଓ କମିଟି ସହ ସମନ୍ୱୟ ରଖି ପ୍ରସ୍ତୁତ କରାଯାଉଛି।

ବଲିଉଡ୍‌ ନାଇଟ୍‌ ବାତିଲ୍‌ ଆଶଙ୍କାରେ ନିରାଶ ଯୁବପିଢ଼ି

ବଲିଉଡ୍‌ କଳାକାରଙ୍କ କାର୍ଯ୍ୟକ୍ରମ ସୀମିତ କରିବାକୁ ପୋଲିସ୍‌ର ପରାମର୍ଶ ପରେ କଟକର ଅନେକ ଯୁବପିଢ଼ି ଓ ସଙ୍ଗୀତପ୍ରେମୀ ନିରାଶା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ବଲିଉଡ୍‌ ସଙ୍ଗୀତ କାର୍ଯ୍ୟକ୍ରମ ଏବେ ବାଲିଯାତ୍ରାର ଏକ ଅବିଚ୍ଛେଦ୍ୟ ଆକର୍ଷଣ ପାଲଟିଛି।

ଯୁବପିଢ଼ିଙ୍କ ଏକ ବଡ଼ ଭାଗ ପାଇଁ ବାଲିଯାତ୍ରା ହେଉଛି ଏଭଳି ଏକ ସୁଯୋଗ, ଯେଉଁଠାରେ ଦାମୀ କନ୍‌ସର୍ଟ ଟିକେଟ୍‌ କିଣିବା ବିନା ଲୋକପ୍ରିୟ ଗାୟକ ଓ କଳାକାରଙ୍କୁ ସାମ୍ନାସାମ୍ନି ଦେଖିବାର ସୁଯୋଗ ମିଳେ। ସେମାନଙ୍କ ମତରେ, ସେଲିବ୍ରିଟିଙ୍କ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଲେ ମେଳାର ମନୋରଞ୍ଜନ ଆକର୍ଷଣ କମିପାରେ। ବିଗତ କିଛି ବର୍ଷ ଧରି ବଡ଼ ବଡ଼ କଳାକାରଙ୍କ ଉପସ୍ଥିତି ଯୋଗୁଁ ବାଲିଯାତ୍ରାର ଆକର୍ଷଣ ଆହୁରି ବଢ଼ିଛି ବୋଲି ସେମାନେ କହିଛନ୍ତି।

ଲୋକପ୍ରିୟ ଗାୟକଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ବାଲିଯାତ୍ରାର ଅନ୍ୟତମ ପ୍ରତୀକ୍ଷିତ ଆୟୋଜନ ହୋଇଥିବାରୁ ପୋଲିସ୍‌ ଓ ଜିଲ୍ଲା ପ୍ରଶାସନ ଏହି ପ୍ରସ୍ତାବ ଉପରେ ପୁନର୍ବିଚାର କରିବାକୁ ଯୁବପିଢ଼ି ଅନୁରୋଧ କରିଛନ୍ତି।

ଏନେଇ ଯୁବତୀ ପ୍ରତୀକ୍ଷା ମିଶ୍ର କହିଛନ୍ତି ଯେ, ବଲିଉଡ୍‌ କନ୍‌ସର୍ଟ ବିଶେଷକରି Gen Z ପିଢ଼ିକୁ ଆକର୍ଷିତ କରିଥାଏ। ଅନେକ ଯୁବକଯୁବତୀ ଅନ୍ୟ ସହରକୁ ଯାଇ ଦାମୀ ସଙ୍ଗୀତ କାର୍ଯ୍ୟକ୍ରମର ଟିକେଟ୍‌ କିଣିବାକୁ ସକ୍ଷମ ନୁହନ୍ତି। ତେଣୁ ବାଲିଯାତ୍ରାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେଲେ ସେମାନଙ୍କୁ ଲୋକପ୍ରିୟ କଳାକାରଙ୍କୁ ଦେଖିବାର ସୁଯୋଗ ମିଳେ।

ଗତବର୍ଷ ଶ୍ରେୟା ଘୋଷାଲଙ୍କ ଭଳି ଜଣେ ଲୋକପ୍ରିୟ ଗାୟିକାଙ୍କୁ ଆୟୋଜକମାନେ ଆଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସେହିପରି କଟକର ଅନ୍ୟ ଜଣେ ବାସିନ୍ଦା ଦିଶା ଦାଶ ମଧ୍ୟ ଚଳିତ ବର୍ଷ ମନୋରଞ୍ଜନ କାର୍ଯ୍ୟକ୍ରମରୁ ବଲିଉଡ୍‌ ସେଲିବ୍ରିଟିଙ୍କୁ ବାଦ୍‌ ଦେବାର ସମ୍ଭାବନାକୁ ନେଇ ନିରାଶା ପ୍ରକାଶ କରିଛନ୍ତି। ଗତବର୍ଷ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ବିପୁଳ ଭିଡ଼ ସତ୍ତ୍ୱେ ସେ ଏହାକୁ ଉପଭୋଗ କରିଥିବା କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ବାଲିଯାତ୍ରାକୁ ଅଧିକ ରୋମାଞ୍ଚକର ଓ ସ୍ମରଣୀୟ କରିଥାଏ ବୋଲି ତାଙ୍କ ମତ।

ବାଲିଯାତ୍ରାରେ ସେଲିବ୍ରିଟି କନ୍‌ସର୍ଟ ପାଲଟିଛି ମୁଖ୍ୟ ଆକର୍ଷଣ

ଗତ କିଛି ବର୍ଷ ଧରି କଟକ ବାଲିଯାତ୍ରାରେ ସେଲିବ୍ରିଟିଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଏକ ପ୍ରମୁଖ ଆକର୍ଷଣ ଭାବେ ଉଭା ହୋଇଛି। ଖୋଲା ମଞ୍ଚରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ପାରମ୍ପରିକ ଭାବେ ସାଂସ୍କୃତିକ ଐତିହ୍ୟ, ବାଣିଜ୍ୟ, ହସ୍ତଶିଳ୍ପ, ଖାଦ୍ୟ ଷ୍ଟଲ୍‌ ଓ ସାମୂହିକ ଉତ୍ସବ ପାଇଁ ପରିଚିତ ବାଲିଯାତ୍ରା ଏବେ ଏକ ବଡ଼ ମନୋରଞ୍ଜନ କେନ୍ଦ୍ର ଭାବେ ମଧ୍ୟ ପରିଚିତି ହାସଲ କରିଛି।

ପ୍ରଶାସନ ପକ୍ଷରୁ ମେଳାରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ବେଳେ ସଙ୍ଗୀତପ୍ରେମୀମାନେ ସୁରକ୍ଷା ବ୍ୟବସ୍ଥା ସହ ଲୋକପ୍ରିୟ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟରେ ସମନ୍ୱୟ ରଖିବାକୁ ଆଶା ରଖିଛନ୍ତି।

ଏହି ସମୟରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି ଯେ, ସାଂସ୍କୃତିକ ଦଳଗୁଡ଼ିକର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇସାରିଛି ଏବଂ ପ୍ରତିଦିନର କଳାକାର ସୂଚୀ ଘୋଷଣା କରାଯିବ। ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍‌ ଓ କମିଟି ସହ ସମନ୍ୱୟ ସମସ୍ୟା ଯୋଗୁଁ ଗୋଟିଏ କାର୍ଯ୍ୟକ୍ରମ ଏଯାଏଁ ବାକି ରହିଛି। ତେବେ ଏହାକୁ ଖୁବ୍‌ଶୀଘ୍ର ଚୂଡ଼ାନ୍ତ କରିବାକୁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

ଆଗାମୀ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମନୋରଞ୍ଜନ କାର୍ଯ୍ୟକ୍ରମ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି। ଏହାପରେ ଚଳିତ ବର୍ଷ ବାଲିଯାତ୍ରାରେ ବଲିଉଡ୍‌ କଳାକାରଙ୍କ ଉପସ୍ଥିତି ରହିବ କି ନାହିଁ, ନା ମନୋରଞ୍ଜନ କାର୍ଯ୍ୟକ୍ରମ ପୂର୍ବ ତୁଳନାରେ ସୀମିତ ରହିବ, ତାହା ସ୍ପଷ୍ଟ ହେବ।

 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score