Explore

Search

August 8, 2026 5:54 pm

ଭାରତୀୟ ରେଳରେ ନୂଆ ଅଧ୍ୟାୟ, ହରିୟାଣାରେ ଗଡ଼ିଲା ପ୍ରଥମ ହାଇଡ୍ରୋଜେନ ଟ୍ରେନ

ନୂଆଦିଲ୍ଲୀ : ଦେଶର ରେଳ ପରିବହନ ବ୍ୟବସ୍ଥାରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଜିନ୍ଦ-ସୋନିପତ ମଧ୍ୟରେ ଭାରତର ପ୍ରଥମ ହାଇଡ୍ରୋଜେନ ଇନ୍ଧନ ଆଧାରିତ ଟ୍ରେନର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହି ବିଶେଷ ଟ୍ରେନର ଯାତ୍ରା ଆରମ୍ଭ କରାଇଥିଲେ। ଏହା ସହିତ ହାଇଡ୍ରୋଜେନ ରେଳ ପ୍ରଯୁକ୍ତି ବ୍ୟବହାର କରୁଥିବା ଦେଶମାନଙ୍କ ଶ୍ରେଣୀରେ ଭାରତ ମଧ୍ୟ ସ୍ଥାନ ପାଇଛି।

ଜିନ୍ଦରୁ ସୋନିପତ ପର୍ଯ୍ୟନ୍ତ ପ୍ରାୟ ୮୯ କିଲୋମିଟର ରୁଟ୍‌ରେ ଚାଲୁଥିବା ଏହି ଟ୍ରେନ ଦୁଇ ଘଣ୍ଟା ମଧ୍ୟରେ ଗନ୍ତବ୍ୟରେ ପହଞ୍ଚିବ। ରାସ୍ତାରେ ୧୨ଟି ଷ୍ଟେସନରେ ଏହାର ରହଣି ବ୍ୟବସ୍ଥା ରହିଛି । ଉଦଘାଟନ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ହରିୟାଣାର ରାଜ୍ୟପାଳ ଅଶିମ କୁମାର ଘୋଷ ଏବଂ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନୀ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଟ୍ରେନ କେବଳ ଏକ ନୂତନ ପରିବହନ ସେବା ନୁହେଁ, ବରଂ ସ୍ୱଚ୍ଛ ଶକ୍ତି ଓ ଆତ୍ମନିର୍ଭର ଭାରତ ଦିଗରେ ଏକ ମାଇଲଖୁଣ୍ଟ। ଏହି ଟ୍ରେନ ପାଣିରୁ ହାଇଡ୍ରୋଜେନ୍ ଉତ୍ପାଦନ କରି ଫ୍ୟୁଏଲ ସେଲ ମାଧ୍ୟମରେ ବିଦ୍ୟୁତ ସୃଷ୍ଟି କରାଯାଏ, ଯାହା ଟ୍ରେନର ମୋଟରକୁ ଚାଲାଇଥାଏ। ଏହି ପ୍ରକ୍ରିୟାରେ କାର୍ବନ ନିର୍ଗମନ ପ୍ରାୟ ଶୂନ୍ୟ ରହିଥାଏ ଏବଂ ଉପ-ଉତ୍ପାଦ ଭାବରେ କେବଳ ଜଳୀୟ ବାଷ୍ପ ଓ ଉତ୍ତାପ ନିର୍ଗତ ହୁଏ।

ଏହା ଭାରତର ନେଟ-ଜିରୋ କାର୍ବନ ଲକ୍ଷ୍ୟ ପୂରଣରେ ସହାୟକ ହେବା ସହ ଭବିଷ୍ୟତର ସବୁଜ ପରିବହନ ବ୍ୟବସ୍ଥା ପାଇଁ ନୂଆ ଦିଗ ଖୋଲିଦେବ।

ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ଟ୍ରେନକୁ ବିଶେଷ ଭାବେ ପରୀକ୍ଷା କରାଯାଇଛି। ବିଶ୍ୱସ୍ତରୀୟ ସଂସ୍ଥା TÜV SÜD ପକ୍ଷରୁ ସ୍ୱାଧୀନ ସୁରକ୍ଷା ମୂଲ୍ୟାଙ୍କନ ପରେ ଏହାକୁ ପରିଚାଳନା ପାଇଁ ଅନୁମତି ଦିଆଯାଇଛି।

ଜିନ୍ଦ-ସୋନିପତ ରୁଟରେ ଏହି ପାଇଲଟ ପ୍ରକଳ୍ପ ସଫଳ ହେଲେ ଆଗାମୀ ଦିନରେ ଭାରତୀୟ ରେଳର ଅନ୍ୟାନ୍ୟ ରୁଟ୍‌ରେ ମଧ୍ୟ ହାଇଡ୍ରୋଜେନ ଚାଳିତ ଟ୍ରେନ ଚଳାଚଳର ସମ୍ଭାବନା ବଢ଼ିବ। ଏହା ଦେଶର ପ୍ରଯୁକ୍ତିଗତ ଉନ୍ନତି, ଶକ୍ତି ଦକ୍ଷତା ଏବଂ ସ୍ୱଚ୍ଛ ଇନ୍ଧନ ବ୍ୟବହାର ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ଭାବେ ଦେଖାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score