ବ୍ରହ୍ମପୁର : ବ୍ରହ୍ମପୁର ଗିରି ରୋଡରେ ଜଣେ ଯୁବକଙ୍କୁ ମାଡ ମାରି ରାସ୍ତାରେ ତଳେ ପକାଇ ଆକ୍ରମଣ କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ପୋଲିସ ଏନକାଉଣ୍ଟର କରିଛି । ବୁଧବାର ବିଳମ୍ବିତ ରାତିରେ ଟାମଣା ଘାଟି ନିକଟରେ ବ୍ରହ୍ମପୁର ପୋଲିସ ମୁକେଶକୁ ଗୋଡ଼ାଇ ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।
ଏହି ଏନକାଉଣ୍ଟରରେ ମୁଫତେସଙ୍କ ଶରୀରରେ ମୋଟ ଚାରି ରାଉଣ୍ଡ ଗୁଳି ଲାଗିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୮ଟା ସମୟରେ ଗିରି ରୋଡ୍ ଉପରେ ଉମେଶ ନାମକ ଜଣେ ଯୁବକଙ୍କୁ ତଳେ ପକାଇ ବାଡ଼ିରେ ନିର୍ମମ ଭାବେ ଆକ୍ରମଣ କରୁଥିଲା ମୁକେଶ । ଏହି ଘଟଣା ପରେ ମୁଫତେସ ଓରଫ ମୁକେଶ ସେଠାରୁ ଫେରାର ହୋଇଯାଇଥିଲେ ।
ପୋଲିସ ତଦନ୍ତ ଜାରି ରଖି ଗତ ବୁଧବାର ମୁଫତେସ ସହ ଦୁଇ ସହଯୋଗୀ ରାଜ ମାଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଫତେସ ଜଣେ ପେସାଦାର ଅପରାଧୀ ଥିବା ସହ ତା ବିରୋଧରେ ୯ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ, ସୋମବାର ବ୍ରହ୍ମପୁର ସହରର ଗିରି ରୋଡ ଛକ ନିକଟରେ ରାତି ପ୍ରାୟ ୯ଟାରେ ଦୁଇ ଯୁବକ ମିଶି ଉମେଶ ରଥଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ମଝିରେ ତାଙ୍କୁ ତଳେ ପକାଇ ଗୋଇଠା, ବିଧା ଏବଂ ନିର୍ମମ ମାଡ଼ ମାରିଥିଲେ ।
ଏହି ଘଟଣା ସମୟରେ ଉପସ୍ଥିତ ଥିବା ଜଣେ ଯୁବତୀ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସହ ଚିତ୍କାର କରି ସାହାଯ୍ୟ ମାଗୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତଥାପି ଆକ୍ରମଣକାରୀମାନେ କାହାର କଥା ଶୁଣିନଥିଲେ। ତେବେ ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତକୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ମୁକେଶକୁ ଏନକାଉଣ୍ଟର କରିଛି ପୋଲିସ ।
ମୁକେଶ ନାଁରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ସହିତ ସମ୍ପର୍କିତ ଅନେକ ମାମଲା ବୈଦ୍ୟନାଥପୁର, ଗୋପାଳପୁର ଓ ଗୋଷାଣୀ ନୂଆଗାଁ ଥାନାରେ ରହିଛି । ଗତ ରାତିରେ ଟାମଣା ଘାଟି ମାର୍ଗ ଦେଇ ମୁକେଶ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ମୁକେଶକୁ ଏନକାଉଣ୍ଟର କରିଥିଲା।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
