ବ୍ରହ୍ମପୁର: ପାର୍ବଣ ଋତୁ ଆସୁଥିବାରୁ ବଜାରରେ ଛେନା, ପନିର, ଖୁଆ ଓ ମିଠାର ଚାହିଦା ବଢ଼ିଛି। ଏହି ସମୟରେ ଅପମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ରୋକିବାକୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଚଢ଼ାଉ ଜୋରଦାର କରାଯାଇଛି। କଟକ ଓ ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ମଧ୍ୟ ବ୍ୟାପକ ଯାଞ୍ଚ କରାଯାଇଛି।
ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଗତ ଦୁଇ ଦିନ ଧରି ସହରର ବିଭିନ୍ନ ଅଞ୍ଚଳରେ ପନିର ପ୍ରସ୍ତୁତକାରୀ ୟୁନିଟ୍, ଲସି ଦୋକାନ ଓ ହୋଟେଲରେ ଚଢ଼ାଉ କରାଯାଇଛି। ଯାଞ୍ଚ ସମୟରେ ପ୍ରାୟ ୪୦୦ କିଲୋଗ୍ରାମ ଅପମିଶ୍ରିତ ଛେନା, ପନିର, ଖୁଆ ଓ ରାବିଡ଼ି ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ସେଗୁଡ଼ିକୁ ନଷ୍ଟ କରାଯାଇଛି।
ବିଏମ୍ସି ଟିମ୍ ପକ୍ଷରୁ ସହରର ଆଗା ସାହି, ଖାସପା ସାହି, ସିଟି ହାଇସ୍କୁଲ ରୋଡ୍ ଓ ଏସ୍ଏନ୍ଟି ରୋଡ୍ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ ୟୁନିଟ୍ ଓ ହୋଟେଲରେ ଯାଞ୍ଚ କରାଯାଇଥିଲା।
ଏହି ସମୟରେ ପ୍ରାୟ ୪୦୦ କେଜି ଅପମିଶ୍ରିତ ପନିର, ଛେନା, ଖୁଆ, ରାବିଡ଼ି ସହ ଏକ୍ସପାୟରି କ୍ଷୀର ପ୍ୟାକେଟ୍ ଜବତ ହୋଇଥିଲା। ଯାଞ୍ଚ ପରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି।
ସହରର ଏକ ରେସ୍ତୋରାଁରେ ମଧ୍ୟ ଅପମିଶ୍ରିତ ପନିର ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ସେଠାରୁ ପ୍ରାୟ ୧୦ କିଲୋଗ୍ରାମ ଅପମିଶ୍ରିତ ପନିର ବ୍ୟବହାରରେ ପ୍ରସ୍ତୁତ ଖାଦ୍ୟ ଜବତ କରି ଟିମ୍ ନଷ୍ଟ କରିଥିଲା।
ଏହି ଘଟଣାରେ ସମ୍ପୃକ୍ତ ହୋଟେଲଠାରୁ ୧୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଅପମିଶ୍ରିତ ଖାଦ୍ୟ କେବଳ ଜବତ କିମ୍ବା ନଷ୍ଟ କରାଯାଉନାହିଁ, ଏହି ସାମଗ୍ରୀ କେଉଁଠାରୁ ଆସୁଛି ତାହାର ମଧ୍ୟ ତଦନ୍ତ କରାଯାଉଛି। ପାର୍ବଣ ସମୟରେ ଛେନା, ପନିର ଓ ମିଠାର ଚାହିଦା ବଢ଼ୁଥିବାରୁ ଅପମିଶ୍ରଣ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଯାଞ୍ଚ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ବ୍ରହ୍ମପୁରର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ସହରର ୭ରୁ ୮ଟି ୟୁନିଟ୍ରେ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ଦୁଇଟି ୟୁନିଟ୍ରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ମିଳିଥିବାରୁ ତାହାକୁ ନଷ୍ଟ କରାଯାଇଥିଲା।
ପାର୍ବଣ ସମୟରେ ଲୋକଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏଭଳି ଯାଞ୍ଚ ଆହୁରି ଜୋରଦାର କରାଯିବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ସ୍ପଷ୍ଟ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
