ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ନିର୍ମାଣ ହୋଇଛି ନୂଆ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ହବସପୁରୀ ୱିଭିଂ: ଦ ସେକେଣ୍ଡ ଏଣ୍ଡ ଲାଷ୍ଟ ଡେଥ୍’। କଳାହାଣ୍ଡିର ଐତିହାସିକ ଓ ଲୁପ୍ତପ୍ରାୟ ହବସପୁରୀ ହସ୍ତତନ୍ତ ଶିଳ୍ପର ଇତିହାସ, ସଂଘର୍ଷ ଓ ପୁନରୁଦ୍ଧାରର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।
ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଫିଲ୍ମର ପ୍ରଥମ ପୋଷ୍ଟର ଉନ୍ମୋଚିତ ହୋଇଛି। ‘ଋତୁପ୍ରିୟା ପ୍ରଡକ୍ସନ୍ସ’ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ହେଲେ ଅତିଶ କୁମାର ରାଉତ। ଫିଲ୍ମର ଯୁଗ୍ମ ନିର୍ଦ୍ଦେଶନା ଦେଉଛନ୍ତି ବିଶ୍ୱନାଥ ରଥ ଓ ମୟୂର ମହାପାତ୍ର।
ଏହି ଡକ୍ୟୁମେଣ୍ଟାରୀ କେବଳ ଏକ ଫିଲ୍ମ ନୁହେଁ, ବରଂ ଓଡ଼ିଶାର ଏକ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାର ଏକ ପ୍ରୟାସ। ହବସପୁରୀ ଶାଢ଼ୀ ଓ ବସ୍ତ୍ର କଳା ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ, ଏହାର ପରମ୍ପରା ଓ ବୁଣାକାରଙ୍କ ସଂଘର୍ଷକୁ ଏହି ଫିଲ୍ମରେ ଦେଖାଯିବ।
ଫିଲ୍ମଟି ମୁକ୍ତି ପୂର୍ବରୁ ହିଁ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାରେ ଆସିଛି । ୨୦୨୩ ମସିହାର NFDC ଫିଲ୍ମ ବଜାର ଡକ୍ୟୁମେଣ୍ଟାରୀ କୋ-ପ୍ରଡକ୍ସନ୍ ମାର୍କେଟରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ୯୮ଟି ପ୍ରକଳ୍ପ ମଧ୍ୟରୁ ଏହା ଶ୍ରେଷ୍ଠ ୧୨ଟି ଚୟନିତ ପ୍ରକଳ୍ପ ମଧ୍ୟରେ ସ୍ଥାନ ପାଇଥିଲା।
ଏହାସହ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଫିଲ୍ମର ପ୍ରଥମ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା। ଏହା ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟ ବିଶ୍ୱ ମଞ୍ଚରେ ନୂଆ ପରିଚୟ ପାଇଥିଲା। ଏହି ପ୍ରକଳ୍ପ ପାଇଁ ୨୦୧୯ରୁ ଦୀର୍ଘ ପାଞ୍ଚ ବର୍ଷ ଧରି ଗବେଷଣା କାର୍ଯ୍ୟ କରାଯାଇଛି। କୋଭିଡ୍ ମହାମାରୀ ଯୋଗୁଁ କାମ କିଛି ସମୟ ପାଇଁ ବନ୍ଦ ରହିଥିଲେ ମଧ୍ୟ ପରେ ପୁଣି ଆରମ୍ଭ ହୋଇଥିଲା। ବୁଣାକାର, ଇତିହାସବିଦ୍ ଓ ବିଭିନ୍ନ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଫିଲ୍ମର ତଥ୍ୟ ସଂଗ୍ରହ କରାଯାଇଛି।
ଫିଲ୍ମର ସୃଜନଶୀଳ ଦଳରେ ସିଦ୍ଧାନ୍ତ ସ୍ୱରୂପ, ଦେବାଶିଷ ପ୍ରତିହାରୀ, ମୟୂର ମହାପାତ୍ର, ଦିଲେଶ୍ୱର ପ୍ରଧାନ, ଅଜିତ ନାରାୟଣ ଦାସ ଓ ପ୍ରିୟବ୍ରତ ପାଣିଗ୍ରାହୀ ଭଳି ଅନେକ ଅଭିଜ୍ଞ କଳାକାର ଓ ଟେକ୍ନିସିଆନ୍ ଯୋଗଦେଇଛନ୍ତି।
ହବସପୁରୀ ହସ୍ତତନ୍ତ କେବଳ ଏକ ବସ୍ତ୍ର ନୁହେଁ, ଏହା ଓଡ଼ିଶାର ଗୌରବମୟ ପରମ୍ପରାର ପ୍ରତୀକ। ଏହାକୁ ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଶିଳ୍ପାୟନ ଓ ବଦଳୁଥିବା ସମୟ ମଧ୍ୟରେ ହବସପୁରୀ ବୁଣାକାରଙ୍କ ଜୀବନ ଓ ସଂଘର୍ଷକୁ ଏହି ଫିଲ୍ମ ନିକଟରୁ ଦେଖାଇବ। ଦର୍ଶକ ଏହା ସହ ଭାବନାତ୍ମକ ଭାବେ ଯୋଡ଼ି ହେବେ ଆଶା ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ଓ ପ୍ରୋଯୋକ ।
ଫିଲ୍ମଟି ପ୍ରଥମେ ଭାରତ ଓ ବିଦେଶର ବିଭିନ୍ନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବ। ପରେ ଟେଲିଭିଜନ, OTT ଓ ଡିଜିଟାଲ ପ୍ଲାଟଫର୍ମରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ। ଓଡ଼ିଶାର ହସ୍ତତନ୍ତ ପରମ୍ପରାକୁ ନୂଆ ପରିଚୟ ଦେବାରେ ଏହି ଫିଲ୍ମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
