Explore

Search

June 14, 2026 7:25 pm

ବିଶ୍ୱ ଚା’ ଦିବସ : ଜୀବନର ପ୍ରତି ସମୟର ସାଥୀ

ଭୁବନେଶ୍ୱର : କପରୁ ଉଠୁଥିବା ଧୂଆଁ… ଓଠକୁ ଉଷ୍ମତା ଦେଉଥିବା ସୁଗନ୍ଧିତ ପାନୀୟ…। କାହା ପାଇଁ ଏହା ଚା’, ତ କାହା ପାଇଁ ଗରମ ଗରମ ସ୍ନେହର ଏକ କପ୍। ଥକା ମନକୁ ତାଜା କରିଦିଏ, ସକାଳର ଅଳସପଣକୁ ଭାଙ୍ଗି ଦିଏ ଏହି ଛୋଟିଆ କପଟିଏ। ଯିଏ ଥରେ ଚା’ର ସ୍ୱାଦ ନେଇଛି, ସେ ପୁଣି ତାହାକୁ ଖୋଜିଛି। ଆଉ ଯିଏ ଚା’କୁ ଅଭ୍ୟାସ କରିଛି, ସେଥିପାଇଁ ଚା’ ବିନା ଦିନଟି ଅଧୂରା ଲାଗେ। ଆଜି ଅନ୍ତର୍ଜାତୀୟ ଚା’ ଦିବସ। ଚା’ ଖାଲି ଗୋଟିଏ ପାନୀୟ ନୁହେଁ, ଏହା ଏବେ ଅଭ୍ୟାସ, ଅନୁଭୂତି ଓ ଜୀବନର ଏକ ଅଂଶ।

ସକାଳର ବ୍ୟସ୍ତତା ହେଉ କିମ୍ବା ସନ୍ଧ୍ୟାରେ ଘରକୁ ଫେରିବା ପରର କ୍ଳାନ୍ତି, ଚା’ର ଏକ କପ୍ ମନକୁ ଆଶ୍ୱସ୍ତ କରେ। କ୍ଷୀର କିମ୍ବା ନାଲି ଚା’ରେ ଫୁଟୁଥିବା ଅଳେଇଚ, ଗୋଲମରିଚ ଓ ଅଦାର ସୁଗନ୍ଧ ଦୂରରୁ ମଧ୍ୟ ନିଜ ଆଡ଼କୁ ଟାଣି ଆଣେ। ଚା’ର ଗୋଟିଏ ଢ଼ୋକରେ ଯେମିତି ଥାଏ ଆରାମ, ସ୍ମୃତି ଓ ଅନେକ ଅକୁହା ଭାବନା।

ମନ ଖରାପ ଥିଲେ, ସମୟ କାଟିବାକୁ ହେଲେ କିମ୍ବା ସାଙ୍ଗମାନଙ୍କ ସହ ଗପସପର ଆସର ବସିଲେ… ସବୁଠି ଚା’ ହିଁ ପ୍ରଥମ ପସନ୍ଦ। ଚା’ର କପ୍‌ ସହ ଜଡି ରହିଛି ଅନେକ ସ୍ମୃତି, ସମ୍ପର୍କ ଓ ଅନୁଭବ। ଛୋଟବେଳେ ଚା’ରେ ବାସି ରୁଟି ବୁଡ଼େଇ ଖାଇବାର ସେ ସ୍ୱାଦ ଆଜି ବି ଅନେକଙ୍କ ମନରେ ତାଜା। ଚା’ କେବଳ ଆସର ଜମାଏ ତା ନୁହେଁ, ରାଜନୀତିର ଚର୍ଚ୍ଚାକୁ ମଧ୍ୟ ଗରମ କରେ। “ଚା’ ପେ ଚର୍ଚ୍ଚା” ଠାରୁ “ଚା’ୱାଲା ପ୍ରଧାନମନ୍ତ୍ରୀ” ପର୍ଯ୍ୟନ୍ତ, ଚା’ ଦେଶର ରାଜନୀତି ଓ ସାମାଜିକ ଜୀବନରେ ଅଲଗା ପରିଚୟ ସୃଷ୍ଟି କରିଛି।

ହଜାର ବର୍ଷ ପୂର୍ବରୁ ଚୀନରେ ଆରମ୍ଭ ହୋଇଥିବା ଚା’ ଆଜି ଭାରତୀୟ ଅର୍ଥନୀତିର ଏକ ବଡ଼ ଅଂଶ ହୋଇପାରିଛି। ଆସାମରୁ ତାମିଳନାଡୁ ପର୍ଯ୍ୟନ୍ତ ବିସ୍ତୃତ ଚା’ ବଗିଚାରେ ଲକ୍ଷାଧିକ ଲୋକଙ୍କ ଜୀବିକା ଜଡିତ। ଭାରତରେ ପ୍ରତିବର୍ଷ ଚା’ ବ୍ୟବସାୟ କୋଟି କୋଟି ଟଙ୍କାର ଅର୍ଥନୀତିକୁ ସଚଳ ରଖୁଛି।

ସମୟ ସହ ଚା’ର ରୂପ, ରଙ୍ଗ ଓ ସ୍ୱାଦରେ ମଧ୍ୟ ଆସିଛି ପରିବର୍ତ୍ତନ। କ୍ଷୀର ଓ ନାଲି ଚା’ରେ ସୀମିତ ନରହି ଏବେ ମସଲା ଚା’, ଲେମ୍ବୁ ଚା’, ସବୁଜ ଚା’, ତନ୍ଦୁରି ଚା’ ଓ କୁଲ୍ହଡ଼ ଚା’ ପର୍ଯ୍ୟନ୍ତ ବିଭିନ୍ନ ସ୍ୱାଦ ଲୋକଙ୍କୁ ଆକର୍ଷିତ କରୁଛି। ଯୁବପିଢି ମଧ୍ୟ ଏବେ ନୂଆ ନୂଆ ସ୍ୱାଦର ଚା’ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି।

ଚା’ ଏବେ କେବଳ ପାନୀୟ ନୁହେଁ… ଏହା ହସ, ଭାବନା, ସମ୍ପର୍କ ଓ ଜୀବନର ଅନେକ ମୁହୂର୍ତ୍ତକୁ ଜୋଡ଼ି ରଖୁଥିବା ଏକ ସୁନ୍ଦର ଅନୁଭୂତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score