Explore

Search

May 27, 2026 11:54 pm

ବିଶ୍ୱ ଐତିହ୍ୟ ମାନ୍ୟତା ପଥରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭୁବନେଶ୍ୱର : ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ତିନି ବର୍ଷ ଧରି ଚେଷ୍ଟା ସତ୍ତ୍ୱେ ବିଫଳ ହେବା ପରେ, ୨୦୨୫ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ୟୁନେସ୍କୋ ଐତିହ୍ୟ ମାନ୍ୟତା ନିମନ୍ତେ ନାମାଙ୍କନ ସଫଳତାର ସହ ଦାଖଲ କରାଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ଏହାକୁ ଜାତୀୟ ଐତିହ୍ୟ ତାଲିକାରେ ସାମିଲ କରିସାରିଛି। ବର୍ତ୍ତମାନ ୟୁନେସ୍କୋର ଆଗାମୀ ବୈଠକରେ ବିଭିନ୍ନ ଦେଶର ଭୋଟିଂ ପ୍ରକ୍ରିୟା ପରେ ଅନ୍ତିମ ମାନ୍ୟତା ମିଳିବାକୁ ଅପେକ୍ଷା ରହିଛି ।

ୟୁନେସ୍କୋ ମାନ୍ୟତା ମିଳିଲେ ଶ୍ରୀଜଗନ୍ନାଥ ସଂସ୍କୃତି, ମୂଳପୀଠର ମର୍ଯ୍ୟାଦା ଓ ତିଥି ପରମ୍ପରା ସମ୍ପର୍କରେ ସାରା ବିଶ୍ୱ ଅଧିକ ଅବଗତ ହେବ । ଏହାସହ ଅଦିନିଆ ରଥଯାତ୍ରା ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି। ଚଳିତ ବର୍ଷର ରଥଯାତ୍ରା ସମୟରେ ୟୁନେସ୍କୋର ଏକ ପ୍ରତିନିଧି ଦଳ ପୁରୀ ଆସି ସମୀକ୍ଷା କରିପାରେ ବୋଲି ସୂଚନା ମିଳିଛି।

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢୀଙ୍କ କହିବାନୁସାରେ, ରଥଯାତ୍ରାର ପୌରାଣିକତା, ପରମ୍ପରା, ନିର୍ମାଣ ଶୈଳୀ, ରଥ ପ୍ରସ୍ତୁତି ପ୍ରକ୍ରିୟା ଓ ଲକ୍ଷାଧିକ ଭକ୍ତଙ୍କ ସମାଗମ ଭଳି ବିଶେଷତା ୟୁନେସ୍କୋର ମାନଦଣ୍ଡ ସହ ସମନ୍ୱୟ ରଖୁଛି । ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ଯୋଗଦାନ ଏହାର ବିଶ୍ୱବ୍ୟାପୀ ଆକର୍ଷଣକୁ ପ୍ରମାଣ କରୁଛି ।

ବିଶ୍ୱର ୬୦୦ରୁ ଅଧିକ ସାଂସ୍କୃତିକ ଉପାଦାନ ମଧ୍ୟରୁ ୪୦ରୁ ଅଧିକ ପର୍ବପର୍ବାଣୀକୁ ୟୁନେସ୍କୋ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେଇସାରିଛି। ଭାରତର କୁମ୍ଭମେଳା, ଦୁର୍ଗାପୂଜା ଓ ହିମାଚଳ ପ୍ରଦେଶର ରମ୍ମନ ଭଳି ପର୍ବଗୁଡ଼ିକ ଏହି ସମ୍ମାନ ପାଇଥିବା ବେଳେ, ଏବେ ଶ୍ରୀଜଗନ୍ନାଥଙ୍କ ଐତିହ୍ୟବାହୀ ଘୋଷଯାତ୍ରା ମଧ୍ୟ ସେହି ତାଲିକାରେ ସାମିଲ ହେବା ଦିଗରେ ଅଗ୍ରସର ହେଉଛି ।

ଶ୍ରୀଜଗନ୍ନାଥ ପରମ୍ପରା ପୌରାଣିକ କିମ୍ବଦନ୍ତୀରୁ ଆରମ୍ଭ କରି ଆଧୁନିକ ସମୟ ପର୍ଯ୍ୟନ୍ତ ପ୍ରାମାଣିକ ତଥ୍ୟ ଓ ଆସ୍ଥାର ଏକ ଅଦ୍ୱିତୀୟ ସମନ୍ୱୟ ରୂପେ ପରିଚିତ। ଏହାକୁ ସ୍ମରଣୀୟ ଓ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମନ୍ୱିତ ଭାବେ ପଦକ୍ଷେପ ନେଉଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score