Explore

Search

May 22, 2026 12:09 am

ବାଲ୍ୟ ବିବାହ ବିରୋଧରେ ଗଞ୍ଜାମର ବଡ଼ ପଦକ୍ଷେପ : ‘ଗଞ୍ଜାମ ୩୬୦’ ଆପରେ ଆସୁଛି ଗୁପ୍ତ ଅଭିଯୋଗ ସୁବିଧା

ଗଞ୍ଜାମ : “କିଶୋରୀମାନେ ପରିବାରର ବୋଝ ନୁହେଁ, ସେମାନେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ।” ଏହି ସନ୍ଦେଶ ଦେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ କହିଛନ୍ତି ଯେ, କିଶୋରୀମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ସୁରକ୍ଷା ଓ ସମ୍ମାନ ଦେବା ସମାଜର ସମସ୍ତଙ୍କ ଦାୟିତ୍ୱ । ନିରନ୍ତର ସାମୂହିକ ପ୍ରୟାସ ଫଳରେ ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ, ଏବେ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବାର ସମୟ ଆସିଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ଗଞ୍ଜାମ ୩୬୦’ ଆପ୍‌ରେ ଏଣିକି ଏକ ବିଶେଷ ଜରୁରିକାଳୀନ ସୁବିଧା ଯୋଡ଼ାଯିବ । ଏହି ବ୍ୟବସ୍ଥା ମାଧ୍ୟମରେ ସାଧାରଣ ଲୋକ ନିଜ ପରିଚୟ ଗୋପନ ରଖି ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଇପାରିବେ । ଆଗାମୀ ୧୫ ଦିନ ମଧ୍ୟରେ ଏହି ସୁବିଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ସୂଚନା ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ଓ UNICEFର ମିଳିତ ଆନୁକୂଳ୍ୟରେ ଜିଲାପରିଷଦର ଜଉଗଡ଼ ସମ୍ମିଳନୀ କକ୍ଷରେ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ରୋକିବା ପାଇଁ ୨୦୨୬-୨୦୨୯ ଜିଲ୍ଲାସ୍ତରୀୟ କାର୍ଯ୍ୟଖସଡ଼ା ଉନ୍ମୋଚନ କରାଯାଇଥିଲା ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ କହିଛନ୍ତି, କିଶୋର ଓ କିଶୋରୀ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖିବା ଆବଶ୍ୟକ । ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ଭେଦଭାବ ହେବା ଉଚିତ୍ ନୁହେଁ । ସମାଜରେ ସଚେତନତା ବଢ଼ିଲେ ମାତ୍ର ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇପାରିବ ।

କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସାମ୍ବିଧାନିକ ଅଧିକାର, ସରକାରୀ ଯୋଜନାର ସୁବିଧା, ୧୦୯୮ ଓ ୧୮୧ ସହାୟତା ସଂଖ୍ୟାର ବ୍ୟବହାର, ସାଇବର ସୁରକ୍ଷା ଓ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

୨୦୨୬-୨୦୨୯ କାର୍ଯ୍ୟଖସଡ଼ାରେ ‘ମୋ ଗେଲ୍‌ହା ଝିଅ’, ‘ବିଦ୍ୟାଳୟକୁ ହଁ – ବାଲ୍ୟ ବିବାହକୁ ନା’, ବାଲ୍ୟ ବିବାହ ମୁକ୍ତ ଗ୍ରାମ, ଆର୍ଥିକ ସହାୟତା, ପ୍ରଶିକ୍ଷଣ ଓ ସରକାରୀ-ବେସରକାରୀ ସଂସ୍ଥାମାନଙ୍କ ସମନ୍ୱୟ ଭଳି ବିଭିନ୍ନ ପଦକ୍ଷେପ ସମ୍ମିଳିତ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score