Explore

Search

September 4, 2026 9:34 pm

ବାର୍ଦ୍ଧକ୍ୟରେ MKCG ପାଲଟିଛି ଆଶ୍ରୟ

ବ୍ରହ୍ମପୁର: ସନ୍ତାନର ଜନ୍ମଠାରୁ ଆରମ୍ଭ କରି ସେମାନଙ୍କୁ ବଡ଼ କରିବା ପର୍ଯ୍ୟନ୍ତ ବାପା-ମାଆଙ୍କ ଜୀବନର ଅଧିକାଂଶ ସମୟ କେବଳ ସନ୍ତାନଙ୍କ ଭବିଷ୍ୟତ ପାଇଁ ହିଁ ବିତିଯାଏ। ନିଜର ସୁଖ, ଆରାମ ଓ ଅନେକ ଇଚ୍ଛାକୁ ପଛରେ ରଖି ସେମାନେ ପିଲାଙ୍କ ପାଇଁ ଦିନରାତି ପରିଶ୍ରମ କରନ୍ତି। ଖାଇବା, ପଢ଼ିବା, ବଡ଼ ହେବା ଏବଂ ଜୀବନରେ ନିଜ ପାଦରେ ଠିଆ ହେବା ପର୍ଯ୍ୟନ୍ତ ସନ୍ତାନଙ୍କ ପାଇଁ ସେମାନେ ସବୁକିଛି କରିଥାନ୍ତି।
କିନ୍ତୁ ଜୀବନର ଏକ ସମୟ ପରେ ସେହି ବାପା-ମାଆ ଯେତେବେଳେ ବୃଦ୍ଧ ହୋଇଯାଆନ୍ତି, ଶରୀରର ଶକ୍ତି କମିଯାଏ ଏବଂ ରୋଜଗାର କରିବା ସମ୍ଭବ ହୁଏନାହିଁ, ସେତେବେଳେ ସେମାନଙ୍କୁ ସବୁଠାରୁ ଅଧିକ ଦରକାର ହୁଏ ପରିବାରର ସ୍ନେହ ଓ ସାହାରା। ହେଲେ ଦୁଃଖର ବିଷୟ, କିଛି ବୃଦ୍ଧଙ୍କ ଭାଗ୍ୟରେ ସେହି ସାହାରା ମଧ୍ୟ ନଥାଏ। ନିଜ ସନ୍ତାନ ଓ ପରିବାର ଥିଲେ ମଧ୍ୟ ସେମାନେ ଜୀବନର ଶେଷ ପର୍ଯ୍ୟାୟରେ ଏକା ହୋଇପଡ଼ନ୍ତି।
ଗଞ୍ଜାମ ଜିଲ୍ଲାର ଏଭଳି ଅନେକ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଏବେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜ ଓ ହସ୍ପିଟାଲ ଏକ ଶେଷ ଭରସା ପାଲଟିଛି। ଯେଉଁ ସମୟରେ ନିଜ ଘର ସେମାନଙ୍କୁ ଆଶ୍ରୟ ଦେଇପାରୁନାହିଁ, ସେହି ସମୟରେ ମେଡିକାଲର ଏକ ୱାର୍ଡ ସେମାନଙ୍କ ପାଇଁ ଘର ପାଲଟିଛି।
ଏହି ଦୁଃଖଦ ଚିତ୍ରର ଜଣେ ପ୍ରତିନିଧି ହେଉଛନ୍ତି ୭୦ ବର୍ଷୀୟ ଶିବା ରେଡ୍ଡୀ। ଏକ ସମୟରେ ସେ ବ୍ରହ୍ମପୁର ସହରରେ ରିକ୍ସା ଚଳାଇ ପରିବାରର ଜୀବିକା ନିର୍ବାହ କରୁଥିଲେ। ପତ୍ନୀଙ୍କ ସହ ତିନି ପୁଅ ଓ ତିନି ଝିଅଙ୍କୁ ନେଇ ଥିଲା ତାଙ୍କ ସଂସାର। ନିଜ ଶ୍ରମ ଓ ଘାମରେ ସେ ସନ୍ତାନମାନଙ୍କୁ ବଡ଼ କରିଥିଲେ। ସେମାନଙ୍କ ବିବାହ ପର୍ଯ୍ୟନ୍ତ କରାଇଥିଲେ।
ବୟସ ବଢ଼ିବା ସହ ଶିବାଙ୍କ ଶରୀର ଦୁର୍ବଳ ହୋଇପଡ଼ିଲା। ରିକ୍ସା ଚଳାଇ ରୋଜଗାର କରିବା ଆଉ ସମ୍ଭବ ହେଲା ନାହିଁ। ଧୀରେଧୀରେ ଚଲାବୁଲା ମଧ୍ୟ କଷ୍ଟକର ହୋଇଗଲା। ଯେଉଁ ସମୟରେ ପରିବାରର ସାହାରା ସବୁଠାରୁ ଅଧିକ ଦରକାର ଥିଲା, ସେହି ସମୟରେ ସେ ନିଜକୁ ଏକା ପାଇଲେ।
ଗତ କିଛି ମାସ ହେଲା MKCG ମେଡିକାଲର ଏକ ୱାର୍ଡ ହିଁ ଶିବା ରେଡ୍ଡୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଯେଉଁ ହାତ ସନ୍ତାନମାନଙ୍କ ପାଇଁ ଦିନରାତି କାମ କରୁଥିଲା, ଆଜି ସେହି ହାତ ନିଜ ପାଇଁ ସାହାରା ଖୋଜୁଛି।
ଶିବା ରେଡ୍ଡୀ ଏକା ନୁହନ୍ତି। ଗଞ୍ଜାମ ଜିଲ୍ଲାର ବଡଗଡ ଅଞ୍ଚଳର ଲୋକାମାରି ଗ୍ରାମର ଶ୍ୟାମ ମହାରଣାଙ୍କ ଜୀବନ କାହାଣୀ ମଧ୍ୟ ଅନେକଟା ସମାନ। ୭୦ ବର୍ଷରୁ ଅଧିକ ବୟସର ଶ୍ୟାମଙ୍କ ପୁଅ ଓ ଝିଅ ଥିଲେ ମଧ୍ୟ ବାର୍ଦ୍ଧକ୍ୟରେ ସେ ନିଜକୁ ଏକା ପାଇଛନ୍ତି।
ଯୌବନ ସମୟରେ କାମ କରି ପରିବାର ଚଳାଉଥିବା ଶ୍ୟାମ ବୟସ ବଢ଼ିବା ପରେ ଆଉ ପୂର୍ବଭଳି କାମ କରିପାରିଲେ ନାହିଁ। ଶରୀରରେ ରୋଗବ୍ୟାଧି ମଧ୍ୟ ବଢ଼ିଲା। ଚିକିତ୍ସା ପାଇଁ ତାଙ୍କୁ ବାରମ୍ବାର ବ୍ରହ୍ମପୁର MKCG ମେଡିକାଲକୁ ଆସିବାକୁ ପଡ଼ୁଥିଲା। କିନ୍ତୁ ପରିବାରର ସହଯୋଗ ନମିଳିବାରୁ ଏକାକୀ ଏତେ ଦୂର ଆସି ଚିକିତ୍ସା କରାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା।
ଶେଷରେ ମେଡିକାଲରେ ଥିବା ଏକ କୋଠା ହିଁ ତାଙ୍କ ସ୍ଥାୟୀ ଠିକଣା ପାଲଟିଗଲା। ଏଠାରେ ଚିକିତ୍ସା ସହ ଯେତିକି ଖାଦ୍ୟ ଓ ଯତ୍ନ ମିଳୁଛି, ସେତିକିରେ ହିଁ ସେ ନିଜର ଅବଶିଷ୍ଟ ଜୀବନ କାଟିବାକୁ ଚିନ୍ତା କରୁଛନ୍ତି।
ବର୍ତ୍ତମାନ MKCG ମେଡିକାଲରେ ଶିବା ଓ ଶ୍ୟାମଙ୍କ ପରି ପ୍ରାୟ ୧୭ ଜଣ ବୃଦ୍ଧ ଓ ବୃଦ୍ଧା ଆଶ୍ରୟ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ପରିବାର ଓ ସନ୍ତାନ ଥିଲେ ମଧ୍ୟ ପରିଣତ ବୟସରେ ସେମାନେ ଅବହେଳିତ ହୋଇପଡ଼ିଛନ୍ତି।
ଏଭଳି ଅସହାୟ ଲୋକଙ୍କ ପାଇଁ MKCG ମେଡିକାଲ କର୍ତ୍ତୃପକ୍ଷ ଯଥାସମ୍ଭବ ସହାୟତା କରୁଛନ୍ତି। ରହିବା, ଖାଇବା ଓ ପ୍ରାଥମିକ ଯତ୍ନର ବ୍ୟବସ୍ଥା କରାଯାଇଛି। ମେଡିକାଲ ପକ୍ଷରୁ ଆଟେଣ୍ଡାଣ୍ଟମାନେ ବିଭିନ୍ନ ସିଫ୍ଟରେ ସେମାନଙ୍କ ଦେଖାଶୁଣା କରୁଛନ୍ତି।
ବେଡ୍ ସଫା କରିବାଠାରୁ ଆରମ୍ଭ କରି ଖାଦ୍ୟ ଦେବା, ଔଷଧ ଖୁଆଇବା ଓ ପୋଷାକ ସଫା କରିବା ପର୍ଯ୍ୟନ୍ତ ଅନେକ କାମ ସେମାନେ କରୁଛନ୍ତି। ଯେଉଁ ସେବା ବାର୍ଦ୍ଧକ୍ୟରେ ପରିବାର ଲୋକଙ୍କ ଠାରୁ ମିଳିବା କଥା, ଆଜି ତାହା ମେଡିକାଲର କର୍ମଚାରୀମାନେ ଦେଉଛନ୍ତି।
କିଛି ସ୍ୱେଚ୍ଛାସେବୀ ସଂସ୍ଥା ଓ ସହୃଦୟ ବ୍ୟକ୍ତିମାନେ ମଧ୍ୟ ସମୟ ସମୟରେ ଏହି ବୃଦ୍ଧବୃଦ୍ଧାଙ୍କୁ ସହାୟତା କରୁଛନ୍ତି। ଫଳରେ ଅସହାୟ ଲୋକମାନଙ୍କ ପାଇଁ MKCG କେବଳ ଏକ ଚିକିତ୍ସାଳୟ ହୋଇ ରହିନାହିଁ, ବରଂ ଜୀବନର ଶେଷ ପର୍ଯ୍ୟାୟର ଏକ ଆଶ୍ରୟ ପାଲଟିଛି।
ଏହି ଚିତ୍ର ସମାଜ ପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଯେଉଁ ବାପା-ମାଆ ସନ୍ତାନଙ୍କ ଭବିଷ୍ୟତ ପାଇଁ ସାରା ଜୀବନ ଉତ୍ସର୍ଗ କରନ୍ତି, ସେମାନଙ୍କ ବାର୍ଦ୍ଧକ୍ୟରେ ସାମାନ୍ୟ ସମୟ, ସ୍ନେହ ଓ ସହାରା ଦେବା କଣ ଏତେ କଷ୍ଟକର?
ଜୀବନର ଶେଷ ସମୟ ନିଜ ଘର ଓ ପରିବାର ମଧ୍ୟରେ କଟିବା କଥା। କିନ୍ତୁ ଅନେକଙ୍କ ଭାଗ୍ୟରେ ହସ୍ପିଟାଲର ବେଡ୍ ଲେଖା ହୋଇଛି। ତଥାପି ସେହି ଅସହାୟ ମଣିଷମାନଙ୍କ ପାଇଁ MKCG ମେଡିକାଲ ଓ ସେଠାରେ କାମ କରୁଥିବା ଆଟେଣ୍ଡାଣ୍ଟମାନେ ଆଜି ସତରେ ଏକ ବଡ଼ ସାହାରା ପାଲଟିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score