Explore

Search

April 30, 2026 11:20 pm

ପୋଚିଲିମା ରାଜ୍ୟର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ

ଗଞ୍ଜାମ : ରାଜ୍ୟର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୋଚିଲିମା । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅଧୀନସ୍ଥ ପୋଚିଲିମା ରାଜ୍ୟର ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବେ ମାନ୍ୟତା ପାଇଛି। ଆଉ ଯାହାକୁ ନେଇ ସମଗ୍ର ପୋଚିଲିମା ପଞ୍ଚାୟତବାସୀ ଗର୍ବ ଅନୁଭବ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ ପ୍ରଗତି ସୂଚକାଙ୍କର ଦ୍ବିତୀୟ ସଂସ୍କରଣ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦାରିଦ୍ର୍ୟ ହ୍ରାସ, ସ୍ବାସ୍ଥ୍ୟ ସେବା, ପାଣି ଉପଲବ୍ଧତା, ସ୍ୱଚ୍ଛ, ମହିଳା ଓ ଶିଶୁ କଲ୍ୟାଣ ସହିତ ମୋଟ ୯ଟି ମାନଦଣ୍ଡ ଆଧାରରେ ରାଜ୍ୟର ପଞ୍ଚାୟତ ଗୁଡିକୁ ମୂଲ୍ୟାୟନ କରାଯାଇଛି।

ଏହି ମୂଲ୍ୟାଙ୍କନରେ ପୋଚିଲିମା ପଞ୍ଚାୟତ ସର୍ବାଧିକ ୮୩.୨୭ ଅଙ୍କ ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି । ପ୍ରଦର୍ଶନ ଅନୁଯାୟୀ ପଞ୍ଚାୟତ ଗୁଡିକୁ ପାଞ୍ଚଟି ବର୍ଗ – ଏ+ (୯୦-୧୦୦), ଏ (୭୫-୯୦), ବି (୬୦-୭୫), ସି (୪୦-୬୦) ଓ ଡି (୪୦ରୁ କମ୍)ରେ ବିଭକ୍ତ କରାଯାଇଛି ।

ଜିଲ୍ଲା ଭିତ୍ତିକ ତୁଳନାରେ ଗଞ୍ଜାମ ଜିଲ୍ଲାର ପଞ୍ଚାୟତମାନେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ଏଠାର ଅଧିକାଂଶ ପଞ୍ଚାୟତ ଏ+ ଓ ଏ ବର୍ଗରେ ଅଛନ୍ତି । ରାଜ୍ୟସ୍ତରରେ ତ୍ରିପୁରା ଓ କେରଳ ସର୍ବଶ୍ରେଷ୍ଠ ରହିଥିବା ବେଳେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାର ୬୭୯୪ଟି ପଞ୍ଚାୟତ ମଧ୍ୟରୁ ୮.୨ ଶତାଂଶ ପଞ୍ଚାୟତ ‘ଏ’ ବର୍ଗରେ ରହିଛନ୍ତି ।

ତଥାପି, ସମଗ୍ର ମୂଲ୍ୟାଙ୍କନରେ ଓଡ଼ିଶାର କୌଣସି ପଞ୍ଚାୟତ ଏ+ ବର୍ଗକୁ ପହଞ୍ଚି ପାରିନାହିଁ । କିନ୍ତୁ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ୬ଟି ପଞ୍ଚାୟତ ଏ+ ମାନ୍ୟତା ପାଇଛି। ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବନ ମାନଦଣ୍ଡରେ ଗଞ୍ଜାମର ହିଞ୍ଜିଳିକାଟୁ ବ୍ଲକର ସାହାପୁର, ସ୍ବାସ୍ଥ୍ୟ କ୍ଷେତ୍ରରେ ପୁରୁଷୋତ୍ତମପୁରର ରାୟପୁର, ଶିଶୁ ଅନୁକୂଳ ପରିବେଶରେ ଜଗତସିଂହପୁରର ତାରାପୁର, ପାଣି ଉପଲବ୍ଧତାରେ କେନ୍ଦୁଝରର ଚମ୍ପୁଆ, ପରିବେଶ ଓ ସବୁଜ ଉନ୍ନୟନରେ ସୁନ୍ଦରଗଡ଼ର ହାତୀବନ୍ଧା ଏବଂ ଆତ୍ମନିର୍ଭର ଭିତ୍ତିଭୂମିରେ ଗଞ୍ଜାମର ଭାଟକୁମରଡ଼ାକୁ ପଞ୍ଚାୟତ ଉଲ୍ଲେଖନୀୟ ସଫଳତା ଲାଭ କରିଛି।

ସେହିପରି ସାମାଜିକ ସୁରକ୍ଷା, ଉତ୍ତମ ପ୍ରଶାସନ ଓ ମହିଳା ଅନୁକୂଳ ପରିବେଶ ଭଳି କ୍ଷେତ୍ରରେ ଗଞ୍ଜାମର କିଛି ପଞ୍ଚାୟତ ‘ଏ’ ମାନ୍ୟତା ଅଧିକାର ପାଇଛି । ସମଗ୍ର ଭାବେ ଓଡ଼ିଶାର ୫୫୫ଟି ପଞ୍ଚାୟତ ‘ଏ’, ୪୫୬୬ଟି ‘ବି’ ଓ ୧୬୨୭ଟି ‘ସି’ ବର୍ଗରେ ରହିଛି। ଏହାସହ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ୫୮୭ଟି ପଞ୍ଚାୟତ ସଫଳତା ପାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score