ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନ ନିଜର ଅଭିନୟ, ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଦମଦାର ଡ୍ୟାନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ଫିଲ୍ମ ମୁକ୍ତି ପାଇଲେ ସିନେମା ହଲ୍ରେ ଦର୍ଶକଙ୍କ ଭିଡ଼ ଲାଗିଯାଏ। ତେବେ ଏତେ ବଡ଼ ସୁପରଷ୍ଟାର ହୋଇ ମଧ୍ୟ ହ୍ରିତିକ ଏବେ ନିଜ କ୍ୟାରିୟରକୁ ନେଇ ଏକ ଭିନ୍ନ ପ୍ରକାରର ଚିନ୍ତା ପ୍ରକାଶ କରିଛନ୍ତି।
ସମ୍ପ୍ରତି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ। ବିଦେଶର ଏକ ରାସ୍ତାରେ ତୋଳାଯାଇଥିବା ସେହି ସେଲଫିରେ ହ୍ରିତିକ ଧଳା ଦାଢ଼ି ଏବଂ କ୍ୟାପ୍ ପିନ୍ଧିଥିବା ନଜର ଆସିଥିଲେ। ଫଟୋଠାରୁ ଅଧିକ ତାଙ୍କ କ୍ୟାପସନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ହ୍ରିତିକ ଲେଖିଥିଲେ ଯେ, ତାଙ୍କୁ ପଚରାଯାଇଥିଲା ସେ କେଉଁ ପ୍ରକାରର ଭୂମିକା କରିବାକୁ ଚାହୁଁଛନ୍ତି। ଏହାର ଉତ୍ତର ଦେବା ବେଳେ ସେ କହିଥିଲେ ଯେ, ସାଧାରଣ ନାୟକ ଚରିତ୍ର ଠାରୁ ଭିନ୍ନ ଏବଂ ଜଟିଳ ବ୍ୟକ୍ତିତ୍ୱ ଥିବା ଚରିତ୍ରରେ ଅଭିନୟ କରିବାକୁ ତାଙ୍କର ଅଧିକ ଆଗ୍ରହ ରହିଛି।
ବିଶେଷକରି ଗ୍ରେ ଶେଡ୍ର ଚରିତ୍ର ତାଙ୍କୁ ବେଶି ଆକର୍ଷିତ କରେ। କିନ୍ତୁ ନିର୍ମାତା ଓ ନିର୍ଦ୍ଦେଶକମାନେ ତାଙ୍କୁ ଅଧିକାଂଶ ସମୟରେ ରୋମାଣ୍ଟିକ ଏବଂ ହିରୋଇକ୍ ଭୂମିକାରେ ଦେଖିବାକୁ ଚାହୁଁଥିବାରୁ ସେ ନୂଆ ପ୍ରକାରର ଚରିତ୍ର ପାଇଁ ସୁଯୋଗ ପାଉନାହାଁନ୍ତି ।
ତାଙ୍କ ଏହି ପୋଷ୍ଟରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଏକ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଲେଖିଥିଲେ, “ଚାଲ, ତେବେ ଆଗକୁ ବଢ଼ିବା।” ଏହା ପରେ ଫ୍ୟାନ୍ସମାନେ ଅନୁମାନ କରୁଛନ୍ତି ଯେ ହ୍ରିତିକ ଓ ସିଦ୍ଧାର୍ଥ ଆନନ୍ଦ ପୁଣିଥରେ କୌଣସି ବଡ଼ ପ୍ରୋଜେକ୍ଟରେ ଏକାଠି କାମ କରିପାରନ୍ତି।
ଅନ୍ୟପଟେ, ହ୍ରିତିକଙ୍କ ଆଗାମୀ ଫିଲ୍ମଗୁଡ଼ିକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଛି। ବର୍ତ୍ତମାନ ସେ କ୍ରିସ-୪ର କାମରେ ବ୍ୟସ୍ତ ଥିବାବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି। ଏହାଛଡ଼ା ତାଙ୍କର ଅନ୍ୟାନ୍ୟ ପ୍ରୋଜେକ୍ଟକୁ ନେଇ ମଧ୍ୟ ଫ୍ୟାନ୍ସଙ୍କ ଅପେକ୍ଷା ବଢ଼ି ଚାଲିଛି। ଏବେ ଦେଖିବାକୁ ବାକି ରହିଲା, ଭବିଷ୍ୟତରେ ହ୍ରିତିକ ନିଜ ପସନ୍ଦର ଗ୍ରେ ଶେଡ୍ ଚରିତ୍ରରେ ଦର୍ଶକଙ୍କ ମନ ଜିତିପାରୁଛନ୍ତି କି ନାହିଁ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
