ଭୁବନେଶ୍ୱର : ଖରାଛୁଟି ଶେଷ ହେବାକୁ ଆଉ ବେଶି ଦିନ ବାକି ନାହିଁ। ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀ ନୂଆ ଶ୍ରେଣୀ, ନୂଆ ପାଠ୍ୟକ୍ରମ ଓ ନୂଆ ଆଶା ନେଇ ସ୍କୁଲ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଅନେକ ସରକାରୀ ବିଦ୍ୟାଳୟରେ ଦେଖାଦେଇଛି ଏକ ଚିନ୍ତାଜନକ ସମସ୍ୟା। ଅନେକ ଛାତ୍ରଛାତ୍ରୀଙ୍କ ହାତରେ ଏଯାଏଁ ସମସ୍ତ ପାଠ୍ୟପୁସ୍ତକ ପହଞ୍ଚି ପାରିନାହିଁ। କେହି ଆଂଶିକ ବହି ପାଇଥିବାବେଳେ ଆଉ କେହି ଗୋଟିଏ ବି ପୁସ୍ତକ ପାଇ ନାହାଁନ୍ତି ।
ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ପାଠ୍ୟପୁସ୍ତକ ବିତରଣ ସମ୍ପୂର୍ଣ୍ଣ ହେବା କଥା। ହେଲେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅଭିଯୋଗ କହୁଛି, ବହି ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବାଧା ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ କେହି ପୁରୁଣା ବହିର ସହାୟତା ନେଉଛନ୍ତି, ତ ଆଉ କେହି ଫଟୋକପି କରି ପାଠପଢ଼ା ଜାରି ରଖିଛନ୍ତି।
ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏହି ସମସ୍ୟା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅନେକ ଛାତ୍ରଛାତ୍ରୀ ନୂଆ କ୍ଲାସ୍କୁ ଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ ନୂଆ ବହି ନାହିଁ। ଫଳରେ ପୁରୁଣା ପୁସ୍ତକ ଏବଂ ଜେରକ୍ସ କପି ଉପରେ ନିର୍ଭର କରି ପାଠପଢ଼ା ଚାଲିଛି। ସ୍କୁଲ ବନ୍ଦ ଥିଲେ ମଧ୍ୟ ଟ୍ୟୁସନ୍ ଏବଂ ପ୍ରସ୍ତୁତି ଜାରି ରହିଥିବାରୁ ବହିର ଆବଶ୍ୟକତା ଅଧିକ ଅନୁଭବ ହେଉଛି।
ଅଭିଭାବକମାନଙ୍କ କହିବା ଅନୁସାରେ, ସମୟରେ ବହି ନମିଳିଲେ ପିଲାମାନେ ପାଠ୍ୟକ୍ରମ ସହ ତାଳମେଳ ରଖିବାରେ ଅସୁବିଧାରେ ପଡ଼ିବେ। ସେଥିପାଇଁ ସେମାନେ ବିଭିନ୍ନ ସ୍ଥାନରୁ ପୁରୁଣା ବହି ସଂଗ୍ରହ କରିବା ସହ ଫଟୋକପି କରି ପିଲାଙ୍କ ପଢ଼ାଶୁଣା ଚାଲୁ ରଖିବାକୁ ଚେଷ୍ଟା କରୁଛନ୍ତି। ଏହାର ପ୍ରଭାବ ଫଟୋକପି ଦୋକାନ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁଠାରେ ପାଠ୍ୟପୁସ୍ତକର ନକଲ କରିବା ପାଇଁ ଭିଡ଼ ବଢ଼ିଚାଲିଛି।
କେବଳ ନୀଳଗିରି ନୁହେଁ, ସୋର ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ଅନେକ ସ୍ଥାନରେ ପୁରୁଣା ବହି ମଧ୍ୟ ସହଜରେ ଉପଲବ୍ଧ ହେଉନଥିବାରୁ ଅଭିଭାବକମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି । ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ହାତରେ ପାଠ୍ୟପୁସ୍ତକ ପହଞ୍ଚାଇବାକୁ ଦାବି ଜୋର ଧରିଛି।
ଏହି ପ୍ରସଙ୍ଗରେ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାଠ୍ୟପୁସ୍ତକ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ଏବଂ ଖୁବ୍ଶୀଘ୍ର ସମସ୍ତ ସ୍କୁଲରେ ବହି ପହଞ୍ଚିବ। ତେବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଅପେକ୍ଷା କରିଛନ୍ତି କେବେ ସେମାନଙ୍କ ହାତରେ ପହଞ୍ଚିବ ନୂଆ ପାଠ୍ୟପୁସ୍ତକ ଏବଂ କେବେ ସ୍ୱାଭାବିକ ଭାବେ ପାଠପଢ଼ା ଆରମ୍ଭ ହେବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
