ବ୍ରହ୍ମପୁର : ଦୀର୍ଘଦିନ ଧରି ଅପେକ୍ଷା କରିଥିବା ବ୍ରହ୍ମପୁରବାସୀଙ୍କ ପାଇଁ ଆସିଛି ଖୁସିର ଖବର। ବ୍ରହ୍ମପୁର ରେଳ ଷ୍ଟେସନର ସମ୍ପୂର୍ଣ୍ଣ ଆଧୁନିକୀକରଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କାର ବ୍ୟୟରେ ଏକ ବିଶାଳ ପୁନର୍ବିକାଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପରେ ନୂତନ ତିନୋଟି ରେଳ ଲାଇନ ନିର୍ମାଣ ସହ ଷ୍ଟେସନକୁ ଆଧୁନିକ ସୁବିଧାରେ ସଜାଯିବ। ଫଳରେ ବ୍ରହ୍ମପୁର ରେଳ ଷ୍ଟେସନ ଏକ ନୂଆ ରୂପ ପାଇବ ।
ଏହାସହିତ ଦକ୍ଷିଣ ଓଡ଼ିଶାର ସଂସ୍କୃତି ଓ ପାରମ୍ପରିକତାକୁ ଷ୍ଟେସନର ଡିଜାଇନରେ ଦେଖାଯିବା ପାଇଁ ବିଶେଷ ଯୋଜନା ରହିଛି । ବ୍ରହ୍ମପୁର ରେଳ ଷ୍ଟେସନ, ଯାହାକି ଦକ୍ଷିଣ ଓଡ଼ିଶାର ସବୁଠାରୁ ବ୍ୟସ୍ତ ରେଳ କେନ୍ଦ୍ରମଧ୍ୟରୁ ଗୋଟିଏ, ସେଠାରେ ପ୍ରତିଦିନ ୧୬୦ରୁ ଅଧିକ ଟ୍ରେନ ଚଳାଚଳ କରେ ଓ ପ୍ରାୟ ୨୫ ହଜାର ଯାତ୍ରୀ ଯାତାୟାତ କରନ୍ତି ।
ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବହୁମୁଖୀ ପ୍ରକଳ୍ପ ଷ୍ଟେସନର ଢଞ୍ଚା, ସୁବିଧା ଓ ଯାତ୍ରୀ ସେବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ମାଧ୍ୟମରେ ବ୍ରହ୍ମପୁର ସହରର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଗମ ଓ ଆଧୁନିକ ହେବ ବୋଲି ଆଶା କରାଯାଉଛି।
ନୂତନ ରେଳ ପଥ ଓ ପ୍ଲାଟଫର୍ମ ବିସ୍ତାର
ରେଳ ଷ୍ଟେସନର ସମଗ୍ର ଉନ୍ନତି ପାଇଁ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ପୁନର୍ବିକାଶ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଷ୍ଟେସନର କ୍ଷମତାକୁ ବଢ଼ାଇବା। ଏହି ପରିକଳ୍ପନା ଅନୁଯାୟୀ, ୩ଟି ନୂତନ ରେଳ ଲାଇନ ସହିତ ୪ଟି ଅତିରିକ୍ତ ପ୍ଲାଟଫର୍ମ ତିଆରି କରାଯିବ, ଯାହା ଦ୍ୱାରା ଟ୍ରେନ ଚଳାଚଳ ଅଧିକ ସୁବିଧାଜନକ ହେବ ।
ଏହାସହିତ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦିଗରେ ଏକ ଆଧୁନିକ ଭବନ ନିର୍ମାଣ ଓ ୟାର୍ଡର ଆଧୁନିକୀକରଣ କରାଯିବ। ସେବା ଭବନ ଓ ରେଳ କ୍ୱାଟର୍ସକୁ ସ୍ଥାନାନ୍ତର କରି, ଯାତ୍ରୀମାନଙ୍କ ପାଇଁ ଅଧିକ ଖୋଲା ଏବଂ ସୁବିଧାଜନକ ପରିବେଶ ସୃଷ୍ଟି କରାଯିବ।
ଉଭୟ ପାର୍ଶ୍ୱରେ ସର୍କୁଲେଟିଂ ଏରିଆ
ରେଳଷ୍ଟେସନରେ ଭିଡ଼ କମାଇବା ଉଦ୍ଦେଶ୍ୟରେ ଦୁଇ ପାର୍ଶ୍ୱରେ ଆଧୁନିକ ସର୍କୁଲେଟିଂ ଏରିଆ ନିର୍ମାଣ ହେବ । ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ଦ୍ୱାର ବ୍ୟବସ୍ଥା ରହିବା ଫଳରେ ଯାତ୍ରୀଙ୍କ ଯାତାୟାତ ଅଧିକ ସୁବିଧାଜନକ ହେବ। ମୁଖ୍ୟ ପ୍ରବେଶ ପାଖରେ ରାସ୍ତା ପ୍ରଶସ୍ତୀକରଣ, ଫୁଟପାଥ୍, ଡ୍ରେନେଜ ଓ ସୌନ୍ଦର୍ଯ୍ୟକରଣ କାମ ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ଦ୍ୱିତୀୟ ପ୍ରବେଶ ପାର୍ଶ୍ୱର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏହା ସହରବାସୀଙ୍କୁ ଏକ ସମ୍ପୂର୍ଣ୍ଣ ବିକଳ୍ପ ଓ ସୁବିଧାଜନକ ପ୍ରବେଶ ମାର୍ଗ ଦେବ।
ଏହି ପ୍ରକଳ୍ପରେ ପ୍ଲାଟଫର୍ମ ମରାମତି, ନୂତନ ଚଟାଣ ଓ ସେଡର ସୁଧାର ସହ ବର୍ଷାରୁ ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କଭର ସେଡକୁ ବିସ୍ତାର କରାଯାଉଛି। ସେହିପରି, ଟ୍ରେନ ଗୁଡ଼ିକୁ ଶୀଘ୍ର ପାଣି ଯୋଗାଣ ପାଇଁ ‘କୁଇକ୍ ୱାଟରିଂ ସିଷ୍ଟମ’ (QWS) ସ୍ଥାପନ ହେବ । ଯାହାଦ୍ୱାରା ବଗିରେ ତ୍ୱରିତ ଭାବେ ପାଣି ଭର୍ତ୍ତି କରିହେବ। ଏହା ଟ୍ରେନର ଷ୍ଟେସନରେ ରହିବା ସମୟ କମାଇ ଶୀଘ୍ର ଚାଳନାରେ ସହାୟତା କରିବ ଏବଂ ସମୟନିଷ୍ଠା ବଢ଼ାଇବ।
ସ୍ମାର୍ଟ ଷ୍ଟେସନର ମୁଖ୍ୟ ବୈଶିଷ୍ଟ୍ୟ
ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଧ୍ୟାନରେ ରଖି ଏହି ଷ୍ଟେସନରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯିବ। ସିସିଟିଭି, ପ୍ରବେଶ ନିୟନ୍ତ୍ରଣ ପ୍ରଣାଳୀ ଓ ବ୍ୟାଗେଜ ଯାଞ୍ଚ ବ୍ୟବସ୍ଥା ଯୋଗୁଁ ସୁରକ୍ଷା ବଳିୟାନ ହେବ। ସେହିପରି, ଉନ୍ନତ ଯାତ୍ରୀ ସୂଚନା ପ୍ରଣାଳୀ ଓ ସିଗ୍ନାଲିଂ ବ୍ୟବସ୍ଥା ଦ୍ୱାରା ଯାତ୍ରା ଅଧିକ ସୁଗମ ହେବ। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ବହୁଭାଷୀ ସୂଚନା ଫଳକ ଲଗାଯିବ । ଯାହା ମାଧ୍ୟମରେ ଯାତ୍ରୀମାନେ ସହଜରେ ସମସ୍ତ ତଥ୍ୟ ପାଇପାରିବେ।
ଗଞ୍ଜାମର ଗର୍ବ, ବ୍ରହ୍ମପୁରର ନୂତନ ପରିଚୟ
ବ୍ରହ୍ମପୁର ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ଏବେ ଏହି ଅଞ୍ଚଳକୁ ନୂଆ ଚେହେରା ଦେବାକୁ ଯାଉଛି। ଆଧୁନିକ ସୁବିଧା ଓ ଉନ୍ନତ ଭିତ୍ତିଭୂମି ସହ ଏହି ପ୍ରକଳ୍ପ ବ୍ରହ୍ମପୁରର ସ୍ୱତନ୍ତ୍ର ପରିଚୟକୁ ଆଉ ମଜବୁତ କରୁଛି । ସ୍ଥାନୀୟ ଲୋକଙ୍କ ସମର୍ଥନ ଓ ଆଶା ଏହାକୁ କେବଳ ଏକ ଷ୍ଟେସନରେ ସୀମିତ ରଖୁନାହିଁ, ବରଂ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଓ ପାରମ୍ପରିକ ଧାରାକୁ ଉଜାଗର କରୁଛି ।
ଏହି ଷ୍ଟେସନକୁ ଏବେ ଏକ ପ୍ରମୁଖ ପ୍ରବେଶ ଦ୍ୱାର ଭାବେ ନୂତନ ଆକୃତି ଦିଆଯାଉଛି । ଯାହା କେବଳ ଯାତ୍ରା ସୁବିଧା ପାଇଁ ନୁହେଁ, ବ୍ରହ୍ମପୁରର ଐତିହ୍ୟ ଓ ପରମ୍ପରାକୁ ଦେଖାଇବାରେ ମଧ୍ୟ ଏକ ଚିହ୍ନ ହେବ। କାମ ଶେଷ ହେବା ପରେ, ଯାତ୍ରୀମାନେ ଏଠାରେ ବିଶ୍ୱସ୍ତରୀୟ ସୁବିଧାର ଅନୁଭବ କରିପାରିବେ। ଦୀର୍ଘଦିନର ଦାବି ପୂରଣ ହେବାରୁ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି, ଏବଂ ଏହି ପ୍ରକଳ୍ପକୁ ବିଭିନ୍ନ ମହଲରୁ ଭରପୁର ସ୍ୱାଗତ ମିଳୁଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
