ଛତ୍ରପୁର : ଆଜିଠୁ ଆରମ୍ଭ ହେଲା ଛତ୍ରପୁର ମହୋତ୍ସବ। ଏହାକୁ ନେଇ ବେଶ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ଛତ୍ରପୁର । ଏହି ୫ ଦିନିଆ ମହୋତ୍ସବକୁ ଉପଭୋଗ କରିବା ପାଇଁ କେବଳ ଜିଲ୍ଲାନୁହେଁ ଜିଲ୍ଲା ବାହାରୁ ବି ଲୋକେ ଆସିଛନ୍ତି ଦେଖିବାକୁ।
ଅନ୍ୟପକ୍ଷରେ ମହୋତ୍ସବକୁ ଆହୁରି ସରଗରମ କରିଛି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତ । ତାଙ୍କ ଗୀତରେ ଝୁମିଥିଲେ ଦର୍ଶକ ଆଉ ଝୁମିଥିଲା ମହୋତ୍ସବ।
ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୫ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଏଥିରେ ପରମ୍ପରା, କୃଷି, ସଂସ୍କୃତି ଓ ସରକାରୀ ଯୋଜନାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିବ। ଚଳିତ ବର୍ଷ ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସହିତ ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଇଛି । ଚାଷୀମାନଙ୍କ ପାଇଁ ନୂତନ କୃଷି ପ୍ରଯୁକ୍ତି, ଆଧୁନିକ ଯନ୍ତ୍ରପାତି ଓ ବିଭିନ୍ନ ସରକାରୀ ସହାୟତା ବିଷୟରେ ସଚେତନତା ସୃଷ୍ଟି କରାଯିବ।
ଏହାସହ ଓରମାସ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସୁଭଦ୍ରା ଶକ୍ତି ଓ ବିଭିନ୍ନ ଲାଇନ ବିଭାଗର ସମନ୍ୱୟରେ ପ୍ରାୟ ୧୫୦ଟି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲଗୁଡ଼ିକ ମାଧ୍ୟମରେ ଲୋକମାନେ ସରକାରୀ ଯୋଜନା, ସ୍ୱୟଂରୋଜଗାର, ମହିଳା ସଶକ୍ତିକରଣ, କୃଷି, ପଶୁପାଳନ ଓ ଜୀବିକା ଉନ୍ନୟନ ସମ୍ପର୍କିତ ବିଭିନ୍ନ ସୂଚନା ପାଇପାରିବେ।
ମହୋତ୍ସବକୁ ଆହୁରି ରଙ୍ଗିନ କରିବା ପାଇଁ ୩୦ଟି ସାଂସ୍କୃତିକ ଦଳ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ଲୋକକଳା କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସରକାରୀ ଯୋଜନା ଓ ସାମାଜିକ ସଚେତନତାକୁ ଲୋକକଳା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ମଧ୍ୟ ବିଶେଷ ପ୍ରୟାସ କରାଯିବ ।
ସେପଟେ ମହୋତ୍ସବକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପାନୀୟଜଳ, ଅଗ୍ନିନିରାପତ୍ତା ଓ ଆଇନ-ଶୃଙ୍ଖଳା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ସମ୍ବନ୍ଧିତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଆଜି ଶୃଙ୍ଖଳିତ ଭାବେ ଚାଲିଛି। ଏହାସହ ମହୋତ୍ସବ ସମୟରେ ଭିଡକୁ ଦୃଷ୍ଟିରେ ରଖି ସୁଚାରୁ ପରିଚାଳନା ପାଇଁ ପୋଲିସ ମୁତୟନ ବ୍ୟବସ୍ଥା ମଧ୍ୟ କରାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
