Explore

Search

June 11, 2026 5:49 pm

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର : ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ନାମକରଣ ବିବାଦରେ ଏକ ନୂଆ ମୋଡ଼ ଆସିଛି । ମନ୍ଦିର ନାମ ସହ ଯୋଡ଼ାଯାଇଥିବା ‘ଧାମ’ ଶବ୍ଦକୁ ହଟାଇ ଦିଆଯାଇଛି । ଏହାସହିତ ମନ୍ଦିର ପ୍ରବେଶ ଫାଟକରେ ଥିବା ‘ଜଗନ୍ନାଥ ଧାମ’ ଫଳକକୁ ମଧ୍ୟ କାଢ଼ି ନିଆଯାଇଛି । ବର୍ତ୍ତମାନ ସେଠାରେ ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ନାମ ଲେଖାଯାଇଛି।

ଏହି ପରିବର୍ତ୍ତନକୁ ନେଇ ଜଗନ୍ନାଥ ଭକ୍ତ ଓ ସାଂସ୍କୃତିକ ମହଳରେ ସନ୍ତୋଷ ପ୍ରକାଶ ପାଇଛି। ଅନେକଙ୍କ ମତରେ, ‘ଧାମ’ ଶବ୍ଦର ବ୍ୟବହାର ନେଇ ଦୀର୍ଘଦିନ ଧରି ଉଠୁଥିବା ଆପତ୍ତିର ସମାଧାନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ସୂଚନାଯୋଗ୍ୟ ଯେ, ଦୀଘା ଜଗନ୍ନାଥ ମନ୍ଦିରର ନାମରେ ‘ଧାମ’ ଶବ୍ଦ ବ୍ୟବହାରକୁ ନେଇ ଓଡ଼ିଶାର ବିଭିନ୍ନ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଓଡ଼ିଶା ସରକାର ମଧ୍ୟ ଏହି ଶବ୍ଦକୁ ହଟାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଚିଠି ଲେଖି ବିକଳ୍ପ ନାମକରଣ ପାଇଁ ପ୍ରସ୍ତାବ ଦେଇଥିଲେ।

ଦୀଘାର ଏହି ଭବ୍ୟ ଜଗନ୍ନାଥ ମନ୍ଦିର ପୂର୍ବ ମେଦିନୀପୁର ଜିଲ୍ଲାର ସମୁଦ୍ରତଟବର୍ତ୍ତୀ ସହରରେ ନିର୍ମିତ ହୋଇଛି। ଶ୍ରୀମନ୍ଦିରର ସ୍ଥାପତ୍ୟ ଶୈଳୀକୁ ଅନୁସରଣ କରି ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଥିଲା । ୨୦୨୫ ଏପ୍ରିଲ ୩୦ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ଏହାର ପ୍ରତିଷ୍ଠା ହୋଇଥିଲା। ତେବେ ମନ୍ଦିରର ନାମ ‘ଦୀଘା ଜଗନ୍ନାଥ ଧାମ’ ରଖାଯିବା ପରେ ବିବାଦ ସୃଷ୍ଟି ହୋଇଥିଲା।

ବର୍ତ୍ତମାନ ‘ଧାମ’ ଶବ୍ଦ ହଟାଇ ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ନାମକରଣ କରାଯାଇଥିବାରୁ ବିବାଦର ଅବସାନ ଘଟିବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score