Explore

Search

September 12, 2026 11:11 pm

ଦିଗାପୁର ଗସ୍ତରେ କୋରାପୁଟ ଜିଲ୍ଲାପାଳ : ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

କୋରାପୁଟ : କୁନ୍ଦୁରା ବ୍ଲକ ଅନ୍ତର୍ଗତ ଦିଗାପୁର ଗ୍ରାମପଞ୍ଚାୟତକୁ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକଙ୍କ ଜୀବନଜୀବିକା ସମ୍ପର୍କିତ ସ୍ଥିତି ପରଖିଛନ୍ତି । ଏହି ଗସ୍ତ ସମୟରେ ସେ ଗ୍ରାମାଞ୍ଚଳରେ ଚାଲିଥିବା ଯୋଜନା ଓ ସେବାର ଅଗ୍ରଗତି ବିଷୟରେ ଅଧିକାରୀଙ୍କ ଠାରୁ ସୂଚନା ନେଇଥିଲେ।

ଜିଲ୍ଲାପାଳ ପ୍ରଥମେ ଗ୍ରାମପଞ୍ଚାୟତସ୍ତରୀୟ ଫେଡେରେସନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟକଳାପ ଓ ଆୟର ଉତ୍ସ ବିଷୟରେ ପଚାରି ବୁଝିଥିଲେ । ମହିଳାମାନେ କିପରି ବିଭିନ୍ନ ଜୀବିକା ମାଧ୍ୟମରେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେଉଛନ୍ତି, ତାହା ମଧ୍ୟ ସେ ସମୀକ୍ଷା କରିଥିଲେ।

ଏହାପରେ ସେ ପରିବା ଚାଷ ଅଞ୍ଚଳ ବୁଲି ଚାଷୀଙ୍କ ସହ କଥା ହୋଇଥିଲେ । ଚାଷର ସ୍ଥିତି, ଉତ୍ପାଦନ ଓ ଚାଷୀମାନେ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ସେ ଜାଣିଥିଲେ। ଗ୍ରାମବାସୀଙ୍କୁ ଜୀବିକା ସୁଯୋଗ ବଢ଼ାଇବା ସହ କୃଷି ଓ ଅନ୍ୟାନ୍ୟ ଆୟମୁଖୀ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବା ନେଇ ଆଲୋଚନା କରାଯାଇଥିଲା।

ଗସ୍ତ ସମୟରେ ଜିଲ୍ଲାପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅତିରିକ୍ତ ଶ୍ରେଣୀ ଗୃହ ମଧ୍ୟ ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁଥିବା ସୁବିଧା ଓ ଚିକିତ୍ସା ସେବାର ସ୍ଥିତି ଯାଞ୍ଚ କରିଥିଲେ। ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପାଇଁ ଉପଲବ୍ଧ ଭିତ୍ତିଭୂମି ସମ୍ପର୍କରେ ମଧ୍ୟ ସେ ଅନୁଧ୍ୟାନ କରିଥିଲେ ।

ଏଥିସହ ଜିଲ୍ଲାପାଳ ଗ୍ରାମପଞ୍ଚାୟତର ସୁଭଦ୍ରା ଶକ୍ତି କେନ୍ଦ୍ର, ଭାଗବତ ଟୁଙ୍ଗି ଓ ଛେଳି ଫାର୍ମ ପରିଦର୍ଶନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଗ୍ରାମବାସୀଙ୍କ ପାଇଁ ଏଗୁଡ଼ିକର ଉପଯୋଗିତା ବିଷୟରେ ସେ ଅବଗତ ହୋଇଥିଲେ।

ଶେଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ପରିଦର୍ଶନ କରିଥିଲେ। ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମିଳୁଥିବା ସେବା ଓ ସୁବିଧା ବିଷୟରେ ସେ ଜାଣିଥିଲେ। ଏହି ଗସ୍ତ ମାଧ୍ୟମରେ ଦିଗାପୁର ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକା କ୍ଷେତ୍ରର ସ୍ଥିତିକୁ ଜିଲ୍ଲାପାଳ ନିକଟରୁ ଅନୁଧ୍ୟାନ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score