Explore

Search

September 22, 2026 9:45 pm

ଜେଲର କାନ୍ଥ ଡେଇଁ ପିଲାଙ୍କ ପାଖରେ ପହଞ୍ଚୁଛି ମମତା : ବ୍ରହ୍ମପୁରରେ ‘ସ୍ନେହ ବନ୍ଧନ’

ବ୍ରହ୍ମପୁର : ଅପରାଧ ପାଇଁ ଆଇନ ଦେଇଥିବା ଦଣ୍ଡ ଜଣେ ବନ୍ଦୀଙ୍କୁ କାରାଗାର ଭିତରେ ରଖିପାରେ। ହେଲେ ସନ୍ତାନ ପ୍ରତି ବାପା-ମା’ଙ୍କ ମମତାକୁ ବନ୍ଦୀ କରିପାରେ ନାହିଁ । ଜେଲର ଉଚ୍ଚ କାନ୍ଥ ଓ କଡ଼ା ନିୟମ ମଧ୍ୟରେ ରହିଲେ ମଧ୍ୟ ପିଲାଙ୍କ ପାଇଁ ଅଭିଭାବକଙ୍କ ଚିନ୍ତା, ସ୍ନେହ ଓ ଭବିଷ୍ୟତର ସ୍ୱପ୍ନ ସେହିଭଳି ଜୀବନ୍ତ ରହିଥାଏ ।

ଏହି ଭାବନାକୁ ଆଧାର କରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଆରମ୍ଭ ହୋଇଛି ଏକ ଅଭିନବ ସଂସ୍କାରମୂଳକ ପଦକ୍ଷେପ ‘ସ୍ନେହ ବନ୍ଧନ’ । ଏହି କାର୍ଯ୍ୟକ୍ରମ ବନ୍ଦୀ ଓ ସେମାନଙ୍କ ସନ୍ତାନଙ୍କ ମଧ୍ୟରେ ଦୂରତା କମାଇବା ସହ ପାରିବାରିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ପ୍ରୟାସ ହୋଇଛି ।

କାରାଗାରରେ ଥିବା ଅନେକ ଅନ୍ତେବାସୀଙ୍କ ଛୋଟ ଛୋଟ ପିଲା ରହିଛନ୍ତି । ବାପା କିମ୍ବା ମା’ ଜେଲରେ ଥିବାରୁ ପିଲାମାନେ କେବଳ ସ୍ନେହରୁ ନୁହେଁ, ପାଠପଢ଼ା, ଶିକ୍ଷା ଓ ଜୀବନର ଅନେକ ନିଷ୍ପତ୍ତିରେ ଅଭିଭାବକଙ୍କ ମାର୍ଗଦର୍ଶନରୁ ମଧ୍ୟ ଦୂରେଇ ଯାଆନ୍ତି । ଏହି ଦୂରତାକୁ କମାଇବା ପାଇଁ ‘ସ୍ନେହ ବନ୍ଧନ’ ଏକ ନୂଆ ଅବସର ସୃଷ୍ଟି କରିଛି ।

ଏହି ବ୍ୟବସ୍ଥାରେ ବନ୍ଦୀଙ୍କ ୫ରୁ ୧୫ ବର୍ଷ ବୟସର ପିଲାମାନେ ବହି ଓ ବସ୍ତାନୀ ଧରି ଜେଲକୁ ଆସିପାରିବେ । ସେମାନେ ନିଜ ବାପା କିମ୍ବା ମା’ଙ୍କୁ ସିଧାସଳଖ ଭେଟିବା ସହ ମନଖୋଲି କଥା ହେବାର ସୁଯୋଗ ପାଇବେ । ଏହି ସାକ୍ଷାତ ପାଇଁ ପ୍ରାୟ ୪୫ ମିନିଟରୁ ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ରଖାଯାଇଛି ।

ପୂର୍ବରୁ ବନ୍ଦୀ ଓ ପରିବାର ମଧ୍ୟରେ ସାକ୍ଷାତ ହେଉଥିଲେ ମଧ୍ୟ ତାହା ଜେଲ ନିୟମ ଅନୁସାରେ ଇଣ୍ଟରକମ ମାଧ୍ୟମରେ ହେଉଥିଲା । ଫଳରେ ବାପା-ମା’ ଓ ପିଲାଙ୍କ ମଧ୍ୟରେ ସ୍ୱାଭାବିକ ଭାବେ ଭାବ ବିନିମୟ କରିବାର ସୁଯୋଗ ସୀମିତ ରହୁଥିଲା। ଏବେ ‘ସ୍ନେହ ବନ୍ଧନ’ ମାଧ୍ୟମରେ ସେହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି ।

ପିଲାମାନେ ନିଜ ପାଠପଢ଼ା ବିଷୟରେ ବାପା-ମା’ଙ୍କୁ କହିପାରୁଛନ୍ତି । କେଉଁ ବିଷୟରେ ଅସୁବିଧା ହେଉଛି, ପଢ଼ା କେମିତି ଚାଲିଛି ଏବଂ ଭବିଷ୍ୟତରେ କ’ଣ କରିବାକୁ ଚାହୁଁଛନ୍ତି—ସେସବୁ ନେଇ ଆଲୋଚନା କରିବାର ଅବସର ମିଳୁଛି । ଅନ୍ୟପଟେ ବନ୍ଦୀ ଥିବା ବାପା-ମା’ ମଧ୍ୟ ପିଲାଙ୍କ ପାଠପଢ଼ା ବୁଝିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହ ଦେଇପାରୁଛନ୍ତି ।

ବହି ଓ ବସ୍ତାନୀ ଧରି ଆସୁଥିବା ପିଲାଙ୍କୁ ଦେଖିବା ମଧ୍ୟ ବନ୍ଦୀମାନଙ୍କ ପାଇଁ ଏକ ଭିନ୍ନ ଅନୁଭବ ପାଲଟିଛି । ଆଇନର ଦଣ୍ଡ ଭୋଗୁଥିଲେ ମଧ୍ୟ ସେମାନେ ଜଣେ ବାପା କିମ୍ବା ମା’। ପିଲାଙ୍କ ଭବିଷ୍ୟତ ନେଇ ସେମାନଙ୍କ ମନରେ ଥିବା ଆଶା ଓ ସ୍ୱପ୍ନକୁ ଏହି କାର୍ଯ୍ୟକ୍ରମ ପୁଣିଥରେ ପରିବାର ସହ ଯୋଡ଼ିବାର ଅବସର ଦେଉଛି।

ବ୍ରହ୍ମପୁର ମଣ୍ଡଳ କାରାଗାରର ଅଧୀକ୍ଷକଙ୍କ କହିବାନୁସାରେ, ପିଲାମାନଙ୍କ ଶିକ୍ଷାଜୀବନରେ ବାପା-ମା’ଙ୍କ ମାର୍ଗଦର୍ଶନର ଗୁରୁତ୍ୱ ରହିଛି। ଜଣେ ବନ୍ଦୀ ଓ ତାଙ୍କ ସନ୍ତାନଙ୍କ ମଧ୍ୟରେ ଦୂରତା ଯେପରି ପିଲାଙ୍କ ଶିକ୍ଷା ଓ ବିକାଶ ଉପରେ ପ୍ରଭାବ ନ ପକାଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି।

‘ସ୍ନେହ ବନ୍ଧନ’ ଜରିଆରେ ବନ୍ଦୀମାନେ ପିଲାଙ୍କ ପାଠପଢ଼ା, ଭବିଷ୍ୟତ ଯୋଜନା ଓ ଜୀବନର ଗତିପଥ ସମ୍ପର୍କରେ ଜାଣିପାରୁଛନ୍ତି। ସେମାନଙ୍କୁ ଭଲ ଭାବେ ପଢ଼ିବା ଓ ଜୀବନରେ ଭଲ ମଣିଷ ହେବା ପାଇଁ ପ୍ରେରଣା ଦେବାର ସୁଯୋଗ ମଧ୍ୟ ମିଳୁଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score