ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ୧୨ ବର୍ଷ ପୂରଣ କରିଥିବା ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଏକ ବ୍ୟାପକ ଜନସମ୍ପର୍କ ଓ ସେବାମୂଳକ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ୨୦୧୪ ମସିହା ମେ’ ୨୬ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରିଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଦଶକରୁ ଅଧିକ ସମୟ ଧରି ଦେଶ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଓ ବିକାଶର ସାକ୍ଷୀ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ଜୁନ୍ ୫ ରୁ ୨୧ ତାରିଖ ପର୍ଯ୍ୟନ୍ତ “ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ୧୨ ବର୍ଷ” ଶୀର୍ଷକରେ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ ସେବା, ସଚେତନତା ଏବଂ ଜନସମ୍ପର୍କ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ଯୋଜନା, ଉପଲବ୍ଧି ଓ ଜନହିତକାରୀ ପଦକ୍ଷେପ ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଦଳର ମତାନୁସାରେ, ଗରିବ କଲ୍ୟାଣ, କୃଷକ ସଶକ୍ତିକରଣ, ମହିଳା ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗତ ୧୨ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ସଫଳତା ଓ ଯୋଜନା ଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଜୁନ୍ ୮ ରୁ ୧୨ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଓ ଆଲୋଚନାଚକ୍ର ଆୟୋଜିତ ହେବ। ଏଥିରେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ସରକାରଙ୍କ କାର୍ଯ୍ୟକାଳର ବିଭିନ୍ନ ଦିଗ ଉପରେ ମତ ରଖିବେ।
ସେହିପରି ଜୁନ୍ ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏକ ବିଶେଷ ଜନସମ୍ପର୍କ ଅଭିଯାନ ଚାଲିବ। ଏହି ସମୟରେ ଜନପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାମାନେ ନିଜ ନିଜ ଅଞ୍ଚଳକୁ ଯାଇ ଲୋକଙ୍କ ସହ ସିଧାସଳଖ ସଂଳାପ କରିବେ ଏବଂ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିବେ। ଏହି ଅଭିଯାନରେ ବୃକ୍ଷରୋପଣ, ସ୍ୱଚ୍ଛତା କାର୍ଯ୍ୟକ୍ରମ, ପ୍ରଗତି ପଥ ଯାତ୍ରା ଏବଂ “ବିକଶିତ ଭାରତ ସଂକଳ୍ପ ସମ୍ମିଳନୀ” ଭଳି ବିଭିନ୍ନ ଉଦ୍ୟମ ସାମିଲ ରହିବ।
ଜନସାଧାରଣଙ୍କ ମଧ୍ୟରେ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ବଢ଼ାଇବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ଏହାର ସୁବିଧା ସହ ଯୋଡ଼ିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ବ୍ୟାପକ ପହଞ୍ଚ କାର୍ଯ୍ୟକ୍ରମ ଚାଲିବ। ଜୁନ୍ ୧୨ ରୁ ୨୦ ତାରିଖ ମଧ୍ୟରେ ଜନକଲ୍ୟାଣ ଶିବିର ଆୟୋଜନ କରାଯିବ, ଯେଉଁଠାରେ ଆୟୁଷ୍ମାନ ଭାରତ, ପିଏମ୍ ସ୍ୱନିଧି, ପିଏମ୍ ସୂର୍ଯ୍ୟ ଘର ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରାଯିବ ଏବଂ ସେମାନଙ୍କୁ ଯୋଜନାର ସୁବିଧା ପ୍ରଦାନ ପାଇଁ ସହାୟତା କରାଯିବ।
ଏହି ଅଭିଯାନର ସଫଳ ରୂପାୟଣ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହା ସହିତ ବିଭିନ୍ନ କର୍ମଶାଳା, ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜୈବିକ ଓ ପ୍ରାକୃତିକ କୃଷି, ପରିବେଶ ସୁରକ୍ଷା ଏବଂ ସ୍ୱଦେଶୀ ଉତ୍ପାଦ ବ୍ୟବହାର ପ୍ରତି ଉତ୍ସାହିତ କରାଯିବ।
ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ୍ ୫ ତାରିଖରେ “ମାଙ୍କ ନାମରେ ଗୋଟିଏ ଗଛ” ଅଭିଯାନକୁ ବିଶେଷ ଭାବରେ ପାଳନ କରାଯିବ। ସେହିପରି ଜୁନ୍ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ ମଣ୍ଡଳ ଓ ସ୍ଥାନୀୟସ୍ତରରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଦଳ ପକ୍ଷରୁ କୁହାଯାଇଛି ଯେ ଏହି ଅଭିଯାନ କେବଳ ସରକାରଙ୍କ କାର୍ଯ୍ୟ ଓ ସଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସୀମିତ ରହିବ ନାହିଁ, ବରଂ ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିବାରେ ମଧ୍ୟ ସହାୟକ ହେବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
