Explore

Search

June 2, 2026 2:56 am

ଜୁନ ୨ରେ ରିପୋର୍ଟ ମାଗିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାର ଗଠନର ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ସରକାରୀ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ତତ୍ପରତା ବଢ଼ିଛି। କେଉଁ ବିଭାଗ କେତେ କାମ କରିଛି ଏବଂ ଦୁଇ ବର୍ଷ ମଧ୍ୟରେ କେତେ ପ୍ରତିଶ୍ରୁତି ପୂରଣ ହୋଇଛି, ତାହାର ସବିଶେଷ ରିପୋର୍ଟ ମନ୍ତ୍ରୀମାନଙ୍କୁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ।

ଜୁନ୍ ୨ରୁ ୯ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ସବୁ ବିଭାଗର କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ବିଭାଗ ଗତ ଦୁଇ ବର୍ଷରେ କେଉଁ କେଉଁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛନ୍ତି, କେତେ ନୂଆ ଯୋଜନା ଆରମ୍ଭ ହୋଇଛି ଓ ଲୋକମାନଙ୍କୁ କେତେ ସୁବିଧା ମିଳିଛି, ସେ ସବୁ ନେଇ ଖସଡ଼ା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସମୀକ୍ଷାର ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓଙ୍କ ଅଧୀନସ୍ଥ ବିଭାଗମାନଙ୍କ କାର୍ଯ୍ୟ ଉପରେ ତର୍ଜମା କରାଯିବ। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ବିଭାଗର କାର୍ଯ୍ୟ ଉପରେ ଆଲୋଚନା ହେବ। ଯେଉଁ ବିଭାଗର କାର୍ଯ୍ୟ ପ୍ରଗତି ସନ୍ତୋଷଜନକ ନୁହେଁ, ସେଠାରେ ଅଧିକ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ମିଳିଛି।

ସରକାରଙ୍କ ଦୁଇ ବର୍ଷର ସଫଳତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଜୁନ୍ ୧୨ରୁ ୨୨ ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଏହି ଅବସରରେ ମନ୍ତ୍ରୀ ଓ ଦଳୀୟ ନେତାମାନେ ଜିଲ୍ଲାଗୁଡ଼ିକୁ ଯାଇ ସରକାରଙ୍କ ଉପଲବ୍ଧି ଲୋକଙ୍କୁ ଜଣାଇବେ।
ଏହା ସହିତ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିପାରନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ଓ ଦଳୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score